ବୀଭତ୍ସ: ଦୌଡ଼ି ଆସି କାଉନ୍‌ସିଲଙ୍କୁ ଖଣ୍ଡାରେ ହାଣି ହତ୍ୟା କଲେ, ସିସିଟିଭିରେ କଏଦ ହୋଇଛି ଲାଇଭ୍‌ ଦୃଶ୍ୟ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଛତ୍ରପୁର ବିଜେଡିର ଯୁବ ନେତା ତଥା କାଉନ୍‌ସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ହତ୍ୟା କରାଯାଇଛି। ଦୁର୍ବୃତ୍ତମାନେ ଘର ସାମ୍ନାରେ ଲକ୍ଷ୍ମୀଦତ୍ତଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି। କଲେଜ ନିର୍ବାଚନ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଆକ୍ରମଣକାରୀମାନେ ହାତରେ ଖଣ୍ଡା ଧରି ଲକ୍ଷ୍ମୀଦତ୍ତଙ୍କ ପାଖକୁ ହଠାତ୍ ମାଡ଼ି ଆସିଥିଲେ। ଲକ୍ଷ୍ମୀଦତ୍ତଙ୍କ ସହ ଥିବା କିଛି ପିଲା ଆକ୍ରମଣକାରୀଙ୍କୁ ଦେଖି ଛାନିଆରେ ପଳାଇ ଯାଇଥିଲେ। ଲକ୍ଷ୍ମୀଦତ୍ତ ଭୟରେ […]

Rakesh Mallick
  • Published: Saturday, 16 September 2017
  • , Updated: 16 September 2017, 09:06 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଛତ୍ରପୁର ବିଜେଡିର ଯୁବ ନେତା ତଥା କାଉନ୍‌ସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ହତ୍ୟା କରାଯାଇଛି। ଦୁର୍ବୃତ୍ତମାନେ ଘର ସାମ୍ନାରେ ଲକ୍ଷ୍ମୀଦତ୍ତଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି। କଲେଜ ନିର୍ବାଚନ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଆକ୍ରମଣକାରୀମାନେ ହାତରେ ଖଣ୍ଡା ଧରି ଲକ୍ଷ୍ମୀଦତ୍ତଙ୍କ ପାଖକୁ ହଠାତ୍ ମାଡ଼ି ଆସିଥିଲେ। ଲକ୍ଷ୍ମୀଦତ୍ତଙ୍କ ସହ ଥିବା କିଛି ପିଲା ଆକ୍ରମଣକାରୀଙ୍କୁ ଦେଖି ଛାନିଆରେ ପଳାଇ ଯାଇଥିଲେ। ଲକ୍ଷ୍ମୀଦତ୍ତ ଭୟରେ ଘର ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ଆକ୍ରମଣକାରୀ ଅତି ବିଭତ୍ସ ଭାବେ ଚୋଟ ପରେ ଚୋଟ ମାରି ହତ୍ୟା କରିଥିଲେ। ଏପରିକି ଲକ୍ଷ୍ମୀଦତ୍ତଙ୍କ ଭାଇଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।

ଛତ୍ରପୁର ଏନ୍‌ଏସି ୬ ନମ୍ୱର ୱାର୍ଡ଼ର କାଉନ୍‌ସିଲର ଲକ୍ଷ୍ମୀଦତ୍ତ କିଛି ସମର୍ଥକଙ୍କ ଗହଣରେ ନିଜ ଘର ଆଗରେ ବସିଥିଲେ। ଏହି ସମୟରେ ୧୦ରୁ ୧୨ ଜଣ ଲୋକ ସଂଘବଦ୍ଧଭାବେ ଖଣ୍ଡରେ ଲକ୍ଷ୍ମୀଙ୍କୁ ଆକ୍ରମଣ କରିଥିଲେ। ବଡ଼ ଭାଇକୁ ବଞ୍ଚାଇବାକୁ ଯାଇ ସାନ ଭାଇ ମଧ୍ୟ ଦୁର୍ବୃତ୍ତଙ୍କ ଖଣ୍ଡ ଚୋଟରେ ଆହତ ହୋଇଥିଲେ। ପରିବାର ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଲକ୍ଷ୍ମୀଙ୍କୁ ମୃତ ଘୋଷଣା କରିଥିଲେ। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।

ଛତ୍ରପୁର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କର ଘଟଣାର ତଦନ୍ତ ଆରମ୍ଭ କରିଛି। ସ୍ଥିତି ଉତ୍ତେଜନା ରହିଥିବାରୁ ଛତ୍ରପୁର ଆଖପାଖ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ଛତ୍ରପୁର ଏନ୍‌ଏସି ଅଧ୍ୟ ଧନଞ୍ଜୟ ରେଡ୍ଡୀ କହିଛନ୍ତି-“ବିଜେଡି ଜିତେଇବାରେ ଲକ୍ଷ୍ମୀଦତ୍ତଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ବିଜେଡି ପାଇଁ ଯାହା ଦେଇଛି, ଆଉ କେହି ଦେଇପାରିବେ ନାହିଁ। ସିଏ ଆଜି ଆମ ମଧ୍ୟରେ ନାହିଁ।”

ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ମିଶ୍ର କହିଛନ୍ତି-“ସ୍ଥାନୀୟ ବିଧାୟକଙ୍କ ସୂଚନା ମୁତାବକ ବିଜେପି କର୍ମୀମାନେ ତାଙ୍କୁ(ଲକ୍ଷ୍ମୀ) ହତ୍ୟା କରିଛନ୍ତି। ଏହି ହତ୍ୟାକାରୀମାନେ ନିକଟରେ କମ୍ୟୁନିଷ୍ଟ୍‌ ପାର୍ଟି ଛାଡ଼ି ବିଜେପିରେ ଯୋଗଦେଇଥିଲେ। ତେବେ ତଦନ୍ତ ପରେ ଜଣାପଡ଼ିବ, କିଏ କ’ଣ ପାଇଁ ହତ୍ୟା କଲା। ଲକ୍ଷ୍ମୀଦତ୍ତ ପୂର୍ବତନ ଜିଲ୍ଲା ଛାତ୍ର ବିଜେଡି ସଭାପତି ଥିଲେ।”

(ଯେହେତୁ ହତ୍ୟାକାଣ୍ଡର ଦୃଶ୍ୟ ଅତି ବିଭତ୍ସ ହୋଇଛି। ତେଣୁ ନୈତିକତା ଦୃଷ୍ଟିରୁ ସେହି ଭିଡ଼ିଓକୁ ଆମେ ଆପଣଙ୍କୁ ଦେଖାଉ ନାହୁଁ)

Related story