ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଗାଈ: ଚାଲାଣ ଅଭିଯୋଗରେ ନିର୍ଦ୍ଧୁମ୍‌ ମାଡ଼

ଭୁବନେଶ୍ୱର: ଏକ୍ସପ୍ରେସ୍ ଟ୍ରେନ୍ ଯୋଗେ ଗୋଚାଲାଣକୁ କେନ୍ଦ୍ର କରି ଭୁବନେଶ୍ୱରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କର୍ଣ୍ଣାଟକରୁ ଆସୁଥିବା କୋଚୁଭେଲ୍ଲି-ଗୌହାଟୀ ଏକ୍ସପ୍ରେସ୍ ଯୋଗେ ଗାଈ ଚାଲାଣ ହେଉଥିଲା। ଏ ସଂପର୍କରେ ଖବର ପାଇ ହିନ୍ଦୁ ରକ୍ଷା ସଂଗଠନ, ବଜରଙ୍ଗ ଦଳ ଓ ପିପୁଲ୍ ଫର ଆନିମଲ୍ ସଂଗଠନ ପକ୍ଷରୁ ଭୁବନେଶ୍ୱର ଷ୍ଟେସନ୍‌ରେ ଚଢ଼ାଉ କରାଯାଇ ସଂପୃକ୍ତ ଟ୍ରେନ୍‌ରୁ ୨୦ଟି ଗାଈକୁ ଉଦ୍ଧାର କରାଯାଇଥିଲା। ଏହାପରେ ଗାଈ ଚାଲାଣକାରୀଙ୍କ ଉପରେ ହୋଇଥିଲା ନିର୍ଦ୍ଧୁମ ମାଡ଼।

ଗାଈ ଗୁଡ଼ିକୁ ଟ୍ରେନ୍‌ର ପାର୍ସଲ ବଗିରେ ନିଆାଯାଉଥିଲା। ବଗିରେ ଗୋ-ଖାଦ୍ୟ ସାଙ୍ଗକୁ ଜଣେ ପଶୁ ଡାକ୍ତର ଓ ୪ ଜଣ କେୟାର ଟେକର ମଧ୍ୟ ଥିଲ॥ ତେବେ ସଂଗଠନର କର୍ମୀମାନେ ଗାଈଙ୍କୁ ଜବତ କରିବା ପରେ ଦୁଇ ଜଣଙ୍କୁ ଅଟକ ରଖି ବାନ୍ଧିବା ସହ ନିର୍ଦ୍ଧୁମ ପିଟିଥିବା ଅଭିଯୋଗ ହୋଇଛି। ଉତ୍ତେଜନା କାରଣରୁ କୋଚୁଭେଲ୍ଲି-ଗୌହାଟୀ ଏକ୍ସପ୍ରେସ୍ ଷ୍ଟେସନ୍‌ରେ ପ୍ରାୟ ୨ ଘଣ୍ଟାକାଳ ଅଟକ ରହିଥିଲା ଆରପିଏଫ୍‌ ଓ ଜିଆରପି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା ପରେ ଟ୍ରେନ୍ ଷ୍ଟେସନ୍ ଛାଡ଼ିଥିଲା।

ଉଦ୍ଧାର ଗାଈକୁ ଆରପିଏଫ୍‌ ଅଧିକାରୀମାନେ ପୁରୁଣା ଷ୍ଟେସନ୍ ବଜାରକୁ ନେଇଥିଲା। ଏହାପରେ ଲୋକଙ୍କ କବଳରୁ ସଂପୃକ୍ତ ଦୁଇଜଣଙ୍କୁ ଆଣି ପଚରାଉଚରା କରୁଛି।

ଗାଈ ଗୁଡ଼ିକ କେଉଁ ଡାଏରୀ ଫାର୍ମକୁ ଯାଉଥିଲେ କିମ୍ବା ଚାଲାଣ ପଛରେ ଅନ୍ୟ କ’ଣ ଉଦ୍ଦେଶ୍ୟ ଥିଲା? ଗୋ-ଚାଲାଣ ପାଇଁ ବୁକିଂ ହୋଇଥିଲା କି ନାହିଁ ରେଲେଓ୍ୱ ପୋଲିସ୍ ତଦନ୍ତ କରୁଛି।