ଅବିନାଶ ମୃତ୍ୟୁ ପରେ ମ୍ରିୟମାଣ ହୋଇ ତାଙ୍କ ମାଆବାପା ଆତ୍ମହତ୍ୟା କରିବା ଘଟଣାକୁ ନେଇ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଫେ।ନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେପଟେ କେଜ୍ରିୱାଲ ଏହି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଏହି ଘଟଣା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରୀୱାଲ ଆଜି ଦିଲ୍ଲୀର ବିଭିନ୍ନ ହସ୍ପିଟାଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅନ୍ୟପକ୍ଷରେ ଘଟଣାର ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର। ପୂର୍ବରୁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡାଙ୍କୁ ଭେଟି ଏ ସମ୍ପର୍କରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।
ଏଣେ ଅବିନାଶଙ୍କ ଶୋକରେ ସେ ପଢୁଥିବା ଦକ୍ଷିଣ ଦିଲ୍ଲୀର ହଜ୍ ଖାସସ୍ଥିତ ସହୋଦୟ ସ୍କୁଲକୁ ଆଜି ବନ୍ଦ କରାଯାଇଛି । ଏଠାରେ ପ୍ରଥମ ଶ୍ରେଣୀରେ ପଢୁଥିଲେ ଅବିନାଶ। ଭଲ ପାଠ ପଢ଼ିବା ସହିତ ମେଳାପି ଥିବାରୁ ସହପାଠୀ ଓ ଶିକ୍ଷକଙ୍କ ପ୍ରିୟପାତ୍ର ଥିଲେ ଅବିନାଶ୍। କ୍ଲାସ ଟିଚରଙ୍କ କହିବା ଅନୁଯାୟୀ, ଅବିନାଶ ଅଧିକାଂଶ ସମୟରେ କ୍ଲାସ ପରୀକ୍ଷାରେ ଫୁଲ ମାର୍କ ରଖୁଥିଲେ। ପାଠପଢ଼ା, ଚିତ୍ରାଙ୍କନ, ବକ୍ତୃତା ସବୁଥିରେ ବେଶ୍ ଆଗରେ ରହୁଥିଲେ ସେ। କେବେ କୌଣସି ବିଷୟରେ ତାଙ୍କର ଅଭିଯୋଗ ନ ଥିଲା। ଗତମାସରେ ହୋଇଥିବା ବକ୍ତୃତା ପ୍ରତିଯୋଗିତାରେ ‘ମୋ ପରିବାର’ ଉପରେ କହି ତୃତୀୟ ସ୍ଥାନ ହାସଲ କରିଥିଲେ । ଏବେ ତାଙ୍କ ବିୟୋଗରେ ସାରା ସ୍କୁଲରେ ଶୋକର ଛାୟା।
ସେପଟେ ଏହି ଘଟଣାରେ ନୂଆଦିଲ୍ଲୀରେ ଅବସ୍ଥାପିତ ଆବାସିକ କମିଶନର ସୁନୀଲ ଭାର୍ଗବ ପ୍ରତିକ୍ରିୟା ରଖିଛନ୍ତି। ସେ ଘଟଣାକୁ ଅତ୍ୟନ୍ତ ଦୁଃଖଦ ବୋଲି କହିବା ସହ ଏ ସମ୍ପର୍କରେ ଜାଣିବା ପରେ ମୃତକଙ୍କ ପରିବାର ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ବୋଲି କହିଛନ୍ତି।