ଭୁବନେଶ୍ୱର: ଦିଲ୍ଲୀରେ ଡେଙ୍ଗୁରେ ୭ବର୍ଷର ପୁଅର ମୃତ୍ୟୁ ପରେ ଓଡିଆ ଦଂପତ୍ତିଙ୍କ ଆତ୍ମହତ୍ୟା ଘଟଣାର ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ପାଇଁ ମଙ୍ଗଳବାର ଦିଲ୍ଳୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଘଟଣାର ରିପୋର୍ଟ ଦାଖଲ ପାଇଁ କେନ୍ଦ୍ର ସରକାର ଦିଲ୍ଲୀ ସରକାରକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଶିଶୁଟିକୁ ଚିକିତ୍ସା ପାଇଁ ଗ୍ରହଣ କରିନଥିବା ଦିଲ୍ଲୀର ୫ଟି ମେଡିକାଲକୁ ଦିଲ୍ଲୀ ସରକାର ନୋଟିସ୍ ଜାରି କରିଥିଲେ। ଗତକାଲି ଏହି ଘଟଣା ସଂପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡାଙ୍କୁ ଭେଟି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଆଲୋଚନା କରି ଏକ ଦାବି ପତ୍ର ପ୍ରଦାନ କରିଥିଲେ।
ସୂଚନାଯୋଗ୍ୟ ଯେ, ଓଡିଆ ଦମ୍ପତି ଲକ୍ଷ୍ମଣ ଚନ୍ଦ୍ର ରାଉଳ (୩୫) ଏବଂ ତାଙ୍କ ପତ୍ନୀ ବବିତା (୩୦)ଙ୍କର ଏକମାତ୍ର ପୁଅ ଅଭିନାଶ (୭) ଡେଙ୍ଗୁ ଆକ୍ରାନ୍ତ ହୋଇ ଗତ ୮ ତାରିଖରେ ମୃତ୍ୟୁବରଣ କରିଥିଲା । ଚିକିତ୍ସା ଅବହେଳାରୁ ଅଭିନାଶର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା । ଏକମାତ୍ର ପୁଅର ମୃତ୍ୟୁରେ ମ୍ରିୟମାଣ ଲକ୍ଷ୍ମଣ ଏବଂ ବବିତା ପରଦିନ ଅର୍ଥାତ ୯ ତାରିଖରେ ନିଜ ଲାଡୋସରାଇ ବାସଭବନରେ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ ।