ଡେଙ୍ଗୁ ସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ: ୭୦ ପ୍ରତିଶତ ଆକ୍ରାନ୍ତ ହୋଇ ରାଜ୍ୟ ବାହାରୁ ଆସିଛନ୍ତି

ଭୁବନେଶ୍ୱର: ରାଜ୍ୟରେ ଏଯାଏଁ ୪୮୧ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ଡେଙ୍ଗୁରେ ଆକ୍ରାନ୍ତ ହୋଇ ରାଜ୍ୟ ବାହାରୁ ଆସିଛନ୍ତି। ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ସମୀକ୍ଷା କରିବା ପରେ ଶନିବାର ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ରାଜ୍ୟର ବିଭିନ୍ନ ହସପିଟାଲରେ ଏବେ ୮୩ ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି। କଟକ ଏସସିବି ମେଡିକାଲରେ ୬୫ ଜଣ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ […]

dengu

Rakesh Mallick
  • Published: Saturday, 19 September 2015
  • , Updated: 19 September 2015, 10:36 AM IST

ଭୁବନେଶ୍ୱର: ରାଜ୍ୟରେ ଏଯାଏଁ ୪୮୧ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ଡେଙ୍ଗୁରେ ଆକ୍ରାନ୍ତ ହୋଇ ରାଜ୍ୟ ବାହାରୁ ଆସିଛନ୍ତି। ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ସମୀକ୍ଷା କରିବା ପରେ ଶନିବାର ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।

ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ରାଜ୍ୟର ବିଭିନ୍ନ ହସପିଟାଲରେ ଏବେ ୮୩ ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି। କଟକ ଏସସିବି ମେଡିକାଲରେ ୬୫ ଜଣ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଆଇସିୟୁରେ ରଖାଯାଇଛି। ସେହିପରି ବୁର୍ଲାର ଭିଏସଏସ ମେଡିକାଲ କଲେଜରେ ୧୪ ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସପିଟାଲରେ ୨ ଜଣ ଲେଖାଏଁ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି।

ସେ କହିଛନ୍ତି, ରାଜ୍ୟରେ ଡେଙ୍ଗୁରେ ଆକ୍ରାନ୍ତ ଅଧିକାଂଶ ରୋଗୀ ରାଜ୍ୟ ବାହାରୁ ଏଥିରେ ଆକ୍ରାନ୍ତ ହୋଇଆସିଛନ୍ତି। ଏହି ଡେଙ୍ଗୁ ରୋଗୀମାନଙ୍କ ମଧ୍ୟରୁ ଅଧିକାଂଶ ଦିଲ୍ଲୀ, ମୁମ୍ବାଇ, ସୁରଟ ଆଦି ସ୍ଥାନରୁ ଆକ୍ରାନ୍ତ ହୋଇ ଆସିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ରାଜ୍ୟର ତିନିଟି ବଡ଼ ମେଡିକାଲ ସହିତ ଭୁବନେଶ୍ୱରରେ ଥିବା କ୍ୟାପିଟାଲ୍ ହସପିଟାଲରେ ଡେଙ୍ଗୁ ରୋଗୀଙ୍କୁ ମାଗଣାରେ ପ୍ଲେଟଲେଟ୍ ଯୋଗାଇ ଦିଆଯାଇଛି। ରାଜ୍ୟ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡେଙ୍ଗୁ ରୋଗୀମାନଙ୍କର ମାଗଣା ରକ୍ତ ପରୀକ୍ଷା କରାଯାଉଛି। କଟକ ଏସସିବି ମେଡିକାଲରେ ୨୦୦ଟି ବେଡକୁ ଡେଙ୍ଗୁ ରୋଗୀମାନଙ୍କ ପାଇଁ ସଂରକ୍ଷିତ କରି ରଖାଯାଇଛି। ଏଠାକୁ ଅଧିକାଂଶ ଡେଙ୍ଗୁ ରୋଗୀ ଚିକିତ୍ସିତ ହେବାକୁ ଆସୁଥିବାରୁ ଏଭଳି ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ଏଠାରେ ଡେଙ୍ଗୁ ରୋଗୀମାନଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡର ବ୍ୟବସ୍ଥା କରାଯାଇଛି।ଚଳିତ ବର୍ଷ ୧୯୦ ଜଣ ଡେଙ୍ଗୁ ରୋଗୀ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୨୫ ଜଣ ଚିକିତ୍ସିତ ହୋଇ ଫେରି ଗଲେଣି।

ଆଜି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ସଚିବ ଆରତି ଆହୁଜା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଗତକାଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର କୈଳାସ ଦାସ କହିଥିଲେ ଯେ ରାଜ୍ୟରେ ଡେଙ୍ଗୁରେ ଜଣଙ୍କ ମୃତ୍ୟୁ ଘଟିଛି। ୪୬୮ ଜଣ ଆକ୍ରାନ୍ତ ହୋଇଛନ୍ତି। ଡେଙ୍ଗୁରେ ସବୁଠୁ ଅଧିକ ଆକ୍ରାନ୍ତ ହୋଇଛି ଭଦ୍ରକ ଜିଲ୍ଲାରେ।

ସୂଚନାଯୋଗ୍ୟ, ଡେଙ୍ଗୁ ସଂପର୍କରେ ସୂଚନା ଦେବା ପାଇଁ ସରକାର ଏକ ହେଲ୍ପ ଲାଇନ୍ ନମ୍ବର ଖୋଲିଛନ୍ତି। ଏହି ନମ୍ବରଟି ହେଉଛି-୦୬୭୪-୨୩୯୦୪୬୬।

Related story