ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଥଯାତ୍ରା ସମୟରେ ମହାପ୍ରଭୁ ଜଗନ୍ନାଥଙ୍କୁ ପହଣ୍ଡିରେ ନିଆଯିବାର ଦୃଶ୍ୟ ବିମୋହିତ କରେ ଦର୍ଶକ ଓ ଭକ୍ତଙ୍କୁ। ସାରା ବିଶ୍ୱର ଗୋଟିଏ ମାତ୍ର ହିନ୍ଦୁ ମନ୍ଦିର ଯେଉଁଠି ମୂଳ ବିଗ୍ରହଙ୍କୁ ବିପୁଳ ଶ୍ରଦ୍ଧାର ସହ ଏମିତି ବାହାରକୁ ଆଣି ଯାତ୍ରା ଉତ୍ସବ କରାଯାଇଥାଏ। କେବେ ଭାବିଛନ୍ତି, ପହଣ୍ଡି କେମିତି ହୁଏ ? କାହିଁକି ବନ୍ଧା ହୋଇ ଛେଚା କଚା ଖାଇ ଠାକୁରମାନଙ୍କୁ ଏମିତି ରଥାରୁଢ଼ କରାଯାଏ?
ଆସନ୍ତୁ ଜାଣିବା ସେ ସମ୍ପର୍କରେ। ଜଗନ୍ନାଥାଦି ଦାରୁ ବିଗ୍ରହଙ୍କୁ ପହଣ୍ଡି ସମୟରେ ସେନାପଟାରେ ବାନ୍ଧି ଦିଆଯାଇ ପହଣ୍ଡି କରାଯାଏ। ଆଉ ଏହି ସେନାପଟା ତିଆରି ହୋଇଥାଏ ବଉଳ କାଠରେ। ସେନାପଟା ଶବ୍ଦଟି ‘ସେନ୍ହା’ ଶବ୍ଦରୁ ଆସିଛି। ଯାହାର ପ୍ରକୃତ ଅର୍ଥ ହେଉଛି ସାଞ୍ଜୁ ବା ଯୁଦ୍ଧ ସମୟରେ ଦେହକୁ ସୁରକ୍ଷା ଦେଉଥିବା କବଚ। ପହଣ୍ଡି ସମୟରେ ଯେପରି ବିଗ୍ରହଙ୍କୁ କୌଣସି ଆଘାତ ନ ଲାଗେ ସେଥିପାଇଁ ଏଭଳି ବ୍ୟବସ୍ଥା କରାଯାଇଥିବା ଗବେଷଣା କୁହେ। ସେନାପଟା ଶ୍ରୀଅଙ୍ଗକୁ ସୁରକ୍ଷା ଦେଉଥିବା ବେଳେ ତମ୍ବାରେ ତିଆରି ବାହୁଟ କଣ୍ଟ ଶ୍ରୀଭୁଜକୁ ସୁରକ୍ଷା ଦେଇଥାଏ।
ହେଲେ ମହାପ୍ରଭୁଙ୍କୁ ବଉଳ କାଠରେ ତିଆରି ଏହି ସେନାପଟା ବାନ୍ଧିବା ପଛରେ ରୋଚକ ଲୋକକଥାଟିଏ ଲୁଚି ରହିଛି। ଯାହା ମହାପ୍ରଭୁଙ୍କ ଅଜାଘର ସହ ସମ୍ପର୍କିତ ବୋଲି ଲୋକେ କୁହନ୍ତି। କାହାଣୀଟି ହେଉଛି ଏମିତି- ଜଗନ୍ନାଥ, ବଳଭଦ୍ର ଦୁଇ ଭାଇ ପଣସ ଖାଇବାକୁ ଭାରି ଭଲପାଉଥିଲେ। ସାକ୍ଷୀଗୋପାଳରେ ଥିବା ବକୁଳ ବନ ପରିସରରେ ପ୍ରଚୁର ପଣସ ହୋଇଥିବାରୁ ଗୋଟିଏ ରାତିରେ ଦୁଇଭାଇ ପଣସ ଖାଇବାକୁ ତା ମଧ୍ୟକୁ ପଶିଲେ। ଏହି ସମୟରେ ତପସ୍ୟାରତ ସିଦ୍ଧ ବଳରାମ ଗୋସେଇଁ ଦୁଇ କଳାଗୋରା ବାଳକଙ୍କୁ ଦେଖି ପଣସ ଚୋରି କାହିଁକି କରୁଛ ବୋଲି ପଚାରିଥିଲେ ଓ ରାଗରେ ଏକ ବଉଳ ଗଛରେ ବାନ୍ଧି ଦେଇଥିଲେ। ହେଲେ ଦୁଇଭାଇ ବଳରାମ ଗୋସାଇଁଙ୍କୁ ଅଜା ବୋଲି ସମ୍ବୋଧନ କରି ତାଙ୍କ ମୁଣ୍ଡରେ ହାତ ରଖି ପଣସ ଚୋରି କରି ନାହାନ୍ତି ବୋଲି କହିଥିଲେ। ଏଣେ ପଣସ ଅଠା ବଳରାମ ଗୋସାଇଁଙ୍କ ମୁଣ୍ଡରେ ଲାଗିଥିବାରୁ ସେ ରାଜାଙ୍କ ଦ୍ୱାରା ଦଣ୍ଡିତ ହୋଇଥିଲେ। ପରବର୍ତ୍ତୀ ସମୟରେ ମହାପ୍ରଭୁ ଗଜପତିଙ୍କୁ ସ୍ୱପ୍ନାଦେଶ କରି ବଳରାମ ନିର୍ଦ୍ଦୋଷ ଓ ନିଜେ ଦୁଇ ଭାଇ ବାଳକ ବେଶରେ ପଣସ ଖାଇଥିବା ସ୍ୱୀକାର କରିଥିଲେ।
ଏହି କାହାଣୀର ସ୍ମାରକୀ ସ୍ୱରୂପ ଆଜି ମଧ୍ୟ ସାକ୍ଷୀଗୋପାଳ ବକୁଳବନରେ ଥିବା ସିଦ୍ଧ ବଳଦେବଙ୍କ ପୀଠରୁ ବଉଳ କାଠ ଆସି ପହଣ୍ଡି ପୂର୍ବରୁ ସେନାପଟା ଭାବେ ପ୍ରସ୍ତୁତ ହୋଇଥାଏ। ନିଜ ତ୍ରୁଟି ପାଇଁ ମହାପ୍ରଭୁ ମଧ୍ୟ ପ୍ରତିବର୍ଷ ଏହି ବଉଳ କାଠରେ ପ୍ରସ୍ତୁତ ସେନାପଟାରେ ବନ୍ଧା ହୋଇ ଭକ୍ତଙ୍କ ଭିତରେ ଦଣ୍ଡିତ ହେଉଥିବା ଦର୍ଶାନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି।