ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କୁ ବିରୋଧ କରି ଆଜି କଂଗ୍ରେସ ଓ ବିଜେପି ପକ୍ଷରୁ ବନ୍ଦ ପାଳନ ହେଉଥିଲା। ତେଣୁ ନେତାମାନଙ୍କୁ କଡ଼ା ସୁରକ୍ଷା ଦିଆଯାଇଥିଲା ସଚିବାଳୟ ଆସିବାକୁ। ତେବେ ହାଲି ହାଲି ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଥିବା ନବୀନ ପଟ୍ଟନାୟକଙ୍କ କଡ଼ା ସୁରକ୍ଷା ବଳୟରେ ସଚିବାଳୟରୁ ଫେରୁଥିବା ବେଳେ, ତାଙ୍କ କାର୍କେଡ୍ ଭିତରକୁ ଏକ ଷଣ୍ଢ ପଶି ଆସିଥିଲା। ଦୃଶ୍ୟଟି ସାଧାରଣ ଲୋକଙ୍କୁ ଚମତ୍କୃତ କରିଦେଇଥିଲା। କି ସାହସ ସେ ଷଣ୍ଢର? ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଆଗକୁ ଚାଲି ଆସିଲା ! ତେବେ ଏହି ଘଟଣା ପରେ ଷଣ୍ଢଟିକୁ ନେଇ ନାନା କଥା ଚର୍ଚ୍ଚା ଚାଲିଛି। ସେ ବିଷୟରେ ଗୋଟିଏ ପରେ ଗୋଟିଏ ପଢ଼ନ୍ତୁ, ଏହା ଆପଣଙ୍କୁ ନିଶ୍ଚୟ ଆମୋଦିତ କରିବ। ତେବେ ଲେଖାଟିକୁ କେବଳ ଆମୋଦ ପାଇଁ ପାଠକେ ପଢ଼ିବାକୁ ଅନୁରୋଧ। ଏହା ପଛର ସତ୍ୟତା ନ ଖୋଜିଲେ ଭଲ।
ଚର୍ଚ୍ଚା ନଂ-୧: ଦର୍ଶକେ ଓ ଭୋଟର କହୁଛନ୍ତି, ଯାହା କଂଗ୍ରେସ ଓ ବିଜେପି କର୍ମୀ କରିପାରିଲେ ନାହିଁ, ତାହା ମହାଦେବଙ୍କ ବାହନ କରିଦେଖାଇଲେ। କଥାଟା ବି ଭୁଲ୍ ନୁହେଁ। ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ପରେ ସୁରକ୍ଷା ଏବେ କଡ଼ା। ତେଣୁ କଂଗ୍ରେସ ଓ ବିଜେପି ବାଲାଏ ଫେଲ୍। କିନ୍ତୁ ଷଣ୍ଢ କରି ଦେଖାଇଲା ସେମାନଙ୍କ କାମ।
ଚର୍ଚ୍ଚା ନଂ-୨: କିଏ କିଏ କହିଲେଣି ଯେ, ଷଣ୍ଢଟି ସାମାନ୍ୟ ଷଣ୍ଢ ନୁହେଁ। ଏହା ନିଶ୍ଚିତ ଭାବରେ କୌଣସି ରାଜନୈତିକ ଦଳର। ଏବେ ଖୋଜା ଚାଲିଛି, ଷଣ୍ଢଟି କଂଗ୍ରେସର ନା ବିଜେପିର କର୍ମୀ।
ଚର୍ଚ୍ଚା ନଂ-୩: କିଏ କିଏ କହୁଛନ୍ତି, ବାସ୍ତବରେ ଷଣ୍ଢଟି ଏକ ସୁଧାର ଷଣ୍ଢ। ସେ ମୁଖ୍ୟମନ୍ତ୍ରୀଙ୍କୁ ଖୁବ୍ ଭଲ ପାଏ ଓ ସମ୍ମାନ କରେ। ନିକଟରେ ନବୀନ ବାବୁ ଆଦର୍ଶ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିଥିବାରୁ ଷଣ୍ଢଟି କାଳେ ତାଙ୍କୁ ଅଭିନନ୍ଦନ ଜଣେଇବାକୁ ଆସିଥିଲା। ଆହାଃ କେଡ଼େ କଥା ଦେଖିଲେ! ସମସ୍ତେ ନବୀନଙ୍କୁ ତାଙ୍କ ସଫଳତା ପାଇଁ ଫୁଲତୋଡ଼ା ଦେଲେ, ଷଣ୍ଢ ବା କାହିଁକି ଦେବନି। ସେ ତ ନବୀନ ନିବାସ ଭିତରକୁ ଯାଇ ପାରୁନି।
ଚର୍ଚ୍ଚା ନଂ-୪: କିଏ କିଏ କହୁଛନ୍ତି, ନବୀନ ବାବୁ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇଥିବାରୁ ତାଙ୍କୁ ରାଜ୍ୟବାସୀ ଶୁଭେଚ୍ଛା ଜଣେଇଲେ। ଏବେ ଷଣ୍ଢଟି ତାଙ୍କ ଗାଡ଼ି ଆଗକୁ ଚାଲିଆସି ପାରିଥିବାରୁ, ତାକୁ ମଧ୍ୟ ରାଜ୍ୟ ସରକାର ଆଦର୍ଶ ଷଣ୍ଢ ଉପାଧି ଦିଅନ୍ତୁ। ପ୍ରସ୍ତାବଟା ଅବଶ୍ୟ ମନ୍ଦ ନୁହେଁ।
ଚର୍ଚ୍ଚା ନଂ-୫: କିଏ କିଏ କହୁଛନ୍ତି ଯେ, ରାଜଧାନୀରେ ଟ୍ରାଫିକ୍ ପୋଲିସ୍ର ପାୱାର ଷଣ୍ଢଠୁ ବି କମ୍। ଅବଶ୍ୟ ଏହା ସ୍ପଷ୍ଟ ହୋଇଗଲା। ଭୁବନେଶ୍ୱର ରାସ୍ତାରେ ଯେଉଁଠି ଦେଖିବ ଗାଈ ଗୋରୁ ପଲପଲ। ତେବେ ଗାଈ ଗୋରୁମାନେ ନିଜର ଶକ୍ତି ପ୍ରଦର୍ଶନକୁ ଜୋର୍ଦାର୍ କରିବାକୁ ଯାଇ ଏହି ସାହସୀ ଷଣ୍ଢଟିକୁ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଆଗକୁ ଅଡ଼େଇ ଦେଇଥିଲେ। ରାମ୍ ରାମ୍, କି ଯୁଗ ଆସିଲା ହେ।
ଚର୍ଚ୍ଚା ନଂ-୬: ଜଣେ ସାମ୍ବାଦିକ ଭକ୍ତ ଆଉ ଏକ ଚାଞ୍ଚଲ୍ୟକର ଖବର ଦେଇ କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍ ଭିତରେ ଷଣ୍ଢ ପୂରେଇଥିବା ମାନ୍ୟବର ଷଣ୍ଢଟି କାଳେ ଜଣେ ଡାକ୍ତର। ସେ ରାସ୍ତା ପାର ହୋଇ ୬ ନମ୍ବର ମେଡିକାଲ ଯାଉଥିଲେ।
ଚର୍ଚ୍ଚା ନଂ-୭: ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ହେଲା, ଷଣ୍ଢଟି ବାସ୍ତବରେ ଖୁବ୍ ସୁଧାର। ସେ ତା’ର ଚୁପ୍ ଚାପ୍ ରାସ୍ତାକଡ଼ରେ ଯାଉଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅତ୍ୟଧିକ ଆନୁଗତ୍ୟ ପ୍ରଦର୍ଶନ କରିବାକୁ ଚାହୁଁଥିବା ଜଣେ ଟ୍ରାଫିକ୍ ପୋଲିସ୍ କାଳେ ଷଣ୍ଢଟିକୁ ‘ଆ ହା ଚୁ ଚୁ’ କରି କଣ୍ଟ୍ରୋଲ୍ କରିବାକୁ ଚାହିଁବାରୁ, ଏହା ତରକି ଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍ ଭିତରେ ପ୍ରବେଶ କରିଥିଲା।
ଚର୍ଚ୍ଚା ନଂ-୮: ବାସ୍ତବରେ ଷଣ୍ଢଟି ଖୁବ୍ ଶାନ୍ତ ପ୍ରକୃତିର। କିନ୍ତୁ ତାହା ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍ ସାଇରନ୍ ଶୁଣି ତରକି ଯାଇଥିଲା। ଆଉ ଷଣ୍ଢଟିଏ ତରକି ଗଲେ, ସେ ବା କାହିଁକି ଜାଣିବ ଯେ, ସାଧାରଣ କାର୍ କୋଉଟା ଆଉ ମୁଖ୍ୟମନ୍ତ୍ରୀଙ୍କ କାର୍ କୋଉଟା।
ଚର୍ଚ୍ଚା ନଂ-୯: ଆଉ ଏକ କଥା ଶୁଣିବାକୁ ମିଳିଲା ଯେ, ବାସ୍ତବରେ ଷଣ୍ଢଟି କାଳେ ରାଜ୍ୟବାସୀଙ୍କୁ ସନ୍ଦେଶ ଦେଲା ଯେ, ବାବୁ ନବୀନ, ଆପଣେ ଗତ ୨୦ ବର୍ଷ ଧରି ଓଡ଼ିଶାର ଷଣ୍ଢ ବୋଲାଉଛନ୍ତି। କିନ୍ତୁ ବାସ୍ତବରେ ଏ ରାଜ୍ୟର ଷଣ୍ଢ ହେଲୁ ଆମେ।
ଚର୍ଚ୍ଚା ନଂ-୧୦: ତେବେ ସେହି ନିର୍ଦ୍ଦିଷ୍ଟ ଷଣ୍ଢ ବିଷୟରେ ସର୍ବଶେଷ ଖବରଟି ହେଲା, ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଆଗକୁ ଚାଲିଯିବାରେ ସଫଳ ହୋଇଥିବାରୁ ଏହା କାଳେ ଆଜି ସଂଧ୍ୟାରେ ବୋତଲ୍ ଖୋଲି ସେଲିବ୍ରେସନ୍ରେ ମାତିଛି। ସେ ଏବେ ତା ବିରାଦରିରେ ସେଲିବ୍ରିଟି ପାଲଟି ଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।