ଡ୍ରୋନ ଉଡ଼ାଣ ଉପରେ ଲାଗିବ କଟକଣା

ଭୁବନେଶ୍ୱର: ଡ୍ରୋନ୍‌ ବା ଅନ୍‌ମ୍ୟାନଡ୍‌ ଏୟାରକ୍ରାଫ୍ଟ ସିଷ୍ଟମ ଉଡ଼ାଣ ଉପରେ ଲାଗିବ କଟକଣା। କଟକଣା ପରେ ଆଉ ମନଇଚ୍ଛା ଡ୍ରୋନ ଉଡାଇ ହେବ ନାହିଁ। ଅନୌପଚାରିକ ଭାବେ ସରକାର ଏହା ଉପରେ କଟକଣା ଲଗାଇ ଥିବା ବେଳେ ଡ୍ରୋନ୍‌ ଉଡାଣ ନେଇ ଗାଇଡ଼ଲାଇନ ପ୍ରସ୍ତୁତ କରୁଥିବା ଜଣାପଡିଛି। ଇଣ୍ଟରନ୍ୟାସନାଲ ସିଭିଲ ଆଭିଏସନ୍‌ ଅର୍ଗାନାଇଜେସନ ଗାଇଡଲାଇନ ଅନୁସାରେ ଡ୍ରୋନ୍‌ କ୍ୟାମେରା ଉଡ଼ାଣ ନୀତି ପ୍ରସ୍ତୁତ ହେବ। ଡ୍ରୋନ କ୍ୟାମେରା ଉଡାଣ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନ ଥିବାରୁ ଏହାର […]

drone

Rakesh Mallick
  • Published: Sunday, 16 October 2016
  • , Updated: 16 October 2016, 09:11 PM IST

ଭୁବନେଶ୍ୱର: ଡ୍ରୋନ୍‌ ବା ଅନ୍‌ମ୍ୟାନଡ୍‌ ଏୟାରକ୍ରାଫ୍ଟ ସିଷ୍ଟମ ଉଡ଼ାଣ ଉପରେ ଲାଗିବ କଟକଣା। କଟକଣା ପରେ ଆଉ ମନଇଚ୍ଛା ଡ୍ରୋନ ଉଡାଇ ହେବ ନାହିଁ। ଅନୌପଚାରିକ ଭାବେ ସରକାର ଏହା ଉପରେ କଟକଣା ଲଗାଇ ଥିବା ବେଳେ ଡ୍ରୋନ୍‌ ଉଡାଣ ନେଇ ଗାଇଡ଼ଲାଇନ ପ୍ରସ୍ତୁତ କରୁଥିବା ଜଣାପଡିଛି। ଇଣ୍ଟରନ୍ୟାସନାଲ ସିଭିଲ ଆଭିଏସନ୍‌ ଅର୍ଗାନାଇଜେସନ ଗାଇଡଲାଇନ ଅନୁସାରେ ଡ୍ରୋନ୍‌ କ୍ୟାମେରା ଉଡ଼ାଣ ନୀତି ପ୍ରସ୍ତୁତ ହେବ।

ଡ୍ରୋନ କ୍ୟାମେରା ଉଡାଣ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନ ଥିବାରୁ ଏହାର ବହୁ ଅପବ୍ୟବହାର କରାଯାଉଛି। ଶ୍ରୀମନ୍ଦିର ଉପରେ ଦୁଇ ଥର ଡ୍ରୋନ୍‌ ଉଡିବା ଓ ଡ୍ରୋନ ଦ୍ୱାରା କୋଣାର୍କ ମନ୍ଦିରର ଫଟୋ ଉଠାଯିବାକୁ ନେଇ ସାରା ରାଜ୍ୟରେ ହୋହାଲ୍ଲା ହୋଇଥିଲା। ସେତେବେଳେ ଏହି ଦୁଇ ଐତିହାସିକ କ୍ଷେତ୍ରର ସୁରକ୍ଷା ନେଇ ପ୍ରଶ୍ନ ଉଠିଥିଲା। କିଏ, କେଉଁଠି ଓ କେଉଁ ଉଦ୍ଦେଶ୍ୟରେ ଡ୍ରୋନ ବ୍ୟବହାର କରୁଛନ୍ତି ତା’ର କିଛି ନିର୍ଦ୍ଦିଷ୍ଟ ନିୟମ ନ ଥିବାରୁ ପୁରୀ ଓ କୋଣାର୍କ ମନ୍ଦିର ପରି ସ୍ଥାନର ମଧ୍ୟ ଫଟୋ ଉଠାଇ ନିଆଗଲା।

ସେହିପରି ବାର୍ଡ ହିଟ୍‌ ପରି ଡ୍ରୋନ୍‌ ମଧ୍ୟ ବିମାନ ପାଇଁ ବିପଦ। ଅଭିଜ୍ଞ ପାଇଲଟମାନେ ମଧ୍ୟ ଡ୍ରୋନ୍‌କୁ ନେଇ ଏପରି ଆଶଙ୍କା ବ୍ୟକ୍ତ କରିଛନ୍ତି। କମର୍ସିଆଲ ପାଇଲଟ୍‌ କ୍ୟାପଟେନ୍‌ ରାଜ ନାରାୟଣ ମହାପାତ୍ର କହିଛନ୍ତି,“ଯଦି ଡ୍ରୋନ ଉଡୁଛି ଓ ଏହା ପାଇଲଟ୍‌ ଜାଣିନାହିଁ ତେବେ ବିମାନ ଦୁର୍ଘଟଣା ହେବାର ବହୁ ସମ୍ଭାବନା ରହିଛି। ୨ରୁ ୩ ମାସ ମଧ୍ୟରେ ଏହା ଉପରେ ନିୟମ ହେବାକୁ ଯାଉଛି। ଯେଉଁମାନେ ଡ୍ରୋନ୍‌ ବ୍ୟବହାର କରିବେ ସେମାନଙ୍କୁ ରେଜିଷ୍ଟ୍ରେସନ କରିବାକୁ ପଡିବ। ସେମାନଙ୍କୁ ଲାଇସେନ୍ସ ନେବାକୁ ପଡିବ। ଏହାସହ ଏଟିସିଠାରୁ ସେମାନେ ଡ୍ରୋନ୍‌ ଉଡାଣ ପାଇଁ ଅନୁମତି ନେବେ। ଏଟିସିର ଜ୍ଞାତସାରରେ ଡ୍ରୋନ୍‌ ଉଡାଇ ପାରିବେ।”

ଡ୍ରୋନ ଦ୍ୱାରା ବହୁ ଲାଭ ହେଉଥିଲେ ମଧ୍ୟ ଏହାର ଅପବ୍ୟବହାର ହେବା ଆଶଙ୍କା ପ୍ରକାଶ ପାଇଛି। କିଛିଦିନ ପୂର୍ବେ ଶିମିଳିପାଳରେ ମରି ପଡିଥିବା ଏକ ହାତୀକୁ ଠାବ କରିବାକୁ ବନ ବିଭାଗ ପ୍ରଥମ ଥର ପାଇଁ ଡ୍ରୋନ୍‌ କ୍ୟାମେରା ବ୍ୟବହାର କରିଥିଲା। ରାସ୍ତାଘାଟ ଠାରୁ ଆରମ୍ଭ କରି ପୋଲ ନିର୍ମାଣ, ଟ୍ରାଫିକ୍‌ ସମସ୍ୟାର ସମାଧାନ ଭଳି ବିଭିନ୍ନ କାମରେ ଡ୍ରୋନ କ୍ୟାମେରା ବ୍ୟବହାର କରାଯାଉଛି। ଏହାଦ୍ୱାରା କମ୍‌ ସମୟରେ ଜଟିଳ ସମସ୍ୟାର ସମାଧାନ ସହ ଧନଜୀବନକୁ ମଧ୍ୟ ସୁରକ୍ଷା ଦିଆଯାଇପାରୁଛି।

ୱାଲ୍ଡ ଲାଇଫ ଟ୍ରଷ୍ଟ ଅଫ୍‌ ଇଣ୍ଡିଆର ଷ୍ଟେଟ୍‌ ଫାସିଲିଟେଟର ରୁଦ୍ରପ୍ରସନ୍ନ ମହାପାତ୍ର କହିଛନ୍ତି,“ଜଙ୍ଗଲରେ କମ୍‌ କର୍ମଚାରୀରେ ସର୍ଭେ କରିବା ବହୁତ କଷ୍ଟ। ଏପରିସ୍ଥିତିରେ ଡ୍ରୋନ୍‌ କ୍ୟାମେରା ବ୍ୟବହାର ବହୁତ ଉପଯୋଗୀ ହେବ। କୌଣସି ସ୍ଥାନରେ ବନ୍ୟ ଜନ୍ତୁ ଫସିବା ଓ ବନ୍ୟା ସ୍ଥିତି ଜାଣିବାରେ ଏହା ବହୁତ ସହାୟକ ହେବ। ଜଙ୍ଗଲରେ ହେଲିକପ୍ଟର ବ୍ୟବହାର କରାଯାଇ ପାରିବ ନାହିଁ। ପ୍ରାଥମିକ ତଥ୍ୟ ହାସଲ ପାଇଁ ଏହାର ବ୍ୟବହାର କରାଯାଇପାରିବ।”

ଡ୍ରୋନ୍‌ ବ୍ୟବହାରକାରୀ ସରୋଜ ମହାନ୍ତି କହିଛନ୍ତି,“ଯେଉଁ ଯାଗାକୁ ଯାଇ ହେଉନାହିଁ ସେଠାରେ ଆମେ ଡ୍ରୋନ୍‌ର ବ୍ୟବହାର କରୁଛୁ। ବିଶେଷ କରି ଫିଲ୍ମରେ ଟପ୍‌ ସଟ୍‌ ନେବାକୁ ଏହାକୁ ବ୍ୟବହାର କରୁଛୁ। ଡ୍ରୋନ୍‌ ବ୍ୟବହାରରେ କିଛି ବିପଦ ନାହିଁ।”

Related story