ମାଲକାନଗିରିରେ କେବଳ ଏନ୍‌ସେଫାଲାଇଟିସ୍‌ରେ ଶିଶୁ ମୃତ୍ୟୁ ହେଉ ନାହିଁ: ଧର୍ମେନ୍ଦ୍ର

ମାଲକାନଗିରି:  ମାଲକାନଗିରିରେ କେବଳ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଶିଶୁଙ୍କ ମୃତ୍ୟୁ ହେଉ ନାହିଁ। ଜିଲ୍ଲାରେ ଶିଶୁ ମୃତ୍ୟୁ ଅନ୍ୟାନ୍ୟ କାରଣରୁ ବି ହେଉଛି। ଅପପୁଷ୍ଟି, ଡେଙ୍ଗୁ ଓ ମ୍ୟାଲେରିଆ ଯୋଗୁଁ ବି ଏଠାରେ ଶିଶୁଙ୍କ ମୃତ୍ୟୁ ଘଟୁଛି। ଆଜି ଦିନିକିଆ ମାଲକାନଗିରି ଗସ୍ତରେ ଆସିଥିବା ଅବସରରେ ଏହି କଥା କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ଅନ୍ୟ ଦୁଇ […]

dharmendra-1

Rakesh Mallick
  • Published: Monday, 14 November 2016
  • , Updated: 14 November 2016, 08:22 PM IST

ମାଲକାନଗିରି:  ମାଲକାନଗିରିରେ କେବଳ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଶିଶୁଙ୍କ ମୃତ୍ୟୁ ହେଉ ନାହିଁ। ଜିଲ୍ଲାରେ ଶିଶୁ ମୃତ୍ୟୁ ଅନ୍ୟାନ୍ୟ କାରଣରୁ ବି ହେଉଛି। ଅପପୁଷ୍ଟି, ଡେଙ୍ଗୁ ଓ ମ୍ୟାଲେରିଆ ଯୋଗୁଁ ବି ଏଠାରେ ଶିଶୁଙ୍କ ମୃତ୍ୟୁ ଘଟୁଛି। ଆଜି ଦିନିକିଆ ମାଲକାନଗିରି ଗସ୍ତରେ ଆସିଥିବା ଅବସରରେ ଏହି କଥା କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ଅନ୍ୟ ଦୁଇ ନେତାଙ୍କ ସହ ସେ ଆଜି ମାଲକାନଗିରିକୁ ଏନ୍‌ସେଫାଲାଇଟିସ୍‌ର ସ୍ଥିତି ସମୀକ୍ଷା କରିବାକୁ ଆସିଥିବା ଅବସରରେ ଏ କଥା କହିଛନ୍ତି।

ସେ କହିଛନ୍ତି,“ମାଲକାନଗିରିରେ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବଢ଼ାଇବା ପାଇଁ ନିରନ୍ତର ପ୍ରକ୍ରିୟାର ଆବଶ୍ୟକତା ରହିଛି। ଲୋକଙ୍କୁ ସ୍ୱାବଲମ୍ବୀ କରିବାର ଆବଶ୍ୟକ ରହିଛି। ଲୋକଙ୍କ ରୋଜଗାରକ୍ଷମ କରିବାର ଆବଶ୍ୟକତା ରହିଛି। ଭାରତ ସରକାର ରାଜ୍ୟ ସରକାରଙ୍କୁ ସବୁ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି। ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ କର୍ମୀ, ଗଣମାଧ୍ୟମ ଓ ସୁରକ୍ଷାକର୍ମୀ ସମସ୍ତଙ୍କୁ ନେଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାର ଆବଶ୍ୟକତା ରହିଛି ବୋଲି ମୁଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କହିଛି।”

ଜିଲ୍ଲା ପୋଲିସ୍ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୁରକ୍ଷା ଦେବାକୁ ମନା କରି ଦେବା ପରେ ବିଏସ୍‌ଏଫ୍‌ର ସୁରକ୍ଷା ବଳୟ ମଧ୍ୟରେ ସେ ଓ ଅନ୍ୟ ଚାରି ବିଜେପି ନେତା ଜାପାନିଜ୍ ଏନ୍‌ସଫାଲାଇଟିସ୍‌ ପ୍ରଭାବିତ ପାଲକୋଣ୍ଡା ଓ ଦରିଗୁଡ଼ା ଗାଁକୁ ଯାଇଥିଲେ। ସେମାନେ ମୃତ ଶିଶୁଙ୍କ ପରିବାର ଲୋକଙ୍କୁ ଭେଟିଥିଲେ। ଏହା ପରେ ଏହି ଟିମ୍ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇ ଏନ୍‌ସେଫାଲାଇଟିସ୍‌ରେ ପୀଡ଼ିତ ଶିଶୁମାନଙ୍କୁ ଦେଖିଥିଲା ଓ ସେମାନଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲା। ସେ ମାଲକାନଗିରିରେ ବୁଦ୍ଧିଜୀବୀ ଓ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ସଦସ୍ୟମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ।

ଟିମ୍‌ର ଅନ୍ୟତମ ସଦସ୍ୟ ତଥା ରାଜ୍ୟ ବିଜେପିର ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି,“ପାଲକୋଣ୍ଡା ଗାଁରେ ଆମେ ଏନ୍‌ସେଫାଲାଇଟିସ୍‌ରେ ପ୍ରାଣ ହରାଇଥିବା ୮ ଜଣ ଶିଶୁଙ୍କ ପରିବାର ଲୋକଙ୍କୁ ଭେଟିଲୁ। ସେହିପରି ଦରିଗୁଡ଼ା ଗାଁରେ ପ୍ରାଣ ହରାଇଥିବା ୩ ଜଣ ଶିଶୁଙ୍କ ପରିବାର ଲୋକଙ୍କୁ ଭେଟିଲୁ। କ୍ଷେତ୍ର ପରିଦର୍ଶନ ବେଳେ ଆମେ ଯାହା ଦେଖିଲୁ ଯୁବ ଡାକ୍ତର, ଆଶା ଓ ଅଙ୍ଗନୱାଡି କର୍ମୀମାନେ ସେମାନଙ୍କର ଦାୟିତ୍ୱ ଠିକ୍ ଭାବେ ତୁଲାଉଛନ୍ତି। କିନ୍ତୁ ରାଜ୍ୟ ସରକାର ସେମାନଙ୍କୁ ଠିକ୍ ନିର୍ଦ୍ଦେଶ ଦେବାରେ ବିଫଳ ହୋଇଛନ୍ତି। ଏନ୍‌ସେଫାଲାଇଟିସ୍ ରୋଗରେ ଏତେ ସଂଖ୍ୟକ ଶିଶୁଙ୍କ ମୃତ୍ୟୁ କେବଳ ରାଜ୍ୟ ସରକାରଙ୍କ ଅପରାଗତା ଯୋଗୁଁ ହୋଇଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିର ସ୍ଥିତି ସମୀକ୍ଷା ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କୁ ଦେବେ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ ପାଲକୋଣ୍ଡାରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉମେଶ ନାମକ ସେହି ବାଳକକୁ ଭେଟିଥିଲେ ଯିଏ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ପାଲକୋଣ୍ଡା ଯାଇ ଉମେଶଙ୍କୁ ଭେଟିବାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଧର୍ମେନ୍ଦ୍ରଙ୍କ ଅଭିଯୋଗର ଜବାବ ଦେଇଛି ବିଜେଡି। ବିଜେଡି ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି,“ଧର୍ମେନ୍ଦ୍ର ପ୍ରଧାନ ନିଜ ଦଳର ଲୋକଙ୍କୁ ଧରି ଯିବା ପରିବର୍ତ୍ତେ ଦିଲ୍ଲୀ କିମ୍ବା ବିଦେଶରୁ କିଛି ଭଲ ଡାକ୍ତରଙ୍କୁ ଧରି ଆସିଥିଲେ ଭଲ ହୋଇଥାନ୍ତି। ସେଠାରେ ଲୋକଙ୍କୁ ଯାହା କିଛି ସୁବିଧା ଯୋଗାଇ ଦିଆଯାଉଛି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ହିଁ କରୁଛି।”

ସୂଚନାଯୋଗ୍ୟ, ଆଜି ସୁଦ୍ଧା ମାଲକାନଗିରିରେ ଏନ୍‌ସେଫାଲାଇଟିସ୍‌ରେ ୧୦୮ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା।

Related story