ନୂଆଦିଲ୍ଲୀ: ଭାରତ ଭଳି ଏକ ହିନ୍ଦୁ ପ୍ରଧାନ ଭୂମିରେ ପ୍ରଭୁ ଶ୍ରୀରାମଙ୍କ ଅସ୍ତିତ୍ୱ ନେଇ କୌଣସି ପ୍ରଶ୍ନ ଉଠାଇବା ନିଶ୍ଚିତ ଭାବରେ ଏକ ପ୍ରକାର ଦୋଷ ବୋଲି ଧରାଯାଏ। ଏ ଦେଶରେ ସାମାଜିକ ଧର୍ମଧାରଣା ଦ୍ୱାରା ପଥର ବି ଠାକୁରର ମାନ୍ୟତା ପାଆନ୍ତି। ଆଉ ଯଦି ପ୍ରଭୁ ରାମଚନ୍ଦ୍ରଙ୍କ କଥା ଆସେ ତେବେ ତାଙ୍କୁ ଠାକୁର ନୁହେଁ ଭାରତୀୟମାନେ ତାଙ୍କରି ଭିତରର ଜଣେ ପୁରୁଷୋତ୍ତମ ବୋଲି ବିଚାର କରି ଆସିଛନ୍ତି। ତେଣୁ ତାଙ୍କ ଅସ୍ତିତ୍ୱକୁ ନେଇ ପ୍ରଶ୍ନ ନ ଉଠେଇ, କେବଳ ଏକ ସଂପର୍କିତ ଐତିହାସିକ ଓ ପୌରାଣିକ ତଥ୍ୟକୁ ବିଚାର ଆଲୋଚନା କରିବାକୁ ଏହି ପ୍ରବନ୍ଧରେ ଏକ ପ୍ରୟାସ କରାଯାଇଛି।
ରାମଙ୍କ ଅସ୍ତିତ୍ୱ ନେଇ ଐତିହାସିକମାନଙ୍କ ମତ ନକାରାତ୍ମକ ରହିଆସିଛି। ସେମାନଙ୍କ କହିବା କଥା ରାମ ଏ ଧରାପୃଷ୍ଠରେ ଏକଦା ଥିବା ନେଇ ଆବଶ୍ୟକ ପ୍ରମାଣ ନାହିଁ। କିନ୍ତୁ ଏନେଇ ରାମଭକ୍ତଙ୍କ ମତ ଭିନ୍ନ। ସେମାନେ ଯୁକ୍ତି କରନ୍ତି ଯେ ରାମ ଧରାପୃଷ୍ଠରେ ମାଂସହାଡ଼ ଶରୀରରେ ଥିଲେ। ଏନେଇ ଯଥେଷ୍ଟ ପ୍ରମାଣ ରହିଛି।
ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ପ୍ରାଚୀନ ଇତିହାସର ପ୍ରଫେସର ଆର୍.ପି ତ୍ରିପାଠୀ କହନ୍ତି,“ଇତିହାସ ଦୃଢ଼ ପ୍ରମାଣ ଆବଶ୍ୟକ କରେ। ସେ ପ୍ରମାଣ ମୁଦ୍ରା, ଶିଳାଲିପି ଆଦି ରୂପରେ ହୋଇପାରେ, ଯେଉଁଥିରୁ ଏକ ଚରିତ୍ର ପୃଥିବୀରେ ଥିଲା ବୋଲି ଜଣାପଡ଼ିବ। ‘ରାମାୟଣ’ରେ ଚିତ୍ରକୋଟ, ଅଯୋଧ୍ୟା ଭଳି ସ୍ଥାନର ଉଲ୍ଲେଖ ରହିଛି। ଏବେ ବି ଏ ସ୍ଥାନଗୁଡ଼ିକ ରହିଛି। କିନ୍ତୁ ବାସ୍ତବ କଥା ହେଉଛି ରାମାୟଣ ଏକ ଐତିହାସିକ ଗ୍ରନ୍ଥ ନୁହେଁ। ତେଣୁ ସେହି ଆଧାରରେ ଏକଦା ରାମ ଧରାପୃଷ୍ଠରେ ବାସ କରୁଥିବା ନେଇ କୌଣସି ଐତିହାସିକ ପ୍ରମାଣ ନାହିଁ। କିନ୍ତୁ ଏହା କହି ଆମେ ରାମଙ୍କ ଅସ୍ତିତ୍ୱକୁ ସହଜରେ ଅସ୍ୱୀକାର ବି କରିପାରିବା ନାହିଁ। କାରଣ ଦୀର୍ଘ ବର୍ଷ ହେଲାଣି ରାମ ଆମର ସାମୂହିକ ଚେତନାର ଏକ ଅଂଶ ହୋଇ ରହିଛନ୍ତି।”
ଭାରତୀୟ ଐତିହାସିକ ଗବେଷଣା ପ୍ରତିଷ୍ଠାନର ପୂର୍ବତନ ଅଧ୍ୟକ୍ଷ ଏସ୍ ସତ୍ତାର କହନ୍ତି,“ପୁରାଣରେ ଅନେକ ଚରିତ୍ର ରହିଛନ୍ତି ଯେଉଁମାନଙ୍କୁ ସମାନ ପ୍ରକାରେ ବର୍ଣ୍ଣନା କରାଯାଇଛି। ତା’ମାନେ କ’ଣ ସମସ୍ତେ ଏ ଧରାପୃଷ୍ଠରେ ଏକଦା ବାସ କରୁଥିଲେ? ଏବେ ପ୍ରଶ୍ନ ଉଠୁଛି ତା’ହେଲେ ସବୁ କିମ୍ବଦନ୍ତୀ ସମ୍ବନ୍ଧୀୟ ଗ୍ରନ୍ଥରେ କ’ଣ କେବଳ କାଳ୍ପନିକ କାହାଣୀ ରହିଛି? ନା, ଏଗୁଡ଼ିକ ମଧ୍ୟରେ କେଉଁଠି କାଣିଚିଏ ସତ୍ୟ ରହିଛି? ସେହି ଟିକକ ସତ ବାହାର କରିବା ପାଇଁ ଏହି କିମ୍ବଦନ୍ତୀଗୁଡ଼ିକୁ ଭଲ ଭାବେ ପରୀକ୍ଷାନିରୀକ୍ଷା କରିବାକୁ ପଡ଼ିବ। ‘ରାମାୟଣ’ କ୍ଷେତ୍ରରେ ପ୍ରମାଣ କରିବା ପାଇଁ କିଛି ନାହିଁ। ଏହା ଏକ ପୌରାଣିକ କଥାବସ୍ତୁ ବୋଲି କେବଳ ପ୍ରମାଣିତ ହେଉଛି। ରାମାୟଣକୁ ନେଇ କୌଣସି ଐତିହାସିକ ବା ପ୍ରତ୍ନତାତ୍ତ୍ୱିକ ପ୍ରମାଣ ନାହିଁ ଯାହା ରାମଙ୍କର ଅସ୍ତିତ୍ୱ ଥିଲା ବା ଏକଦା ସେ ଅଯୋଧ୍ୟାର ଶାସକ ଥିଲେ ବୋଲି ପ୍ରମାଣିତ କରିପାରିବ।”
‘ଡେଟିଂ ଦ ଇରା ଅଫ୍ ଲର୍ଡ ରାମ’ର ଲେଖକ ପୁଷ୍କର ଭଟ୍ଟନାଗର କହନ୍ତି,“ପ୍ରତ୍ନତତ୍ତ୍ୱ ବିଶାରଦମାନେ ଯଦି ୫୦୦ ବର୍ଷ ତଳେ ଅଯୋଧ୍ୟାରେ ଏକ ମନ୍ଦିର ଥିଲା ନା ଏକ ମସ୍ଜିଦ୍ ଥିଲା ତାହା ପ୍ରମାଣ କରିପାରୁନାହାନ୍ତି, ତା’ହେଲେ ୭୦୦୦ ବର୍ଷ ତଳର ଐତିହାସିକ ଘଟଣା ସେମାନଙ୍କୁ କେଉଁ ପ୍ରକାରେ ସାହାଯ୍ୟ କରିବ? ଯଦି ସେ ସମୟର ରାଜମିସ୍ତ୍ରୀମାନେ ଏମିତି କୋଠା ନିର୍ମାଣ କରିବାରେ ବିଫଳ ହେଉଥିଲେ ଯାହା ୭ ହଜାର ବର୍ଷ ପର୍ଯ୍ୟନ୍ତ ତିଷ୍ଠି ପାରିବ, ତା’ର ଅର୍ଥ ନୁହେଁ ଯେ ସେସମୟରେ ଦେଶରେ କୌଣସି ବସତି ନ ଥିଲା ଅବା ରାମ ଏକ କାଳ୍ପନିକ ଚରିତ୍ର?”
ଏଏସ୍ଆଇର ପୂର୍ବତନ ଯୁଗ୍ମ ମହାନିର୍ଦ୍ଦେଶକ ଆର.ଏସ୍ ବିଶ୍ଟ କହନ୍ତି,“ଅଶୋକଙ୍କ ଭଳି ବ୍ୟକ୍ତିଙ୍କ ସଂପର୍କରେ ଐତିହାସିକ ପ୍ରମାଣ ମିଳିଛି। ସେ ତାଙ୍କ ପଛରେ ଏମିତି ଅନେକ ଜିନିଷ ଛାଡ଼ି ଯାଇଛନ୍ତି। ଐତିହାସିକ ପ୍ରମାଣ ନ ମିଳିବା ପର୍ଯ୍ୟନ୍ତ ରାମଙ୍କ ଭଳି ଚରିତ୍ରଙ୍କ ଅସ୍ତିତ୍ୱ ଏକଦା ଥିବା ପ୍ରମାଣ କରିବା କଷ୍ଟ।”
(ସୌଜନ୍ୟ: ଦ ଟାଇମ୍ସ ଅଫ୍ ଇଣ୍ଡିଆ)