ଏ ସମାଜରେ ସମ୍ପର୍କର ସରଣୀରେ ଯଦି କାହାର ସ୍ଥାନ ସବୁଠୁ ଊର୍ଦ୍ଧ୍ୱକୁ ଥାଏ ସେ ହେଉଛି ମା’। ବାପା, ଭାଇ, ଭଉଣୀ, ପ୍ରେମିକ, ପ୍ରେମିକା ଏବଂ ଭାଇ ବନ୍ଧୁ କୁଟୁମ୍ବ ମଧ୍ୟରେ ତା’ର ସ୍ଥାନ ଅଦ୍ୱିତୀୟ। ସନ୍ତାନର ସବୁ କର୍ମ, ଅପକର୍ମକୁ ଯଦି ଜଣେ କେହି ହସି ହସି ବରଦାସ୍ତ କରି ନିଏ ସେ ହେଉଛି ମା’। ନିଜ ସନ୍ତାନ ମୋହରେ ସେ ଏମିତି ବାନ୍ଧି ହୋଇଯାଏ ଯେ, ତାକୁ ଭଲ ଛଡ଼ା କିଛି ମନ୍ଦ ଦେଖାଯାଏ ନାହିଁ। ସ୍ନେହ, ଭଲପାଇବା ଏବଂ ମମତାର ଡୋରି ପାଖରେ ସନ୍ତାନର ସବୁ ମନ୍ଦ ଗୁଣ ମା’ ପାଖରେ ହିଁ ଗୌଣ ହୋଇଯାଏ।
ସନ୍ତାନ ଯେତେ ଖରାପ ହୋଇଥା ନା କାହିଁକି ମା’ ମନ କେବେ ଧର୍ମ-ଅଧର୍ମ ଓ ନ୍ୟାୟ-ଅନ୍ୟାୟ ବୁଝେନି। ଆଉ ଏହାର ସବୁଠୁ ବଡ଼ ଉଦାହରଣ ହେଉଛି ମହାଭାରତର ଗାନ୍ଧାରୀ । ଏହି ଯୁଦ୍ଧରେ ଧର୍ମ ଓ ନ୍ୟାୟ ପାଇଁ ଲଢେଇ କରି ସବୁଠୁ ବେଶୀ କ୍ଷତି ଯଦି କେହି ସହିଥାନ୍ତି ସେ ହେଉଛନ୍ତି ମହାଭାରତର ମହାନାୟକ ପ୍ରଭୁ ଶ୍ରୀକୃଷ୍ଣ। କାରଣ ଏହି ଯୁଦ୍ଧରେ ପାଣ୍ଡବଙ୍କ ବିଜୟ ପରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ କୌରବଙ୍କ ମା’ ଗାନ୍ଧାରୀ ଅଭିଶାପ ଦେଇଥିଲେ। ପୁତ୍ର ବିୟୋଗରେ ଜର୍ଜରିତ ହୋଇ ଗାନ୍ଧାରୀ ଶ୍ରୀ କୃଷ୍ଣଙ୍କୁ ଅଭିସାପ ଦେଇଥିଲେ। ନିଜ ସ୍ୱାମୀ ଧୃତରାଷ୍ଟ୍ରଙ୍କ ଭଳି ଆଖିରେ ଅନ୍ଧପୁଟଳି ବାନ୍ଧିଥିବା ଗାନ୍ଧାରୀ ଯେତେବେଳେ ତାଙ୍କ ବଂଶ ବିଲୋପ କଥା ଶୁଣିଲେ ଦୁଃଖ ଏବଂ ମାନସିକ ଯନ୍ତ୍ରଣାରେ ନିଜକୁ ସମ୍ଭାଳି ପାରି ନ ଥିଲେ। କାନ୍ଦ, ଚିତ୍କାର କରି ବିଳାପ କରିଥିଲେ। ଆଉ ରାଗ ଏବଂ କ୍ରୋଧରେ ଆସି ଶ୍ରୀ କୃଷ୍ଣଙ୍କୁ ଅଭିସାପ ଦେଇଥିଲେ। କୁହାଯାଏ ଗାନ୍ଧାରୀ ଏହି ସମୟରେ ସବୁଠୁ ଭୟଙ୍କର ଅଭିସାପ ଦେଇଥିଲେ। ତେବେ ସେ କ’ଣ କହିଥିଲେ ଆସନ୍ତୁ ଜାଣିବା।
ମୁଁ ତୁମକୁ ଅଭିଶାପ ଦେଉଛି ବାସୁଦେବ। ଯେଉଁଭଳି ଭାବେ ମୋର ଶହେ ପୁତ୍ରଙ୍କୁ ବଧ କରି ମୋ କୋଳ ଶୂନ୍ୟ କରିଛି ଠିକ୍ ସେମିତି ପରିଣାମ ତୁମେ ହିଁ ଭୋଗିବ। ତୁମ ଯଦୁ ବଂଶ ନିପାତ ହେବ। କୁରୁକ୍ଷେତ୍ରରେ ଯେମିତି ଲଢେଇ ହେଲା ଠିକ୍ ସେମିତି ଯଦୁବଂଶ ମଧ୍ୟରେ ପରସ୍ପର ଲଢେଇ ହୋଇ ମରିବେ। ରକ୍ତର ନଦୀ ବୋହିବ। ସମ୍ପୂର୍ଣ୍ଣ ଧ୍ୱଂଶ ହୋଇଯିବ ତୁମ ବଂଶ। ଆଉ କହିଥିଲେ, ପ୍ରଭୁ ହୋଇଛ ପଶୁ ଭଳି ମୃତ୍ୟୁ ବରଣ କରିବ। ତେବେ ଗାନ୍ଧାରୀଙ୍କ ଅଭିଶାପକୁ ସମ୍ମାନ ଦେଇ ହସି ହସି ସ୍ୱୀକାର କରିଥିଲେ ଶ୍ରୀକୃଷ୍ଣ। କାରଣ ଶ୍ରୀକୃଷ୍ଣ ହିଁ ଜଣେ ସନ୍ତାନ ହରାଇଥିବା ମା’ର ଦୁଃଖକୁ ଅନଭୁବ କରିପାରିଥିଲେ। ତେଣୁ ସେ ଚୁପ୍ ରହି ଅଭିସାପକୁ ହସି ହସି ଗ୍ରହଣ କରିନେଇଥିଲେ। ଆଉ ଗାନ୍ଦାରୀଙ୍କ ଅଭିସାପ ସୂରୁପ ଯଦୁବଂଶ ବିଲୋପ ହୋଇଥିଲା।