ଏସ୍ସିବିରେ କ୍ଲୋରିନ୍ ଗ୍ୟାସ୍ ଲିକ୍, ୩୩ ଅସୁସ୍ଥ
କଟକ(ଓଡ଼ିଶା ରିପୋର୍ଟର): ଏସ୍ସିବିରେ କ୍ଲୋରିନ୍ ଗ୍ୟାସ୍ ଲିକ୍ ହୋଇ ୩୩ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ କାଜୁଆଲ୍ଟିରେ ଭର୍ତ୍ତି କରାଯାଇଛି। ତେବେ ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏବେ ମେଡ଼ିକାଲ ପରିସରରେ ନିଶ୍ୱାସ ନେବା କଷ୍ଟ ହୋଇପଡ଼ୁଥିବାରୁ ରୋଗୀ, ରୋଗୀଙ୍କ ସମ୍ପର୍କୀୟ ଓ କର୍ମଚାରୀଙ୍କ ମଧ୍ୟ ଭୟର ବାତାବରଣ ଖେଳି ଯାଇଛି। ସମସ୍ତେ ଜୀବନ ବିକଳରେ ମେଡ଼ିକାଲ ଛାଡ଼ି ଦୌଡ଼ି ପଳାଇ ଯାଉଥିବା ଦେଖିବାକୁ ମିଳିଛି। ଅସୁସ୍ଥଙ୍କ ମଧ୍ୟ କିଛି ମେଡ଼ିକାଲ ଛାତ୍ରୀ ଥିବା ଜଣାପଡ଼ିଛି।
ପାଣି ବିସୁଦ୍ଧ କରିବା ପାଇଁ କ୍ଲୋରିନ୍ ଗ୍ୟାସକୁ ପ୍ରୟୋଗ କରାଯାଏ। ଏହି ଗ୍ୟାସ୍ ଆଜି ଲୋକଙ୍କ ଜୀବନ ନେବାକୁ ବସିଛି। ଦିନ ପ୍ରାୟ ୨ରୁ ୩ଟା ବେଳେ ଗ୍ୟାସ୍ ଲିକ୍ ହୋଇଥିଲା। ଯାହାଫଳରେ ରୋଗୀ, ରୋଗୀଙ୍କ ସମ୍ପର୍କୀୟ ଓ ମେଡ଼ିକାଲ କର୍ମଚାରୀମାନଙ୍କ ଆଖି ପୋଡ଼ି ଥିଲା। ଏପରିକି ନିଶ୍ୱାସ ନେବା କଷ୍ଟକର ହୋଇପଡ଼ିଲା। ଏନେଇ ଖବର ପ୍ରଚାରିତ ହେବା ପରେ ମେଡ଼ିକାଲ ପରିସରରେ ଆତଙ୍କ ଖେଳାଇ ଦେଇଥିଲା। ସମସ୍ତେ ଜୀବନ ବିକଳରେ ଦୌଡ଼ି ପଳାଇ ଯାଇଥିଲେ।
କ୍ଲୋରିନ୍ ଗ୍ୟାସ୍ ଲିକ୍ ନେଇ ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ମେଡ଼ିକାଲରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀମାନେ ମେଡ଼ିକାଲରେ ପହଞ୍ଚି ଜନସ୍ୱାସ୍ଥ୍ୟ ବିଭାଗ ପମ୍ପ ହାଉସ୍ ଭିତରେ ପ୍ରବେଶ କରି ଲିକ୍ ହୋଇଥିବା କ୍ଲୋରିନ୍ ଗ୍ୟାସ୍ ଟାଙ୍କିକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ସମ୍ଭବ ହୋଇନଥିଲା। ପରେ ଗ୍ୟାସ ଟାଙ୍କିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ମହାନଦୀ ବିହାର ଅଭିମୁଖେ ନେଇ ଯାଇଥିବା ଜଣାପଡ଼ିଛି।
ସୂଚନାରୁ ପ୍ରକାଶ, ପମ୍ପ ହାଉସ୍ରେ ୩ଟି କ୍ଲୋରିନ୍ ଗ୍ୟାସ ଟାଙ୍କି ଥିଲା। ସେଥିରୁ ଗୋଟିଏ ଟାଙ୍କିରୁ ଗ୍ୟାସ ନିର୍ଗତ ହେଉଥିଲା। ଏବେ ମଧ୍ୟ ପମ୍ପ ହାଉସ୍ ଭିତରେ ୨ଟି ଗ୍ୟାସ ଟାଙ୍କି ରହିଛି। ସେହି ଟାଙ୍କି ଗୁଡ଼ିକର ଅବସ୍ଥା କେମିତି ଅଛି, ସେନେଇ ତଦନ୍ତ ଚାଲିଛି। ବର୍ତ୍ତମାନ ସୁସ୍ଥା ୩୩ ଜଣ ଅସୁସ୍ଥା ହୋଇପଡ଼ିଛନ୍ତି। କହିବାକୁ ଗଲେ ମେଡ଼ିକାଲ ଏକ ପ୍ରକାର ଜନଶୂନ୍ୟ ହୋଇଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।