ଆନ୍ଦୋଳନକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ପୋଲିସ୍
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ନିଖିଳ ଓଡ଼ିଶା ଗ୍ରାମ ରୋଜଗାର ସେବକ ସଂଘର ଆନ୍ଦୋଳନ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛି। ପୋଲିସ ମାନବିକତା ହରାଇ ଜିଆରଏସ୍ଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛି। ଆନ୍ଦୋଳନ କରୁଥିବା ଜିଆର୍ଏସ୍ମାନେ ଜୀବନ ବିକାଳରେ ଦୌଡ଼ିଥିଲେ।
ଜିଆରଏସ୍ଙ୍କୁ ସ୍ଥାୟୀ ନିଯୁକ୍ତି, ମାସିକ ଦରମା ଓ ଗ୍ରେଡ୍ ପେ’ ୯୦୦୦ ଟଙ୍କାକୁ ବୃଦ୍ଧି ଏବଂ ଖାଲି ପଡିଥିବା ପଦବୀ ପୂରଣ ପ୍ରମୁଖ ଦାବିରେ ଜିଆରଏସ୍ମାନେ ଆଜି ମାଷ୍ଟର କ୍ୟାଣ୍ଟନ୍ରେ ଏକତ୍ର ହୋଇଥିଲେ। ପରେ ଏକ ବିଶାଳ ଶୋଭାଯାତ୍ରରେ ଲୋୟର ପିଏମଜିରେ ଅଭିମୁଖେ ଯାଉଥିଲେ। ରାସ୍ତାରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ମାତ୍ର ଜିଆର୍ଏସ୍ମାନେ ପୂର୍ବକ ଯିବାକୁ ଉଦ୍ୟମ କଲାବେଳେ ପୋଲିସ ସହିତ ଧସ୍ତାଧସ୍ତି ହୋଇଥିଲା। ପରେ ପୋଲିସ ଲାଠିମାଡରେ କିଛି କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଛି।
ନିଖିଳ ଓଡ଼ିଶା ଗ୍ରାମ ରୋଜଗାର ସେବକ ସଂଘ ସଭାପତି ବଦ୍ରିନାରାୟଣ ମହାନ୍ତି କହିଛନ୍ତି-“ପଞ୍ଚାୟତ ସମସ୍ତ ଉନ୍ନୟନ ମୂଳକ କାମ ଜିଆରଏସ୍ଙ୍କ ଦ୍ୱାରା କରାଯାଉଛି। ମାତ୍ର ରାଜ୍ୟ ସରକାର ଏମାନଙ୍କୁ ଆଜି ପର୍ଯ୍ୟନ୍ତ ସ୍ଥାୟୀ ନିଯୁକ୍ତି ଦେଉନାହାନ୍ତି। ଏପରିକି ଏଥିପ୍ରତି ପ୍ରକ୍ରିୟା ମଧ୍ୟ କରୁନାହାନ୍ତି। ଯାହାଦ୍ୱାରା ଜିଆର୍ଏସ୍ମାନେ ଆନ୍ଦୋଳନ କରିବା ପାଇଁ ରାସ୍ତାକୁ ଆସିଛନ୍ତି।”
ଆନ୍ଦୋଳନକାରୀ ରଶ୍ମୀରେଖା କହିଛନ୍ତି-“ଦାବି ପୂରଣ ପାଇଁ ଆମେ ଆନ୍ଦୋଳନ କରୁଛୁ। ମାତ୍ର ରାଜ୍ୟ ସରକାର ଆମ ଦାବି ଶୁଣିବା ବଦଳରେ ମାଡ଼ ମାରିଛନ୍ତି। ଏପରିକି ମହିଳାଙ୍କୁ ମଧ୍ୟ ପୋଲିସ ମାଡ଼ ମାରିବାକୁ ପଛାଇ ନାହିଁ। ଏହା କଣ ତାଙ୍କ ପୋଲିସ ଆଇନ୍ରେ ରହିଛି?”
ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି-“ଦାବି ପୂରଣ ପାଇଁ ଜିଆର୍ଏସ୍ମାନେ ରାସ୍ତା ବନ୍ଦ କରିଦେଇଥିଲେ। ସେମାନଙ୍କୁ ଉଠିବାକୁ କୁହାଯାଇଥିଲା। ମାତ୍ର ନଉଠିବାରୁ ଘଉଡାଇ ଦିଆଯାଇଥିଲା।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।