ଭୁବନେଶ୍ୱର: ଆଶା ଅନୁସାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି ହୋଇଯାଇଛି। ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ହୋ ହାଲ୍ଲା ଦେଖିବାକୁ ମିଳିଥିଲା। ଫଳରେ ବାଚସ୍ପତି ନିରଞ୍ଜନ ପୂଜାରୀଙ୍କୁ ୪ଥର ଗୃହ ମୁଲତବି କରିବାକୁ ପଡିଥିଲା। ସ୍ଥିତିରେ ସୁଧାର ନ ଆସିବାରୁ ବାଚସ୍ପତି ଶ୍ରୀ ପୂଜାରୀ ଅପରାହ୍ନ ୪ଟାରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି କରିଦେଇଥିଲେ। ତେବେ ଦ୍ୱିତୀୟ ଦିନ ସରକାର ଗୃହରେ ଓଡ଼ିଶା ଜମି ଆତ୍ମସାତ ନିଷେଧକ ବିଲ ଆଗତ କରିଥିଲେ।ଯେମିତି ଆଶା କରାଯାଉଥିଲା ସେମିତି ହେଲା।
ବିଧାନସଭାର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନର ପ୍ରାରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଫଳରେ ବାଚସ୍ପତି ପୂଜାରୀ ପ୍ରଥମେ ଗୃହକୁ ଦିନ ସାଢ଼େ ୧୨ଟା ପର୍ଯ୍ୟନ୍ତ ମୁଲତବି କରିଥିଲେ। କିନ୍ତୁ ଏହା ପରେ ବି ଗୃହ ଚାଲି ପାରି ନ ଥିଲା। ସାଢ଼େ ବାରଟା ପରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳଗୁଡ଼ିକ ସେମାନଙ୍କ ଜିଦରେ ଅଟଳ ରହିଲେ ଓ ପ୍ରକାଶ ମିଶ୍ର ସମ୍ପର୍କରେ ଆଲୋଚନା କରିବାକୁ ନାରାବାଜି କରିଥିଲେ। ଫଳରେ ବାଚସ୍ପତି ପୁଣି ଥରେ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି କରିଦେଇଥିଲେ। ତେବେ ଅପରାହ୍ନ ୩ଟାରେ ଗୃହ ଆରମ୍ଭ ହୋଇଥିଲେ ବି ସ୍ଥିତି ପୂର୍ବପରି ରହିଥିଲା। ଫଳରେ ବାଚସ୍ପତି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଓ ପରେ ଆସନ୍ତକାଲି ଯାଏ ମୁଲତବି କରିଦେଇଥିଲେ।
ଆଜି ସକାଳେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପୂର୍ବତନ ଡିଜି ପ୍ରକାଶ ମିଶ୍ର ମାମଲା ଉଠାଇ ଥିଲେ। ସେ କହିଥିଲେ, ପ୍ରକାଶ ମିଶ୍ର ମାମଲାରେ ଉଭୟ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ସରକାର ଅପଦସ୍ଥ ହୋଇଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ଇସ୍ତଫା ଦେଇ ଦେବା ଉଚିତ୍। ମୁଖ୍ୟମନ୍ତ୍ରୀ ପଦରେ ବସିବା ପାଇଁ ଆଉ ତାଙ୍କର ନୈତିକ ଅଧିକାର ନାହିଁ। ସରକାର ପ୍ରଶ୍ନକାଳକୁ ବାତିଲ କରି ଏ ପ୍ରସଙ୍ଗରେ ଆଲୋଚନା କରାଯିବା ଦରକାର। ପ୍ରଶ୍ନକାଳରେ ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ବାଚସ୍ପତି କହିଥିଲେ। ପରେ କଂଗ୍ରେସ ବିଧାୟକମାନେ ହୋହାଲ୍ଲା କରିବା ଆରମ୍ଭ କରି ଦେଇଥିଲେ। ସେମାନେ ପ୍ରକାଶ ମିଶ୍ର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଓ ଟିପ୍ପଣୀ ଥିବା ବ୍ୟାନର ହାତରେ ଧରି ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ସରକାରଙ୍କ ବିରୋଧରେ ନାରା ଦେଇ ଗୃହର ମଧ୍ୟଭାଗରେ ଥିବା ଟେବୁଲ ଉପରେ ଚଢ଼ି ଯାଇଥିଲେ। ବ୍ରହ୍ମ ବିଭ୍ରାଟ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ବିରୋଧୀମାନେ ବ୍ୟାନର ପ୍ରଦର୍ଶନ କରିଥିଲେ। ଅନ୍ୟପକ୍ଷରେ ବିରୋଧୀଙ୍କୁ ଜବାବ ଦେବାକୁ ଯାଇ ବିଜେଡି ପକ୍ଷରୁ ମଧ୍ୟ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଯାଇଥିଲା। ଶାସକ ଦଳର ବିଧାୟକମାନେ ମଧ୍ୟ ବ୍ୟାନର ପ୍ରଦର୍ଶନ କରିଥିଲେ। ଏଗୁଡ଼ିକରେ ଲେଖାଯାଇଥିଲା ଯେ ଓଡ଼ିଶା ପ୍ରତି ମୋଦି ସରକାରଙ୍କ ଉପେକ୍ଷା ସବୁ ସୀମା ଲଂଘି ଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।