ସମ୍ପର୍କ ଆଗରେ ସମ୍ପ୍ରଦାୟ ତୁଚ୍ଛ: ଜୀବନ ଦେଇଥିବା ହିନ୍ଦୁ ବାପାକୁ ଜଗି ରହିଛି ମୁସଲିମ ପୁଅ

ଲକ୍ଷ୍ନୌ: ଭାରତ ସର୍ବଧର୍ମର ପ୍ରତୀକ। ଏହି ଉକ୍ତିକୁ ବହୁତ ଲୋକ ପ୍ରମାଣିତ କରିଯାଇଛନ୍ତି। ଏବେ ଏମିତି ଏଦୁଇ ବାପପୁଅ ଅଛନ୍ତି, ଯାହାଙ୍କ କାହାଣୀ ଶୁଣିଲେ ଯେ କେହି ବି କାନ୍ଦି ପକାଇବେ। ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି କରି ଦେଶରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ମନ୍ଦ ପ୍ରକୃତିର ଲୋକଙ୍କ ପ୍ରତି ଏମାନଙ୍କ କାହାଣୀ ଚାବୁକ ମାଡ଼ ସଦୃଶ। ଏହି କାହାଣୀର ହିରୋ ହେଲେ ‘ଏକ୍‌ ଲାଲ’। ଯିଏ କିଛିବର୍ଷ ତଳେ ଦେଢ଼ ବର୍ଷର ଏକ […]

lucknow

lucknow

Rakesh Mallick
  • Published: Tuesday, 23 January 2018
  • Updated: 23 January 2018, 06:09 PM IST

ଲକ୍ଷ୍ନୌ: ଭାରତ ସର୍ବଧର୍ମର ପ୍ରତୀକ। ଏହି ଉକ୍ତିକୁ ବହୁତ ଲୋକ ପ୍ରମାଣିତ କରିଯାଇଛନ୍ତି। ଏବେ ଏମିତି ଏଦୁଇ ବାପପୁଅ ଅଛନ୍ତି, ଯାହାଙ୍କ କାହାଣୀ ଶୁଣିଲେ ଯେ କେହି ବି କାନ୍ଦି ପକାଇବେ। ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି କରି ଦେଶରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ମନ୍ଦ ପ୍ରକୃତିର ଲୋକଙ୍କ ପ୍ରତି ଏମାନଙ୍କ କାହାଣୀ ଚାବୁକ ମାଡ଼ ସଦୃଶ। ଏହି କାହାଣୀର ହିରୋ ହେଲେ ‘ଏକ୍‌ ଲାଲ’। ଯିଏ କିଛିବର୍ଷ ତଳେ ଦେଢ଼ ବର୍ଷର ଏକ ଅସହାୟ ମୁସଲମାନ ପିଲା ‘ଆକବର’କୁ ରାସ୍ତାରୁ ଉଠାଇ ଆଣିଥିଲେ। ଏହାପରେ ଏହି ପିଲା ପାଳଟି ଯାଇଥିଲା ତାଙ୍କ ଜୀବନ। ଆକବରଙ୍କ ପାଇଁ କୁଆଁରା ବାପା ସାଜିଥିଲେ ଏକ ଲାଲ। ସାରା ଜୀବନ ସେ ଅବିବାହିତ ରହିଯାଇଥିଲେ। ଆକବର ଉପରେ କେବେ ବି ହିନ୍ଦୁ ଧର୍ମ ମାନିବାକୁ ସେ ଚାପ ପକାଇ ନଥିଲେ। ବରଂ ସମ୍ପୂର୍ଣ୍ଣ ମୁସଲିମ୍‌ ପରମ୍ପରାରେ ତାଙ୍କୁ ବଡ଼ କରିଛନ୍ତି। ଆଜି ଏକ୍‌ ଲାଲ ରୋଗାକ୍ରାନ୍ତ ହୋଇ ମେଡିକାଲରେ ପଡିଥିବା ବେଳେ ଅଖିଆ ଅପିଆ ଆକବର ତାଙ୍କୁ ଜଗି ରହିଛନ୍ତି। ଭାଇଚାରାର ପ୍ରତୀକ ଏକଲାଲା-ଆକବରଙ୍କ କାହାଣୀକୁ ନେଇ ପଢ଼ନ୍ତୁ ଏହି ବିଶେଷ ରିପୋର୍ଟ।

୨୦୦୨ରେ ଆକବର ଦେଢବର୍ଷ ବୟସର ହୋଇଥିବା ବେଳେ ପେସରବାଗ ଲାଲ ଅଞ୍ଚଳରେ ଭୋକଶୋଷରେ ପଡ଼ି ରହିଥିଲେ। ପାଖରେ ଚାହା ଦୋକାନ କରିଥିବା ଏକ୍‌ ଲାଲଙ୍କ ନଜର ସେତେବେଳେ ଆକବରଙ୍କ ଉପରେ ପଡ଼ିଥିଲା। ସେ ତାକୁ ପାଖକୁ ଆଣି ପଚରାଉଚରା କରିବା ପରେ ତା ନାଁ ଆକବର ବୋଲି ଜାଣିବାକୁ ପାଇଥିଲେ। ଏହା ବ୍ୟତୀତ ଆକବର ଆଉ କିଛି କହି ପାରି ନଥିଲା। ସେ ବହୁତ ବେମାର ଥିବାରୁ ଏକ୍‌ ଲାଲ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା। ଚିକିତ୍ସା ପରେ ଆକବର ସୁସ୍ଥ ହୋଇଯାଇଥିଲା। ଏହାପରେ ତା’ର ବାପମାଆଙ୍କୁ ଖୋଜିବାରେ ଏକ୍‌ ଲାଲ ଦିନରାତି ଏକ କରି ଦେଇଥିଲେ, ହେଲେ କୌଣସି ସୂଚନା ପାଇ ନଥିଲେ। ଏହା ମଧ୍ୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହୋଇ ଯାଇଥିଲା। ଦୁହେଁ ଦୁହିଁକୁ ଘଡିଏ ନଦେଖିଲେ ରହିପାରୁ ନଥିଲେ। ଏମିତି ସ୍ଥିତିରେ ଏକ୍‌ ଲାଲ ଆକବରଙ୍କୁ ନିଜ ପୁଅ ଭଳି ରଖିଥିଲେ। ଏବେ ଆକବର ୧୭ ବର୍ଷର ହୋଇ ଯାଇଛନ୍ତି ଓ ଦ୍ୱାଦଶରେ ପଢୁଛନ୍ତି।

ପରେ ଆକବରଙ୍କ ଘରର ଠିକଣା ମିଳିଛି। ତାଙ୍କ ବାପାମାଆଙ୍କ ସମ୍ପର୍କରେ ଜଣାପଡିଛି। ଆକବରଙ୍କୁ ନେଇଯିବାକୁ ସେମାନେ ବହୁତ ଚେଷ୍ଟା କରିଛନ୍ତି। ହେଲେ ଏକ୍‌ ଲାଲା ଓ ଆକବରଙ୍କ ସମ୍ପର୍କକୁ ଭାଙ୍ଗିବାକୁ ସକ୍ଷମ ହୋଇନାହାନ୍ତି। ଆସନ୍ତୁ ଜାଣିବା ଆକବରଙ୍କ ବାପାମାଆଙ୍କ ସମ୍ପର୍କରେ ଜଣାପଡିବା ପରେ କେମିତି ଥିଲା ଘଟଣା କ୍ରମ।

aiku1ମଦ ନିଶାରେ ଛାଡି ଯାଇଥିଲା ବାପ

ଆକବର କୁହନ୍ତି, “ତାଙ୍କ ପରିବାର ଆହ୍ଲାବାଦ୍‌ରେ ରୁହନ୍ତି। ଅବୁଙ୍କ ନାଁ ମହମ୍ମଦ ଆବାସୀ ଏବଂ ଅମ୍ମିଙ୍କ ନାଁ ଶାହନାଜ ବାନୁ। ମୋର ଗୋଟିଏ ଭାଇ ଓ ଗୋଟିଏ ଭଉଣୀ ଅଛନ୍ତି। ମୋ ଆବୁ ଆହ୍ଲାବାଦ୍‌ରେ ଜୋତା-ଚପଲ ଫେରି କରନ୍ତି। ସେ ବହୁତ ମଦ ପିଉଥିଲେ। ସେ ମୋତେ ନେଇ ଢାବାକୁ ମଦ ପିଇବାକୁ ଯାଇଥିଲେ ଓ ସେଠାରେ ମୋତେ ଛାଡି ଚାଲି ଯାଇଥିଲେ। ମୁଁ ଆହ୍ଲାବାଦ୍‌ରୁ ଲକ୍ଷ୍ନୌ କେମିତି ଆସିଲି ଜାଣିନି।”

ସେ ଆହୁରି କହିଛନ୍ତି,“ପାପା (ଏକ୍‌ ଲାଲ) ମୋତେ ପାଇବା ପରେ ଅପରିଚିତ ପିଲା ମିଳିଥିବା ଟିଭି ଓ ରେଡିଓରେ ବିଜ୍ଞାପନ ଦେଇଥିଲେ। ୨ ବର୍ଷ ପର୍ଯ୍ୟନ୍ତ କେହି ନେବାକୁ ଆସି ନଥିଲେ।”

ଆକବରଙ୍କୁ ନେବାକୁ ଆସି ଏକ୍‌ ଲାଲଙ୍କୁ ପିଟିଥିଲେ ମହମ୍ମଦ

ଆକବର କହିଛନ୍ତି, “ପାପା ମୋତେ ଏକଲା ବଡ଼ କରିଛନ୍ତି। ମୋ ପାଇଁ ସେ ବିବାହ ମଧ୍ୟ କରିନାହାଁନ୍ତି। ୨୦୦୪ରେ ମୋ ଆହ୍ଲାବାଦ୍‌ ବାଲା ଅବୁ-ଅମ୍ମି ମୋତେ ନେବାକୁ ଲକ୍ଷ୍ନୌ ଆସିଥିଲେ। ସେମାନେ ପାପାଙ୍କୁ ବହୁତ ମାରିଥିଲେ। ହେଲେ ପଡ଼ୋଶୀ ହସ୍ତକ୍ଷେପ କରିବାକୁ ସେମାନେ ମୋତେ ନେଇପାରି ନଥିଲେ।

କୋର୍ଟଙ୍କ ରାୟରେ ଥିଲା ମାନବିକତାର ବିଜୟ

୨୦୦୫ରେ ଅହମ୍ମଦ କୋର୍ଟରେ ମାମଲା ରୁଜୁ କରିଥିଲେ। ଏକ୍‌ ଲାଲ ତାଙ୍କ ପୁଅକୁ ବନ୍ଧକ ମଜୁରିଆ ରଖିଥିବା ସେ ଅଭିଯୋଗ କରିଥିଲେ। ହେଲେ କୋର୍ଟରେ ଏକ୍‌ ଲାଲଙ୍କ ବିଜୟ ହୋଇଥିଲା। ସମସ୍ତ ଘଟଣା ଶୁଣିବା ପରେ ଜଜ୍‌ ରାୟ ଦେଇଥିଲେ। ଜଜ୍‌ କହିଥିଲେ, “ଯଦି ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ବିବାହ ହୋଇ ପାରୁଛି, ତେବେ ବାପ-ପୁଅର ସମ୍ପର୍କ ମଧ୍ୟ ରହିପାରିବ।”

ପୁଅ ପାଇଁ ସବୁ କିଛି

ଘରେ କେହି ନଥିବାରୁ ଆକବରର ସମସ୍ତ ଦାୟିତ୍ୱ ଏକ୍‌ ଲାଲଙ୍କୁ ଉଠାଇବାକୁ ପଡୁଥିଲା। ସକାଳୁ ଉଠି ସେ ରୋଷେଇ କରୁଥିଲେ। ଏହାପରେ ସ୍କୁଲ ଯିବା ପାଇଁ ଆକବରଙ୍କୁ ପ୍ରସ୍ତୁତ କରୁଥିଲେ। ବାପ-ପୁଅ ଖାଇବା ପରେ ସେ ଆକବରକୁ ସ୍କୁଲରେ ଛାଡି ଦୋକାନ ଖୋଲିବାକୁ ଆସୁଥିଲେ। ପୁଣି ମଝିରେ ଦୋକାନ ବନ୍ଦ କରି ସ୍କୁଲ ଛୁଟି ହେବା ପରେ ତାକୁ ଆଣିବାକୁ ଯାଉଥିଲେ।

ନମାଜ ପଢ଼ନ୍ତି

ଆକବର କହୁଛନ୍ତି, “ତାଙ୍କ ବାପା ହିନ୍ଦୁ। ହେଲେ ମୋତେ କେବେ କୌଣସି ଧର୍ମକୁ ମାନିକୁ ବାଧ୍ୟ କରିନାହାନ୍ତି। ସେ କୁହନ୍ତି, ଯେଉଁଥିରେ ମନ ଲାଗୁଛି ସେ ଧର୍ମକୁ ମାନିକି ଚାଲ। ଘରେ ଆମେ ଇଦ ଓ ଦିୱାଲୀ ପାଳନ କରୁ। ସେ ମୋତେ ଇସ୍ଲାମୀ ତାଲିମ ଦେବାକୁ ମାଦ୍ରାସାରେ ଆଡମିଶନ କରାଇଥିଲେ। ମଜହବି ତାଲିମ ପାଇଁ ସେ ମୋ ଆଡମିଶନ କୁଇନିଂ ଇଣ୍ଟର କଲେଜରେ କରାଇଥିଲେ। ଏବେ ମୁଁ ସେଠାରେ ଦ୍ୱାଦଶରେ ପଢୁଛି।”

ତିନିଦିନ ହେଲା ଜୀବନ ସହ ସଂଗ୍ରାମ କରୁଛନ୍ତି ଏକ୍‌ ଲାଲ

ଆକବର କୁହନ୍ତି, “ପାପା ତିନିଦିନ ହେବ ଅସୁସ୍ଥ ଅଛନ୍ତି। ସେ ଏବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମୋ ଛଡା ତାଙ୍କ ଦେଖାରଖା କରିବାକୁ କେହି ନାହାନ୍ତି। ମୁଁ ପୂରା ଦିନ ତାଙ୍କ ପାଖରେ ରହୁଛି। ଦୋକାନ ବନ୍ଦ ଅଛି। ଯିଏ ଯିଏ ପାପାଙ୍କ ବିଷୟରେ ଶୁଣୁଛନ୍ତି ସହାୟତା କରିବାକୁ ଆସୁଛନ୍ତି। ପାପା ଏବେ କିଛି ବି ଖିଆପିଆ କରୁନାହାନ୍ତି। ତାଙ୍କୁ ଭେଟିକାକୁ ଆସୁଥିବା ଲୋକେ ମୋତେ ବିସ୍କୁଟ ଓ ଫଳ ଖାଇବାକୁ ଦେଉଛନ୍ତି। ସେତିକି ଖାଇ ମୁଁ ପାପାଙ୍କୁ ଜଗି ରହିଛି।

ଏକ୍‌ ଲାଲଙ୍କୁ ପାଳିଥିଲେ ମୁସଲିମ ପରିବାର

ଦେଢ ବର୍ଷ ଆକବରଙ୍କୁ ଜୀବନ ଦେଇଥିବା ଏକ୍‌ ଲାଲଙ୍କ ଲାଳନପାଳନ ଏକ ମୁସଲିମ ପରିବାର କରିଥିଲେ। ଏକ୍‌ ଲାଲ ୯ ବର୍ଷର ହୋଇଥିବା ବେଳେ ଲକ୍ଷ୍ନୌର ଚୌଥରୀ ହୋଟେଲ ମାଲିକ ଚୌଥରୀ ମୁଜତବା ହୁସେନ୍‌ ତାଙ୍କୁ ସାହାରା ଦେଇଥିଲେ। ଏବେ ମୁଜତବା ଦୁନିଆରେ ନାହାଁନ୍ତି। ତାଙ୍କ ପୁଅ ହସନ ଇମାମ ଏକ୍‌ ଲାଲଙ୍କ ପୂରା ଇତିହାସ କହିଛନ୍ତି।

ଇମାମ କହିଛନ୍ତି, “ଏକ୍‌ ଲାଲଙ୍କ ଘର ମଧ୍ୟପ୍ରଦେଶରେ। ୯ ବର୍ଷର ହୋଇଥିବା ବେଳେ ସେ ଘରୁ ଲୁଚି ପଳାଇ ଆସି ବାପାଙ୍କ ପାଖରେ ପହଞ୍ଚି ଥିଲେ। ବାପା ତାକୁ ନିଜ ପିଲା ଭଳି ରଖିଥିଲେ। ସେ ଆମ ହୋଟେଲରେ ରହୁଥିଲେ ଓ ଛୋଟ ମୋଟ କାମ କରୁଥିଲେ। କିଛିଦିନ ପରେ ଖୋଜି ଖୋଜି ତାଙ୍କ ବାପା ଆମ ହୋଟେଲକୁ ଆସିଥିଲେ। ମୋ ବାପା ଏକ୍‌ ଲାଲଙ୍କୁ ଘରକୁ ଫେରିଯିବାକୁ କହିଥିଲେ, ହେଲେ ସେ ମନା କରିଦେଇଥିଲେ। ତାଙ୍କ ପରିବାର ବହୁ ଚେଷ୍ଟା କରି ନିରାଶ ହେବା ପରେ ଫେରି ଯାଇଥିଲେ। ବାପାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେ ଆମ ହୋଟେଲରେ ରହୁଥିଲେ। ହେଲେ ପରେ କୌଣସି କଥାକୁ ନେଇ ସେ ରାଗି ଯାଇ ଏକ ଚାହା ଦୋକାନ କରିଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos