ପ୍ରାଚୀନ କାଳରେ ସାଧୁ ସନ୍ଥଙ୍କର ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଥିଲା। ସେମାନଙ୍କର ବ୍ୟବହାର ଓ ଚାଲିଚଳଣି ସାଧାରଣ ଲୋକମାନଙ୍କଠାରୁ ଭିନ୍ନ ଥିଲା। ସେମାନେ ଜ୍ଞାନୀ ଥିଲେ ଏବଂ ମାଗଦର୍ଶକ ଭାବରେ ଲୋକମାନଙ୍କର କାମରେ ଆସୁଥିଲେ। କିନ୍ତୁ ଏବେ ସମୟରେ ପରିବର୍ତ୍ତନ ଆସିଛି। ଚାଳ ଛପର କୁଟିଆ ଛାଡି ସାଧୁମାନେ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଛନ୍ତି। ଇମ୍ପୋଟେଡ୍ ବିଦେଶୀ ଗାଡି ଚଢିଲେଣି। ଅବଶ୍ୟ ଏଥିରେ କାହାର ଆପତ୍ତି ନାହିଁ। କିନ୍ତୁ ଏମାନଙ୍କ ଚାରିତ୍ରିକ ପରିବର୍ତ୍ତନ ଆଜିକାର ସମାଜ ପାଇଁ ଚିନ୍ତା ସୃଷ୍ଟି କରିଛି।
ସନ୍ଥ ତୁଳସୀ ଦାସଙ୍କ ରଚିତ ‘ରାମଚରିତ ମାନସ’ରେ କଳିଯୁଗର ଲୋକଚରିତ୍ର ସମ୍ପର୍କରେ କିଛି ଦୋହା ରହିଛି। ସେଥିରୁ ଗୋଟିଏ ହେଉଛି, - “मारग सोई जा कहुं जोई भावा। पंडित सोई जो गाल बजावा।। मिथ्यारंभ दंभ रत जोई। ता कहुं संत कहइ सब कोई।।” ଏହାର ଅର୍ଥ ହେଉଛି ଯାହାକୁ ଯେଉଁଟା ଭଲ ଲାଗେ ସେଇଟା ତାଙ୍କ ରାସ୍ତା। ଯିଏ ବୃଥା ଗର୍ବ କରିବ ସେ ହିଁ ପଣ୍ଡିତ। ଯିଏ ଆଡମ୍ବର ରଚିବ ତାଙ୍କୁ ହିଁ ସନ୍ଥ କୁହାଯିବ।
ଏହି ଦୋହାର ରଚନା କଲା ବେଳେ ସନ୍ଥ ତୁଳସୀ ଭବିଷ୍ୟକାଳକୁ ନିଶ୍ଚିତ ଚିନ୍ତା କରିଥିବେ ବିଶ୍ଳେଷକମାନେ ଅନୁମାନ କରୁଛନ୍ତି। କାରଣ ସମ୍ପ୍ରତି ଆମ ସମାଜରେ ଯାହା ଘଟୁଛି, ତାହା ଏହି ଲେଖାର ପ୍ରତିଫଳନ କହିଲେ ଅତ୍ୟୁକ୍ତି ହେବନି।
- ଯେଉଁମାନେ ବେଦକୁ ପରିତ୍ୟାଗ କରିବେ ସେମାନେ ଜ୍ଞାନୀ ଭାଗେ ଗଣନା ହେବେ। ଯାହାର ବଡ ନଖ ଏବଂ ଲମ୍ବା କେଶ ରହିବ ସେ କଳିଯୁଗରେ ପ୍ରସିଦ୍ଧ ତପସ୍ୱୀ ଭାବେ ଗଣାଯିବେ।
- ଯେଉଁମାନେ ଆପତ୍ତିପୂର୍ଣ୍ଣ ବେଶଭୂଷା ଧାରଣ କରିବେ, ଅଖାଦ୍ୟ ଖାଇବେ ସେମାନେ ପୂଜନୀୟ ହେବେ।
- ଯେଉଁମାନେ ଧନରେ ଘର ସଜାଇବେ ତାଙ୍କର ବୈରାଗ୍ୟ ରହିବ ନାହିଁ। ତପସ୍ୱୀ ଧନବାନ ହେବେ ଏବଂ ଗୃହସ୍ଥ ଦରିଦ୍ର ହେବେ।
- ଶିଷ୍ୟ ଏବଂ ଗୁରୁ ମଧ୍ୟରେ ‘କାଲା’ ଓ ‘ଅନ୍ଧ’ର ସମ୍ପର୍କ ରହିବ। ଶିଷ୍ୟ ଗୁରୁର ଉପଦେଶକୁ ଶୁଣିବେ ନାହିଁ। ଗୁରୁ ଏହାକୁ ଦେଖିବେ ନାହିଁ।