ହୀରା ଭିତରେ ବିରଳ ବରଫକୁ ଦେଖି ଚକିତ ବୈଜ୍ଞାନିକ, ଜାଣନ୍ତୁ କ'ଣ ଏହି ବରଫ-VII?

ଭୁବନେଶ୍ୱର,(ସଂଗ୍ରାମ ଦାଶ ମହାପାତ୍ର): ଆମେରିକା ଲାସ୍ ଭେଗାସର ନେଭାଡା ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ହୀରା ଭିତରେ ଏକ ବିରଳ ଧରଣର ବରଫ ଠାବ କରିଛନ୍ତି । ଏହା ହେଉଛି ବରଫର ସପ୍ତମ ଅବସ୍ଥା ବା ‘ବରଫ-VII’ । ଏହି ପ୍ରକାରର ବରଫ ଅତି ନିୟନ୍ତ୍ରିତ ପରିସ୍ଥିତିରେ ବୈଜ୍ଞାନିକ ଉପାୟରେ କୃତ୍ରିମ ଭାବେ ପ୍ରସ୍ତୁତ କରିବା ସମ୍ଭବ ।କିନ୍ତୁ ପ୍ରାକୃତିକ ଭାବେ ପୃଥିବୀରେ ଏହା ସୃଷ୍ଟି ହୋଇଥାଏ ବୋଲି ବୈଜ୍ଞାନିକଙ୍କୁ ଜଣାନଥିଲା । ତେବେ କ’ଣ ଏହି ବରଫ-VII ? […]

DYRZ2ZQUENAVJPMHVLOYQAHNYA

Rakesh Mallick
  • Published: Saturday, 24 March 2018
  • , Updated: 24 March 2018, 10:55 AM IST

ଭୁବନେଶ୍ୱର,(ସଂଗ୍ରାମ ଦାଶ ମହାପାତ୍ର): ଆମେରିକା ଲାସ୍ ଭେଗାସର ନେଭାଡା ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ହୀରା ଭିତରେ ଏକ ବିରଳ ଧରଣର ବରଫ ଠାବ କରିଛନ୍ତି । ଏହା ହେଉଛି ବରଫର ସପ୍ତମ ଅବସ୍ଥା ବା 'ବରଫ-VII' । ଏହି ପ୍ରକାରର ବରଫ ଅତି ନିୟନ୍ତ୍ରିତ ପରିସ୍ଥିତିରେ ବୈଜ୍ଞାନିକ ଉପାୟରେ କୃତ୍ରିମ ଭାବେ ପ୍ରସ୍ତୁତ କରିବା ସମ୍ଭବ ।କିନ୍ତୁ ପ୍ରାକୃତିକ ଭାବେ ପୃଥିବୀରେ ଏହା ସୃଷ୍ଟି ହୋଇଥାଏ ବୋଲି ବୈଜ୍ଞାନିକଙ୍କୁ ଜଣାନଥିଲା ।

ତେବେ କ'ଣ ଏହି ବରଫ-VII ? ଆମେ ଜାଣିଛୁ ଯେ ଜଳର ତିନିଟି ଅବସ୍ଥା ରହିଛି । ଗ୍ୟାସୀୟ ଅବସ୍ଥାରେ ଜଳୀୟ ବାଷ୍ପ, ତରଳ ଅବସ୍ଥାରେ ଜଳ ଓ କଠିନ ଅବସ୍ଥାରେ ବରଫ । ତେବେ ଅନେକେ  ଜାଣିନଥିବେ ଯେ, ବରଫର ମଧ୍ୟ ଭିନ୍ନଭିନ୍ନ ଅବସ୍ଥା ରହିଛି । ଭିନ୍ନ ଭିନ୍ନ ତାପମାତ୍ରା ଓ ଚାପ ଅନୁସାରେ ବରଫ 7ଟି ଅବସ୍ଥାରେ ରହିପାରେ । ସେଗୁଡ଼ିକ ହେଲା ବରଫ- I (ସାଧାରଣ ବରଫ), II, III, IV,  V, VI, VII । ବରଫ-VIIର ଘନତ୍ୱ ଆମେ ବ୍ୟବହାର କରୁଥିବା ସାଧାରଣ ବରଫ (ବରଫ-I) ଠାରୁ ଦେଢ଼ ଗୁଣ ଅଧିକ । ଏହାର ପରମାଣୁ ସଂରଚନା ମଧ୍ୟ ସାଧାରଣ ବରଫ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ।  ସାଧାରଣ ବରଫରେ ଅମ୍ଳଜାନ ପରମାଣୁ ଷଡ଼ଭୁଜ ଆକୃତିରେ ସଜେଇ ହୋଇ ରହୁଥିବା ବେଳେ ବରଫ-VIIରେ ଏହା ଘନକ୍ଷେତ୍ର ବା କ୍ୟୁବ୍ ଆକୃତିରେ ସଜେଇ ହୋଇଥାଏ ।

ଅନ୍ୟ କଠିନ ପଦାର୍ଥକୁ ଅତ୍ୟଧିକ ଚାପ ପ୍ରୟୋଗ କଲେ ଏହାର ରାସାୟନିକ ବନ୍ଧ ମଧ୍ୟରେ ଥିବା ଫାଙ୍କାସ୍ଥାନ ସାମାନ୍ୟ ସଂକୁଚିତ ହୁଏ । କିନ୍ତୁ ବରଫର ସଂକୋଚନ କ୍ଷମତା ଖୁବ୍ ନ୍ୟୁନ ହୋଇଥିବାରୁ  ଏହାର ପରମାଣୁ ଗୁଡ଼ିକ ସଂକୁଚିତ ହେବା ପରିବର୍ତ୍ତେ ସଂରଚନାରେ ପରିବର୍ତ୍ତନ ହୋଇଯାଏ । ଫଳରେ ସାଧାରଣ ବରଫ (ବରଫ-I)କୁ ଅତ୍ୟଧିକ ଚାପ ପ୍ରୟୋଗ କଲେ ଏହା ବରଫ II, ଏହାପରେ III  ଏବଂ ଏହିପରି IV, V, VI ଓ VII ରେ ପରିଣତ ହୁଏ । କିନ୍ତୁ ବରଫ-VII କୁ ଆଉ ଚାପ ପ୍ରୟୋଗ କଲେ ସେଥିରେ କୌଣସି ପରିବର୍ତ୍ତନା ଆସେନାହିଁ ।  ବୈଜ୍ଞାନିକ ମାନେ ଅନୁମାନ କରୁଥିଲେ ଯେ, ବୃହସ୍ପତିର ଉପଗ୍ରହ ୟୁରୋପା କିମ୍ବା ଶନିର ଉପଗ୍ରହ ଟାଇଟାନ୍ ଓ ଇନସେଲାଡସ୍ ଭଳି ବରଫମୟ ଉପଗ୍ରହରେ ପ୍ରାକୃତିକ ଭାବେ ଏହି ପ୍ରକାର ବରଫ ମିଳୁଥାଇ ପାରେ । କିନ୍ତୁ ପୃଥିବୀରେ ଏହା ପ୍ରାକୃତିକ ଅବସ୍ଥାରେ ମିଳିବ ଏବଂ ତାହା ପୁଣି ଗୋଟିଏ ହୀରା ଭିତରେ, ସେନେଇ ବୈଜ୍ଞାନିକଙ୍କ ଧାରଣା ନଥିଲା ।

ପୃଥିବୀର ମେଣ୍ଟେଲ୍ ସ୍ତରରେ (କ୍ରଷ୍ଟ୍ ଠାରୁ  400 କିଲୋମିଟର ଭିତରକୁ) ଅତ୍ୟଧିକ ତାପମାତ୍ରା ଓ ଚାପ ଯୋଗୁଁ ଅଙ୍ଗାରକରୁ ହୀରା ସୃଷ୍ଟି ହୋଇଥାଏ । ହୀରା ସୃଷ୍ଟି ହେବା ସମୟରେ ବେଳେବେଳେ ତାହାର ପାର୍ଶ୍ୱବର୍ତ୍ତୀ ପରିବେଶରେ ଥିବା ପଦାର୍ଥକୁ  ମଧ୍ୟ ନିଜ ଭିତରେ ଆବଦ୍ଧ କରିଦିଏ । ତେଣୁ ଅନୁମାନ କରାଯାଉଛି ଯେ, ଏହି ଆବିଷ୍କାର ହୋଇଥିବା ହୀରାଟି ତିଆରି ହେବା ସମୟରେ ସେଠାରେ ଥିବା ଅତିଚାପଗ୍ରସ୍ତ ଜଳକଣାକୁ ନିଜ ଭିତରେ ଆବଦ୍ଧ  କରିନେଇଥିଲା । ଏବଂ ପରେ ମେଣ୍ଟେଲ୍ ସ୍ତର ଦେଇ ଗତିକଲା ବେଳେ ତାପମାତ୍ରା କମିଯିବା ସତ୍ତ୍ୱେ ହୀରା ମଧ୍ୟରେ ଥିବା ଜଳକଣାର ଚାପ କମିପାରିଲା ନାହିଁ । ତେଣୁ ଏହି ସ୍ଥିତି ଯୋଗୁଁ ବରଫ-VII
ସେହି ହୀରା ଭିତରେ ଆବଦ୍ଧ ହୋଇ ରହିଯାଇଥାଇପାରେ ।

Related story