କିଙ୍ଗ୍ ନହୋଇ କିଙ୍ଗ୍ ମେକର ହୋଇଥିଲେ ଭଲ ହୋଇଥାଆନ୍ତା କୁମାରସ୍ୱାମୀ! ଲାଗିନଥାଆନ୍ତା ‘ସୁବିଧାବାଦୀ’ ଦାଗ!!

ଭୁବନେଶ୍ୱର (ଜିତେନ୍ଦ୍ର ଗଡ଼ନାୟକ): ଏଚ୍‌.ଡି. କୁମାରସ୍ୱାମୀ ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। କିଙ୍ଗ୍ ମେକର ହେବେ ବୋଲି କହୁଥିଲେ, କିନ୍ତୁ ନିଜେ କିଙ୍ଗ୍ ହୋଇଗଲେ। ଯେଉଁମାନେ (ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ବି.ଏସ୍‌ ୟେଦ୍ୟୁରପ୍ପା) କିଙ୍ଗ୍ ହେବେ ବୋଲି ଆଶା ରଖିଥିଲେ, ସେମାନେ ଅଧିକ ଆସନ ପାଇ ମଧ୍ୟ ନିରାଶ ହେଲେ। ଆସନ ଦୃଷ୍ଟିରୁ ତୃତୀୟ ସ୍ଥାନରେ ରହିଥିଲେ ହେଁ ଜେଡିଏସ୍‌ ନେତା କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ହେବା କଥାକୁ ଅନେକ ଲୋକ ଗ୍ରହଣ କରିପାରୁନାହାଁନ୍ତି […]

kumarswami

Rakesh Mallick
  • Published: Wednesday, 23 May 2018
  • , Updated: 23 May 2018, 08:03 PM IST

ଭୁବନେଶ୍ୱର (ଜିତେନ୍ଦ୍ର ଗଡ଼ନାୟକ): ଏଚ୍‌.ଡି. କୁମାରସ୍ୱାମୀ ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। କିଙ୍ଗ୍ ମେକର ହେବେ ବୋଲି କହୁଥିଲେ, କିନ୍ତୁ ନିଜେ କିଙ୍ଗ୍ ହୋଇଗଲେ। ଯେଉଁମାନେ (ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ବି.ଏସ୍‌ ୟେଦ୍ୟୁରପ୍ପା) କିଙ୍ଗ୍ ହେବେ ବୋଲି ଆଶା ରଖିଥିଲେ, ସେମାନେ ଅଧିକ ଆସନ ପାଇ ମଧ୍ୟ ନିରାଶ ହେଲେ।

ଆସନ ଦୃଷ୍ଟିରୁ ତୃତୀୟ ସ୍ଥାନରେ ରହିଥିଲେ ହେଁ ଜେଡିଏସ୍‌ ନେତା କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ହେବା କଥାକୁ ଅନେକ ଲୋକ ଗ୍ରହଣ କରିପାରୁନାହାଁନ୍ତି ଓ ଏ ସରକାର ୫ ବର୍ଷ ରହିପାରିବନି ବୋଲି କହୁଛନ୍ତି। ବାହାରେ ହେଉଥିବା ଏମିତି ସମାଲୋଚନା ସଂପର୍କରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଅବଗତ ଅଛନ୍ତି। କାରଣ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ମେ’ ୨୧ ତାରିଖରେ ଇଂରାଜୀ ଖବର କାଗଜ ଟାଇମ୍ସ ଅଫ୍ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ କୁମାରସ୍ୱାମୀ କହିଥିଲେ ଯେ ସେ ‘ସୁବିଧାବାଦୀ’ ନୁହଁନ୍ତି। ଲୋକେ ତାଙ୍କୁ ସୁବିଧାବାଦୀ ବୋଲି କହୁଛନ୍ତି। ଏହା ସହିତ ସେ କହିଥିଲେ ଯେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ସେଥିରେ ସେ ଆଦୌ ଖୁସି ନାହାଁନ୍ତି।

ତା’ହେଲେ କ’ଣ କରିଥିଲେ କୁମାରସ୍ୱାମୀଙ୍କ ଦେହରେ  ’ସୁବିଧାବାଦୀ’ ଦାଗ ଲାଗି ନଥାଆନ୍ତା? ସେ ସୁଯୋଗ ବି ତାଙ୍କ ପାଖରେ ଥିଲା, କିନ୍ତୁ ସେ ହାତଛଡ଼ା କଲେ। ଉକ୍ତ ସାକ୍ଷାତକାରରେ କୁମାରସ୍ୱାମୀ ଆହୁରି ମଧ୍ୟ କହିଥିଲେ ଯେ ଲୋକେ ତାଙ୍କ ଉପରେ କିମ୍ବା ତାଙ୍କ ଦଳ ଉପରେ ଭରସା କଲେ ନାହିଁ। ଏଇ କଥାଟିକୁ ସେ କଂଗ୍ରେସର ପ୍ରସ୍ତାବକୁ ଗ୍ରହଣ କରିବା ପୂର୍ବରୁ ଭାବିବାର ଥିଲା। ୭୮ଟି ଆସନ ପାଇଥିବା କଂଗ୍ରେସ ଦଳ ନିର୍ବାଚନ ଫଳାଫଳକୁ ଦେଖି ଜେଡିଏସ୍‌ ସହିତ ମେଣ୍ଟ କରିବା ସହିତ କୁମାରସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଦେଇଥିଲା। ସେତେବେଳେ କୁମାରସ୍ୱାମୀ ମେଣ୍ଟ ପ୍ରସ୍ତାବକୁ ଗ୍ରହଣ କରିଥାଆନ୍ତେ, କିନ୍ତୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ପ୍ରସ୍ତାବକୁ ଗ୍ରହଣ କରି ନଥାଆନ୍ତେ। ତା’ବଦଳରେ ସେ କଂଗ୍ରେସର କାହାରିକୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଦେଇପାରି ଥାଆନ୍ତେ। କାରଣ ତାଙ୍କ ଦଳ ଅପେକ୍ଷା କଂଗ୍ରେସର ବିଧାୟକଙ୍କ ସଂଖ୍ୟା ଅଧିକ। ତାଙ୍କ ଦଳ ମାତ୍ର ୩୬ଟି ଆସନ ପାଇଛି।

କୁମାରସ୍ୱାମୀ ବିଜେପିକୁ ମଧ୍ୟ ସମର୍ଥନ କରିପାରିଥାଆନ୍ତେ। ୧୦୪ ଆସନ ଥିବା ବିଜେପିକୁ ସେ ବାହାରୁ ସମର୍ଥନ କରିପାରିଥାଆନ୍ତେ ଅବା ସରକାରରେ ମଧ୍ୟ ସାମିଲ ହୋଇପାରି ଥାଆନ୍ତେ। କିନ୍ତୁ ଏ ଦୁଇଟିରୁ ସେ କେଉଁଟି ବି କଲେ ନାହିଁ। ବୋଧହୁଏ ଏହା ପଛରେ ଥିଲା ତାଙ୍କର ମୁଖ୍ୟମନ୍ତ୍ରୀ ହେବାର ଲୋଭ। ବିଜେପି ତ ତାଙ୍କୁ କେବେ ବି ମୁଖ୍ୟମନ୍ତ୍ରୀ ପଦ ଯାଚି ନଥାଆନ୍ତା। ଆଉ କଂଗ୍ରେସ ଯେତେବେଳେ ତା’ ଆଡୁ ମୁଖ୍ୟମନ୍ତ୍ରୀ ପଦ ତାଙ୍କୁ ଦେବ ବୋଲି କହିଲା ସେ ସଙ୍ଗେ ସଙ୍ଗେ ସେହି ପ୍ରସ୍ତାବରେ ରାଜି ହୋଇଗଲେ।

ମେ’ ୨୨ ତାରିଖରେ କୁମାରସ୍ୱାମୀଙ୍କ ବାପା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଜେଡିଏସ୍‌ର ସଭାପତି ଏଚ୍‌.ଡି ଦେବେଗୌଡ଼ାଙ୍କର ଏକ ସାକ୍ଷାତକାର ଇଂରାଜୀ ଖବରକାଗଜ ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶ ପାଇଥିଲା। ସେଥିରେ ସେ ବିଜେପି ଉଦ୍ଦେଶ୍ୟରେ କହିଥିଲେ ଯେ ସାଂପ୍ରଦାୟିକ ଦଳକୁ ରୋକି ପାରିଥିବାରୁ ସେ ବହୁତ ସନ୍ତୁଷ୍ଟ। ଯଦି ଜେଡିଏସ୍ କେବଳ ରାଜ୍ୟରେ ବିଜେପିକୁ ଯେକୌଣସି ମତେ ସରକାର ଗଠନ କରିବାକୁ ଦେବାକୁ ଚାହୁଁ ନଥିଲା, ତା’ହେଲେ ନିର୍ବାଚନ ଫଳାଫଳ ଆସିବା ପରେ କଂଗ୍ରେସକୁ ଖୋଲାଖୋଲି ସମର୍ଥନ କରିପାରିଥାଆନ୍ତା। କିନ୍ତୁ କୁମାରସ୍ୱାମୀ ଅବା ତାଙ୍କ ବାପା ଦେବେଗୌଡ଼ା ତାହା ବି କଲା ନାହିଁ। ତେଣୁ ଲୋକେ କୁମାରସ୍ୱାମୀଙ୍କୁ ’ସୁବିଧାବାଦୀ’ କହିବାକୁ ସୁଯୋଗ ପାଇଲେ।

ଏବେ ପ୍ରଶ୍ନ ଉଠୁଛି କୁମାରସ୍ୱାମୀଙ୍କ ଦେହରୁ ଏ ‘ସୁବିଧାବାଦୀ’ ଦାଗ ଉଠିପାରିବ କି? ଉକ୍ତ ସାକ୍ଷାତକାରରେ ସେ କହିଥିଲେ ଯେ ଯଦିଓ ତାଙ୍କ ଉପରେ ଓ ତାଙ୍କ ଦଳ ଉପରେ ଲୋକେ ଭରସା କରି ନାହାଁନ୍ତି, ତଥାପି ସେ ମୁଖ୍ୟମନ୍ତ୍ରୀ ଭାବେ ଅଲଗା ପ୍ରକାରେ ନିଜକୁ ପ୍ରମାଣିତ କରିବେ। ନିଜକୁ ଜଣେ ଅଲଗା ମୁଖ୍ୟମନ୍ତ୍ରୀ ଭାବେ ପ୍ରମାଣିତ କରିବାକୁ ସେ କ’ଣ ସବୁ ଯୋଜନା କରିଛନ୍ତି ତାହା ସେ ଜାଣିଥିବେ। ଲୋକଙ୍କୁ ତାଙ୍କର ଯୋଜନା କେତେ ପସନ୍ଦ ଆସିବ ଓ ରାଜ୍ୟର ବିକାଶରେ ତାହା କେତେ ଭଲ ସାବ୍ୟସ୍ତ ହେବ ତାହା ଆଗାମୀ ଦିନରେ ଜଣାପଡ଼ିବ। ଯଦି ସେ ସତରେ ନିଜକୁ ଜଣେ ଭଲ ମୁଖ୍ୟମନ୍ତ୍ରୀ ଭାବେ ପ୍ରମାଣିତ କରିପାରିବେ, ତା’ହେଲେ ତ ଭଲ କଥା। ‘ସୁବିଧାବାଦୀ’ ଦାଗକୁ ତାହା ହୁଏତ ଲିଭାଇ ପାରିବ ଓ ଆଗାମୀ ନିର୍ବାଚନରେ ତାଙ୍କ ଦଳ ବି ଲାଭବାନ ହେବ। ତେବେ ଜେଡିଏସ୍‌ ଠାରୁ ଅଧିକ ସଂଖ୍ୟା ଥିବା କଂଗ୍ରେସ କ’ଣ କୁମାରସ୍ୱାମୀଙ୍କୁ ତାଙ୍କର ସବୁ ଯୋଜନା ଉପରେ ଅମଳ କରିବାକୁ ଦେବ?

ସମନ୍ୱୟ ଓ ଉଚିତ ବୁଝାମଣା ରକ୍ଷା କରି ଯଦି କୁମାରସ୍ୱାମୀ ଏ ସରକାରକୁ ୫ ବର୍ଷ ଚଳାଇ ଦିଅନ୍ତି, ତା’ହେଲେ ବି ମାଇଲେଜ୍ ନେଇପାରନ୍ତି। ହୁଏତ ବିଜେପିକୁ ଅଟକାଇବାକୁ ଯାଇ କଂଗ୍ରେସ ବି ଏ ସରକାରକୁ ୫ ବର୍ଷ ଚାଲିବାକୁ ଦେଇପାରେ। ତେବେ ଆଜି ପ୍ରଥମ ଦିନରେ ପାଦ ଥାପିଥିବା କଂଗ୍ରେସ-ଜେଡିଏସ୍‌ର ସରକାରର ବୟସ ଯେତିକି ବଢ଼ି ଚାଲିବ ସେଇ ଅନୁସାରେ ସେମାନଙ୍କ ମେଣ୍ଟର ଆୟୂଷ ସଂପର୍କରେ ଅନୁମାନ ଲଗାଯାଇପାରିବ।

ଶେଷରେ ଏତିକି କୁହାଯାଇପାରେ ଯେ କିଙ୍ଗ୍‌ ମେକର ହୋଇ କୁମାରସ୍ୱାମୀ ଯେଉଁ ସମ୍ମାନ ପାଇଥାଆନ୍ତେ କିଙ୍ଗ୍ ହୋଇ ସେଇ ସମ୍ମାନ ପାଇନାହାଁନ୍ତି। କିଙ୍ଗ୍ ମେକର ହୋଇଥିଲେ ଏ ‘ସୁବିଧାବାଦୀ’ ଦାଗ ତାଙ୍କ ଦେହରେ କେବେ ଲାଗି ନଥାଆନ୍ତା। ତେଣୁ ଦାଗ ଲିଭାଇବା ପର୍ଯ୍ୟନ୍ତ କଥା ଯାଇନଥାଆନ୍ତା।

Related story