ଘୋଷଯାତ୍ରା ସୁରୁଖୁରୁରେ ପାଳନ ପାଇଁ ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଚଳିତବର୍ଷ ଘୋଷଯାତ୍ରା ଠିକ୍‌ ସମୟରେ ସମ୍ପନ୍ନ କରିବା ଓ ସମସ୍ତ ନୀତି ନିୟମ ସଠିକ୍‌ ଭାବେ ପାଳନ କରିବା ଉପରେ ଆଜି ଅନୁଷ୍ଠିତ ରଥଯାତ୍ରା ପ୍ରସ୍ତୁତି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି। ରଥଯାତ୍ରା ସୁରୁଖୁରୁରେ ସଂପନ୍ନ କରିବାରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି,“ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ମୁଁ ଆଶା କରୁଛି ଚଳିତବର୍ଷ ରଥଯାତ୍ରା […]

car-festival

Rakesh Mallick
  • Published: Tuesday, 28 June 2016
  • , Updated: 28 June 2016, 05:08 PM IST

ପୁରୀ: ଚଳିତବର୍ଷ ଘୋଷଯାତ୍ରା ଠିକ୍‌ ସମୟରେ ସମ୍ପନ୍ନ କରିବା ଓ ସମସ୍ତ ନୀତି ନିୟମ ସଠିକ୍‌ ଭାବେ ପାଳନ କରିବା ଉପରେ ଆଜି ଅନୁଷ୍ଠିତ ରଥଯାତ୍ରା ପ୍ରସ୍ତୁତି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି। ରଥଯାତ୍ରା ସୁରୁଖୁରୁରେ ସଂପନ୍ନ କରିବାରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି,“ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ମୁଁ ଆଶା କରୁଛି ଚଳିତବର୍ଷ ରଥଯାତ୍ରା ସଫଳତାର ସହ ସମାପନ କରାଯିବ। ଆଜି ପ୍ରତ୍ୟେକ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। ଯାହା କିଛି ଛୋଟ ଛୋଟ ସମସ୍ୟା ରହିଛି ଖୁବଶୀଘ୍ର ତାହାର ସମାଧାନ କରାଯିବ।”

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର କହିଛନ୍ତି,“ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରଥ ତିଆରି କାମ ଚାଲିଛି। ରଥ ତିଆରି ପାଇଁ ଯାହା ଯାହା ସମଗ୍ରୀ ଦରକାର ସବୁ ଆସି ଯାଇଛି। ରଥଯାତ୍ରା, ବାହୁଡ଼ା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସବୁ ନୀତି ନିର୍ଘଣ୍ଟ ପ୍ରସ୍ତୁତି ସରିଛି। ସେବାୟତମାନଙ୍କ ସହିତ ଆଲୋଚନା ଶେଷ ହୋଇଛି। ଗତ ଦୁଇବର୍ଷ ହେବ ରଥ ଉପରକୁ କାହାକୁ ଛଡ଼ାଯାଉ ନାହିଁ। ପହଣ୍ଡି ସମୟରେ ମଧ୍ୟ କୌଣସି ଜଣେ ବି ଲୋକ ଯେପରି ରଥ ଉପରକୁ ଯିବେ ନାହିଁ, ସେଥିପାଇଁ ପଦକ୍ଷେପ ନିଆଯାଉଛି। ଯାହା ନିୟମ କରାଯାଇଛି ତାହା କଡ଼ାକଡ଼ି ଭାବେ ପାଳନ କରାଯିବ।”

ଗୋପବନ୍ଧୁ ଆୟୁର୍ବେଦକ କଲେଜ ପରିସରରେ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ସ୍ୱତନ୍ତ୍ର ସମନ୍ୱୟ ସମୀକ୍ଷା ବୈଠକ ମାତ୍ର ୩୫ ମିନିଟ୍‌ରେ ଶେଷ ହୋଇଥିଲା।  ବୈଠକରେ ବିଭାଗୀୟ ମନ୍ତ୍ରୀ, ସଚିବ, ସେବାୟତ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ସମୟରେ କୌଣସି ଅପ୍ରୀତିକର ଘଟଣା ଏଡାଇବା ପାଇଁ ପୋଲିସ୍ ୨୦ ଜଣ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଥିଲା। ପୋଲିସ୍‌ର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି  ବିଜେପି ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯାଇଥିଲା। ବୈଠକ ସ୍ଥଳ ନିକଟ ଝାଡେଶ୍ୱରୀ ଛକରେ ବିଜେପି ଓ ବିଜେଡ଼ି କର୍ମୀ ମୁହାଁମୁହିଁ  ହୋଇଥିଲେ।

Related story