ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ; ଜୁଲାଇ ଶେଷ ସୁଦ୍ଧା ଚାଷୀଙ୍କୁ ଖରିଫ ଲୋନ୍‌ ଦିଅ

ଭୁବନେଶ୍ୱର: ଜୁଲାଇ ଶେଷ ସୁଦ୍ଧା ଚାଷୀଙ୍କୁ ଖରିଫ ଲୋନ୍‌ ଦିଅ। ଡାଲି ଓ ତୈଳ ଜାତୀୟ ଶସ୍ୟ ସହ ଆଳୁ ଓ ଅନ୍ୟ ଅର୍ଥକାରୀ ଫସଲ ପାଇଁ ଶୀଘ୍ର ଖରିଫ ଋଣ ଦିଅ। ରାଜ୍ୟର ସବୁ ଜିଲ୍ଲପାଳଙ୍କୁ ଏହି ନିର୍ଦ୍ଦେଶ ଦେଇଛି ସମବାୟ ବିଭାଗ । ଗତବର୍ଷ ବିଭାଗ ଧାର୍ଯ୍ୟ କରିଥିବା ଟାର୍ଗେଟ୍‌ରେ ପହଞ୍ଚିବାରେ ସରକାର ବିଫଳ ହେବାରୁ ଏଥର ଲୋନ୍‌ ଦେବା ପାଇଁ ନିର୍ଦ୍ଧିଷ୍ଟ ସମୟସୀମା ଧାର୍ଯ୍ୟ କରିଛି ବିଭାଗ। ଏହି ନିର୍ଦ୍ଦେଶରେ ଛୋଟ ଓ […]

farmer-cultivate

Rakesh Mallick
  • Published: Thursday, 14 April 2016
  • , Updated: 14 April 2016, 04:27 PM IST

ଭୁବନେଶ୍ୱର: ଜୁଲାଇ ଶେଷ ସୁଦ୍ଧା ଚାଷୀଙ୍କୁ ଖରିଫ ଲୋନ୍‌ ଦିଅ। ଡାଲି ଓ ତୈଳ ଜାତୀୟ ଶସ୍ୟ ସହ ଆଳୁ ଓ ଅନ୍ୟ ଅର୍ଥକାରୀ ଫସଲ ପାଇଁ ଶୀଘ୍ର ଖରିଫ ଋଣ ଦିଅ। ରାଜ୍ୟର ସବୁ ଜିଲ୍ଲପାଳଙ୍କୁ ଏହି ନିର୍ଦ୍ଦେଶ ଦେଇଛି ସମବାୟ ବିଭାଗ । ଗତବର୍ଷ ବିଭାଗ ଧାର୍ଯ୍ୟ କରିଥିବା ଟାର୍ଗେଟ୍‌ରେ ପହଞ୍ଚିବାରେ ସରକାର ବିଫଳ ହେବାରୁ ଏଥର ଲୋନ୍‌ ଦେବା ପାଇଁ ନିର୍ଦ୍ଧିଷ୍ଟ ସମୟସୀମା ଧାର୍ଯ୍ୟ କରିଛି ବିଭାଗ।

ଏହି ନିର୍ଦ୍ଦେଶରେ ଛୋଟ ଓ ନାମମାତ୍ର ଚାଷୀଙ୍କୁ ପ୍ରଥମେ ଋଣ ଦେବାକୁ ପ୍ରାଧାନ୍ୟ ଦିଆଯାଇଛି। ଜିଲ୍ଲା ସମବାୟ ବ୍ୟାଙ୍କକୁ ଏଥିପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ କୁହାଯାଇଛି। ଏହାସହ ବିଭାଗ ଖରିପ୍‌ ପାଇଁ ଏଥର ଟାର୍ଗେଟ ବଢାଇଛି। ଗତବର୍ଷ ସରକାର ଏହି ଟାର୍ଗେଟ ୫୫୦୦ କୋଟି ଟଙ୍କା ରଖିଥିବା ବେଳେ ଚାଷୀଙ୍କୁ ୫୦୭୭ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଏଥର ୬୦୦୦ କୋଟି ଟଙ୍କା ଟାର୍ଗେଟ ଦିଆଯାଇଛି।

ଅନ୍ୟପକ୍ଷରେ ସମବାୟ ବିଭାଗ ଦେଇଥିବା ଟାର୍ଗେଟ ପହଞ୍ଚିବା ପାଇଁ କୃଷି, ଉଦ୍ୟାନକୃଷି, ମତ୍ସ୍ୟ ଓ ଏ ସମ୍ପର୍କିତ ଅନ୍ୟ ବିଭାଗର ଅଧିକାରୀଙ୍କ ସହଯୋଗ ନେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି। ତେବେ ପ୍ରକୃତ ଚାଷୀ ଚିହ୍ନଟ ହୋଇପାରି ନ ଥିବାରୁ ସରକାରଙ୍କ ଏହି ଯୋଜନାର କାର୍ଯ୍ୟକାରୀତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଚାଷୀ ସଂଗଠନ।

ଚାଷୀଙ୍କୁ ଖରିଫ ଲୋନ୍‌ ନେଇ ନବନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାର କହିଛନ୍ତି,“ଯଦି ସରକାର ସିଷ୍ଟମଟିକୁ ଠିକ୍‌ କରନ୍ତେ ତେବେ ଚାଷୀ ଉପକୃତ ହୁଅନ୍ତେ। ପ୍ରଥମେ ଚାଷୀମାନଙ୍କୁ ଚିହ୍ନଟ କରିବା, ଭାଗଚାଷୀକୁ ତା’ର ମାନ୍ୟତା ଦେବା।  କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଯେଉଁ ଋଣ ଦେବା ବ୍ୟବସ୍ଥା କରାଯାଇଛି, ତାକୁ ସଫଳ କରିବାକୁ ହେଲେ ପ୍ରଶାସନ କଳକୁ ଦୃଢ କରିବାକୁ ପଡିବ। ସରକାରଙ୍କ ଦ୍ୱାରା ଏହି ଯେଉଁ ପ୍ରକ୍ରିୟାରେ କାର୍ଯ୍ୟ ହେଉଛି ଚଳିତ ଜୁଲାଇ କ’ଣ ଆସନ୍ତା ବର୍ଷ ଜୁଲାଇ ମାସ ହେଲେ ମଧ୍ୟ ସରିବ ନାହିଁ।”

ଏନେଇ ସମବାୟ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି,“ଜୁଲାଇ ୩୧ ତାରିଖ ସୁଦ୍ଧା ଚାଷୀଙ୍କୁ ଖରିଫ ଲୋନ୍‌ ଦିଆଯିବା ଦରକାର। ଏହା ଚାଷୀମାନେ ଋଣ ନେଲା ପରେ ଅର୍ଥକୁ ଚାଷରେ ବିନିଯୋଗ ନ କରି ଅଣଉତ୍ପାଦନ କ୍ଷେତ୍ରରେ ବିନିଯୋଗ କରୁଛନ୍ତି। ଅଗଷ୍ଟ-ସେପ୍ଟେମ୍ବର ମାସରେ ଖରିଫ ଋଣ ଦିଆଯାଉଥିଲା, ଯାହାକି ଉଚିତ ନୁହେଁ। ତେଣୁ ଏବର୍ଷ ସରକାରଙ୍କ ପକ୍ଷରୁ ଋଣ ଦେବାକୁ କ୍ୟାମ୍ପେନ୍‌ ଆରମ୍ଭ କରାଯାଇଛି।”

ସୂଚନାଯୋଗ୍ୟ, ଗତବର୍ଷ ଋଣ ସୁଝି ନ ପାରିବା ନେଇ ରାଜ୍ୟର ଅନେକ ସ୍ଥାନରେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଥିଲା। ରାଜ୍ୟର ୧୭,୩୪,୦୦୦ ଚାଷୀ କେବଳ ସମବାୟ ବିଭାଗ ମାଧ୍ୟମରେ ଋଣ ନେଇଥିଲେ।

Related story