ଜଷ୍ଟିସ୍‌ ଦାସଙ୍କ ବହିଷ୍କାର ଓ ସଞ୍ଜୟଙ୍କ ଇସ୍ତଫା ଦାବିରେ ବିଧାନସଭା ଅଚଳ

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍ କମିଶନ୍ ଅଧ୍ୟକ୍ଷ ଜଷ୍ଟିସ୍ ଏମ୍‌.ଏମ୍‌ ଦାସଙ୍କ ବହିଷ୍କାର ଦାବିରେ ଆଜି ପୁଣି ଅଚଳ ହୋଇଛି ବିଧାନସଭା। ଜଷ୍ଟିସ୍‌ ଦାସଙ୍କ ବହିଷ୍କାର ସହିତ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଦାବି କରି ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବି ଘୋଷଣା କରିଥିଲେ। ବାଚସ୍ପତି ପ୍ରଥମେ ଦିନ ୧୨ଟା ୩୦ ଯାଏଁ ଓ ପରେ ଅପରାହ୍ନ ୩ଟା ଯାଏଁ ମୁଲତବି ଘୋଷଣା କରିଥିଲେ। ତା’ପରେ ବି ବିରୋଧୀଙ୍କ ହୋହାଲ୍ଲା […]

bjp's protest

Rakesh Mallick
  • Published: Monday, 02 May 2016
  • , Updated: 02 May 2016, 12:37 PM IST

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍ କମିଶନ୍ ଅଧ୍ୟକ୍ଷ ଜଷ୍ଟିସ୍ ଏମ୍‌.ଏମ୍‌ ଦାସଙ୍କ ବହିଷ୍କାର ଦାବିରେ ଆଜି ପୁଣି ଅଚଳ ହୋଇଛି ବିଧାନସଭା। ଜଷ୍ଟିସ୍‌ ଦାସଙ୍କ ବହିଷ୍କାର ସହିତ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଦାବି କରି ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବି ଘୋଷଣା କରିଥିଲେ। ବାଚସ୍ପତି ପ୍ରଥମେ ଦିନ ୧୨ଟା ୩୦ ଯାଏଁ ଓ ପରେ ଅପରାହ୍ନ ୩ଟା ଯାଏଁ ମୁଲତବି ଘୋଷଣା କରିଥିଲେ। ତା’ପରେ ବି ବିରୋଧୀଙ୍କ ହୋହାଲ୍ଲା ଜାରି ରହିବାରୁ ବାଚସ୍ପତି ପ୍ରଥମେ ଅଧାଘଣ୍ଟା ଓ ପରେ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବି ରଖିଥିଲେ।

ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ବିଧାୟକମାନେ ଜଷ୍ଟିସ୍‌ ଏମ୍‌.ଏମ୍‌ ଦାସ ଓ ସଞ୍ଜୟ ଦାସବର୍ମାଙ୍କୁ ହଟାଇବା ନେଇ ଦାବି କରିଥିଲେ। ଉଭୟ ଦଳର ବିଧାୟକମାନେ ଗୃହର ମଧ୍ୟ ଭାଗକୁ ଆସି ନାରା ଦେଇଥିଲେ। ବାଚସ୍ପତି ଚିଟ୍‌ଫଣ୍ଡ୍‌ ମାମଲାରେ ଆଲୋଚନା କରିବାକୁ ଅନୁମତି ଦେଉ ନ ଥିବାରୁ ବିଜେପି ବିଧାୟକମାନେ ଅଭିନବ ଉପାୟରେ ପ୍ରତିବାଦ ଜଣାଇଥିଲେ। ବାଚସ୍ପତି ଗୃହରେ ପ୍ରବେଶ କରିବା ମାତ୍ରେ ସେମାନେ “ଚିଟ୍‌ଫଣ୍ଡ ଦୁର୍ନୀତିରେ ସଂପୃକ୍ତ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଦିଅ” ଓ “ଚିଟ୍‌ଫଣ୍ଡ୍ ଦୁର୍ନୀତିର ଅଭିଯୁକ୍ତଙ୍କୁ ଛାଡ଼ି ଦେବାକୁ ଚକ୍ରାନ୍ତ କରୁଥିବା ଜଷ୍ଟିସ୍ ଏମ୍‌.ଏମ୍‌ ଦାସଙ୍କୁ ବହିଷ୍କାର ଆମର ଦାବି” ଲେଖାଥିବା ଗାଉନ୍ ପିନ୍ଧି ହୋହାଲ୍ଲା କରିଥିଲେ। ଅଚଳାବସ୍ଥାକୁ ଦେଖି ବାଚସ୍ପତି ଗୃହକୁ ଦିନ ସାଢ଼େ ୧୨ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ। ତେବେ ତା’ ପରେ ବି ସ୍ଥିତିରେ କୌଣସି ସୁଧାର ଆସି ନ ଥିଲା। ସାଢ଼େ ୧୨ଟା ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳଗୁଡ଼ିକ ପୁଣି ସେମାନଙ୍କ ଦାବି ଦୋହରାଇ ଥିଲେ। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି କରିଥିଲେ। ଏହା ପରେ ବି ଗୃହ କାର୍ଯ୍ୟ ସ୍ୱାଭାବିକ୍ ହୋଇ ନ ଥିଲା। ବିଜେପି ବିଧାୟିକା ରାଧାରାଣୀ ପଣ୍ଡା ବାଚସ୍ପତିଙ୍କ ପୋଡ଼ିୟମରେ ଥିବା ମାଇକ୍ ଭାଙ୍ଗି ଦେଇଥିଲେ। ଏହା ପରେ ବାଚସ୍ପତି ଗୃହକୁ ଅଧାଘଣ୍ଟା ପାଇଁ ମୁଲତବି କରିଥିଲେ। ତା’ପରେ ବି ଗୃହ ସ୍ୱାଭାବିକ ହୋଇ ନ ଥିଲା। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ରିପୋର୍ଟର ଟେବୁଲ୍‌ ଉପରେ ଚଢ଼ି ନାରାବାଜି କରିଥିଲେ।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି,“ଉଭୟ ସଞ୍ଜୟ ଦାସବର୍ମା ଓ ଜଷ୍ଟିସ୍ ଏମ୍‌.ଏମ୍‌ ଦାସଙ୍କ ପ୍ରସଙ୍ଗକୁ ଆମେ ଗୁରୁତ୍ୱ ଦେଉଛୁ। ଜଷ୍ଟିସ୍ ଦାସ ଏପର୍ଯ୍ୟନ୍ତ ନିଜ ପଦରୁ ଇସ୍ତଫା ଦେଇ ନାହାନ୍ତି କି ସରକାର ବିଜ୍ଞପ୍ତି ଜାରି କରି ତାଙ୍କୁ ବହିଷ୍କାର କରି ନାହାନ୍ତି। ଏ ପ୍ରସଙ୍ଗରେ ଗୃହରେ ଆଲୋଚନା କରିବାକୁ ଆମେ ଦାବି କରୁଛୁ। ଏ ପ୍ରସଙ୍ଗରେ ଗୃହରେ ଆଲୋଚନା ହୋଇପାରିବ ନାହିଁ ବୋଲି ବାଚସ୍ପତି ରୁଲିଂ ଦେଇଛନ୍ତି। କିନ୍ତୁ ବାଚସ୍ପତି ତାଙ୍କ ରୁଲିଂ ପ୍ରତ୍ୟାହାର କରି ନେଇ ପାରିବେ।”

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,“ଜଷ୍ଟିସ୍ ଏମ୍‌.ଏମ୍‌ ଦାସ ଯେଉଁ ମନ୍ତବ୍ୟ ଦେଇଥିଲେ ତା’ଉପରେ ମୁଖ୍ୟମନ୍ତ୍ରୀ ଗୃହରେ ସ୍ପଷ୍ଟୀକରଣ ଦେବା ନେଇ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ଆମେ ଦାବି କରିଥିଲୁ। ସେଥିପାଇଁ ଶନିବାର ଗୃହ କାର୍ଯ୍ୟରେ ସହଯୋଗ କରିଥିଲୁ। କିନ୍ତୁ ବାଚସ୍ପତି ରୁଲିଂ ଦେଲେ ନାହିଁ। ତେଣୁ ଆଜି ପୁଣି ଥରେ ଆମେ ଏହାକୁ ପ୍ରସଙ୍ଗ କରିଛୁ। ବିଜେପି ଜଷ୍ଟିସ୍ ଦାସଙ୍କ ବହିଷ୍କାର ସହିତ ଚିଟ୍‌ଫଣ୍ଡ୍‌ ଦୁର୍ନୀତିରେ ସଂପୃକ୍ତ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଦାବି କରିଛି। ଜଷ୍ଟିସ୍‌ ଦାସଙ୍କ ବକ୍ତବ୍ୟ ସଂପର୍କରେ ସରକାର ସ୍ପଷ୍ଟୀକରଣ ଦେବାକୁ ରୁଲିଂ ଦେବାକୁ ଆମେ ଆଜି ପୁଣି ବାଚସ୍ପତିଙ୍କ ନିକଟରେ ଦାବି କରିଛୁ।”

ବିଜେପି ବିଧାୟକ ରାଧାରାଣୀ ପଣ୍ଡା କହିଛନ୍ତି,“ରାଜ୍ୟରେ ୨୦ ଲକ୍ଷ ଲୋକ ଚିଟ୍‌ଫଣ୍ଡ୍‌ ଦୁର୍ନୀତିର ଶିକାର ହୋଇଛନ୍ତି। ଏଥିରେ ପ୍ରାୟ ୧୦,୦୦୦ କୋଟି ଟଙ୍କାର ଘୋଟାଲା ହୋଇଛି। ଆମେ ଏ ସଂପର୍କରେ ଗୃହରେ ଆଲୋଚନା କରିବାକୁ ଦାବି କରୁଛୁ। କିନ୍ତୁ ବାଚସ୍ପତି ଅନୁମତି ଦେଉ ନାହାନ୍ତି। ସେଥିପାଇଁ ଗୃହକୁ ପ୍ଲାକାର୍ଡ, ବ୍ୟାନର ଆଦି ନ ଆଣିବାକୁ ବାଚସ୍ପତି କହିଥିଲେ ହେଁ ଆଜି ଆମେ ଗାଉନ୍‌ ପିନ୍ଧି ଅଭିନବ ଉପାୟରେ ଏ ପ୍ରସଙ୍ଗରେ ପ୍ରତିବାଦ ଜଣାଇଛୁ।”

ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି,“ବିରୋଧୀ ଦଳଗୁଡ଼ିକ ବାରମ୍ବାର ଗୃହକୁ ଅଚଳ କରି ଏକ ଅସୁସ୍ଥ ପରମ୍ପରା ସୃଷ୍ଟି କରୁଛନ୍ତି। କେବଳ ରାଜନୈତିକ ମାଇଲେଜ୍‌ ନେବା ଲାଗି ବିରୋଧୀ ଦଳଗୁଡ଼ିକ ଏ ପ୍ରସଙ୍ଗ ଉଠାଉଛନ୍ତି। ସେମାନେ ମୂଳ ପ୍ରସଙ୍ଗରୁ ହଟି ଯାଉଛନ୍ତି। ମୂଳ ପ୍ରସଙ୍ଗ ହେଉଛି ଚିଟ୍‌ଫଣ୍ଡ୍‌ ଜମାକାରୀମାନେ କିପରି ଟଙ୍କା ଫେରସ୍ତ ପାଇବେ ଓ ଅଭିଯୁକ୍ତମାନେ କିପରି ଦଣ୍ଡ ପାଇବେ। କିନ୍ତୁ ବିରୋଧୀ ଦଳଗୁଡ଼ିକ ଏଥିରୁ ହଟିଯାଇ ରାଜନୈତିକ ଉଦ୍ଦେଶ୍ୟ ରଖି ଜଷ୍ଟିସ୍ ଦାସ ଓ ସଞ୍ଜୟ ଦାସବର୍ମାଙ୍କ ପ୍ରସଙ୍ଗ ଉଠାଇ ଗୃହକୁ ଅଚଳ କରି ଦେଉଛନ୍ତି।”

ଗତ ଶୁକ୍ରବାର ଓ ଶନିବାର ମଧ୍ୟ ଚିଟ୍‌ଫଣ୍ଡ୍‌ କମିଶନ ଅଧ୍ୟକ୍ଷ ଜଷ୍ଟିସ୍‌ ଦାସଙ୍କ ପ୍ରସଙ୍ଗରେ ବିଧାନସଭାରେ ଅଚଳାବସ୍ଥା ଦେଖାଯାଇଥିଲା।

ସୂଚନାଯୋଗ୍ୟ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଗତ ବୁଧବାର ରାତିରେ କଟକରେ ବିଜେଡି ଆଇନଜୀବୀ ସାମୁଖ୍ୟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜଷ୍ଟିସ୍ ଦାସ ଯୋଗ ଦେଇ କହିଥିଲେ ଯେ ଲୋଭଗ୍ରସ୍ତ ହୋଇ ଚିଟ୍‌ଫଣ୍ଡ୍ ଜମାକାରୀମାନେ ଠକେଇର ଶିକାର ହୋଇଛନ୍ତି। ଏଥିରେ ସରକାର ଅବା ଆଉ କାହାରି ଭୂମିକା ନାହିଁ। ସରକାର କାହିଁକି ଟଙ୍କା ଫେରାଇବେ? ଅତିବେଶୀ ହେଲେ ସରକାର ପ୍ରାକୃତିକ ଦୁର୍ବିପାକ ସହାୟତା ଭଳି କିଛି ଟଙ୍କା ଦେଇପାରନ୍ତି।

Related story