ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ୍ ଦୀପକ ମିଶ୍ର। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶପଥ ପାଠ କରାଇଥିଲେ। ସେ ଦେଶର ୪୫ ତମ ମୁଖ୍ୟ ବିଚାରପତି ହୋଇଛନ୍ତି। ତୃତୀୟ ଓଡ଼ିଆ ଭାବେ ଜଷ୍ଟିସ୍ ମିଶ୍ର ଏହି ସମ୍ମାନଜନକ ପଦ ଅଳଙ୍କୃତ କରିଛନ୍ତି। ୨୦୧୮ ଅକ୍ଟୋବର ୨ ତାରିଖ ଯାଏଁ ସେ ଏହି ପଦରେ ରହିବେ।
ମୁମ୍ବାଇ ବିସ୍ଫୋରଣ ମାମଲାର ଦୋଷୀ ୟାକୁବ୍ ମେମନର ଫାଶୀ ଦଣ୍ଡ ରୋକିବା ଲାଗି ହୋଇଥିବା ଆବେଦନର ଶୁଣାଣି ତାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ହୋଇଥିଲା। ରାତିସାରା ଶୁଣାଣି କରିବା ପରେ ଭୋର ୪ଟା ୫୫ ମିନିଟରେ ଫାଶୀ ଦଣ୍ଡାଦେଶକୁ କାଏମ୍ ରଖିଥିଲେ ଜଷ୍ଟିସ ମିଶ୍ର।
ଜଷ୍ଟିସ୍ ମିଶ୍ରଙ୍କ ପୂର୍ବରୁ ଜଷ୍ଟିସ୍ ରଙ୍ଗନାଥ ମିଶ୍ର ଏବଂ ଜଷ୍ଟିସ୍ ଗୋପାଳ ବଲ୍ଲଭ ପଟ୍ଟନାୟକ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ହେବାର ଗୌରବ ଅର୍ଜନ କରିଥିଲେ। ଜଷ୍ଟିସ୍ ଦୀପକ ମିଶ୍ର ହେଉଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚରାପତି ଜଷ୍ଟିସ୍ ରଙ୍ଗନାଥ ମିଶ୍ରଙ୍କ ପୁତୁରା। ଜଷ୍ଟିସ୍ ମିଶ୍ର ୧୯୯୬, ଜାନୁଆରୀ ୧୭ରେ ଓଡ଼ିଶା ହାଇକୋର୍ଟର ଅତିରିକ୍ତ ବିଚାରପତି ଓ ୧୯୯୭ ଡିସେମ୍ବର ୧୯ରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ସେ। ସୁପ୍ରିମକୋର୍ଟ ବିଚାରପତି ହେବା ପୂର୍ବରୁ ସେ ୨୦୦୯ ଡିସେମ୍ବରରେ ପାଟନା ହାଇକୋର୍ଟ ଓ ୨୦୧୦ ମେ ୨୪ରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ।