କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ଆର୍ଥିକ କାରବାରର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି

ଭୁବନେଶ୍ୱର/କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ସନ୍ଦେହଜନକ ଆର୍ଥିକ କାରବାରର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରାଇବାକୁ ଆଜି ବିଜେପି ପକ୍ଷରୁ ଦାବି କରାଯାଇଛି। ଏହି ସୋସାଇଟି ଆବଶ୍ୟକ ବ୍ୟାଙ୍କିଙ୍ଗ୍ ଲାଇସେନ୍ସ ନ ଥାଇ ଆର୍ଥିକ କାରବାର ଚଳାଇଥିବା ନେଇ ମାର୍ଚ୍ଚ ୩୦ ତାରିଖରେ ବିଧାନସଭାରେ ବିଜେଡି ବିଧାୟକ ଦେବାଶିଷ ନାୟକ ଅଭିଯୋଗ ଆଣିବା ପରେ ବି ବିଜେପି ପକ୍ଷରୁ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି ସୁକାନ୍ତ ଦ୍ୱିବେଦୀ କହିଛନ୍ତି,“କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି […]

kendrapada-co-operative

Rakesh Mallick
  • Published: Sunday, 03 April 2016
  • , Updated: 03 April 2016, 02:59 PM IST

ଭୁବନେଶ୍ୱର/କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ସନ୍ଦେହଜନକ ଆର୍ଥିକ କାରବାରର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରାଇବାକୁ ଆଜି ବିଜେପି ପକ୍ଷରୁ ଦାବି କରାଯାଇଛି। ଏହି ସୋସାଇଟି ଆବଶ୍ୟକ ବ୍ୟାଙ୍କିଙ୍ଗ୍ ଲାଇସେନ୍ସ ନ ଥାଇ ଆର୍ଥିକ କାରବାର ଚଳାଇଥିବା ନେଇ ମାର୍ଚ୍ଚ ୩୦ ତାରିଖରେ ବିଧାନସଭାରେ ବିଜେଡି ବିଧାୟକ ଦେବାଶିଷ ନାୟକ ଅଭିଯୋଗ ଆଣିବା ପରେ ବି ବିଜେପି ପକ୍ଷରୁ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରାଯାଇଛି।

କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି ସୁକାନ୍ତ ଦ୍ୱିବେଦୀ କହିଛନ୍ତି,“କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି ଲୋକଙ୍କଠାରୁ ସଂଗ୍ରହ କରୁଥିବା ଅର୍ଥ କେଉଁ ଭଳି କାର୍ଯ୍ୟରେ ଲଗାଉଛି ଓ ଠିକ୍ ସମୟରେ ଟଙ୍କା ପରିଶୋଧ କରି ପାରିବ ନା ନାହିଁ, ସେ ନେଇ ଆମ ମନରେ ସନ୍ଦେହ ରହିଛି। ତେଣୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଶାଖା ଏହାର ତଦନ୍ତ କରୁ ବୋଲି ଆମେ ଚାହୁଁଛୁ। ତଦନ୍ତ ପରେ ତଥ୍ୟକୁ ଜନସାଧାରଣଙ୍କ ସାମ୍ନାରେ ଉପସ୍ଥାପିତ କରାଯାଉ।”

ସୂଚନା ଅନୁସାରେ ଗତ ଆର୍ଥିକ ବର୍ଷରେ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି ୧୫୫ କୋଟିରୁ ଅଧିକ ଟଙ୍କା ଆଦାୟ କରିଥିବା ବେଳେ ୧୪୪ କୋଟିରୁ ଅଧିକ ଟଙ୍କା ଋଣ ଆକାରରେ ଦେଇଛି। ଅଭିଯୋଗ ହୋଇଛି ଯେ ଏହି ଆର୍ଥିକ କାରବାରରେ ଫାଇଦା ଉଠାଇଛନ୍ତି ସଂସ୍ଥାର ସଭାପତି, କର୍ମଚାରୀ ଓ ଏଜେଣ୍ଟ୍। ଏପରିକି ସଂସ୍ଥାର ସଭାପତି ଓ ଅନ୍ୟ କର୍ମଚାରୀ ବିନା ବନ୍ଧକରେ ଲକ୍ଷ ଲକ୍ଷ ଟଙ୍କାର ଋଣ ନେଇଥିବା ବି ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି ସଭାପତି ପ୍ରମୋଦ କୁମାର ସାହୁ ଏଭଳି ଅଭିଯୋଗଗୁଡ଼ିକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି,“କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ଆର୍ଥିକ କାରବାରରେ କୌଣସି ଅନିୟମିତତା ହୋଇନି କି ଏ ନେଇ କୌଣସି ଜମାକାରୀ ସୋସାଇଟି ବିରୋଧରେ ଅଭିଯୋଗ କରି ନାହାନ୍ତି।”

କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି ବିନା ବ୍ୟାଙ୍କିଙ୍ଗ୍ ଲାଇସେନ୍ସରେ ଆର୍ଥିକ କାରବାର କରୁଥିବା ପ୍ରସଙ୍ଗ ପ୍ରଥମେ ଉଠାଇଥିଲେ ବିଜେଡି ବିଧାୟକ ଦେବାଶିଷ ନାୟକ। ମାର୍ଚ୍ଚ ୩୦ ତାରିଖରେ ବିଧାନସଭାରେ ସେ ଏ ପ୍ରସଙ୍ଗ ଉଠାଇବା ସହିତ ତୁରନ୍ତ ସରକାର ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ଅନ୍ୟପକ୍ଷରେ ବିଧାୟକଙ୍କ ଏହି ଅଭିଯୋଗକୁ ଖୋଲା ଚ୍ୟାଲେଞ୍ଜ କରିଥିଲେ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି ସଭାପତି ପ୍ରମୋଦ କୁମାର ସାହୁ।

ସେ କହିଥିଲେ,“କୌଣସି ସରକାର ଜିଭରେ ହାଡ଼ ନାହିଁ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିରେ ବେଆଇନ୍ କାମ ଚାଲିଛି ବୋଲି କହିବାକୁ। ଏଭଳି ଅଭିଯୋଗ ଆଣିବାକୁ ମୁଁ ଦେଶର ଯେକୌଣସି ଲୋକଙ୍କୁ ଚ୍ୟାଲେଞ୍ଜ କରିପାରିବି।”

ସେ ଆହୁରି ମଧ୍ୟ କହିଥିଲେ,“ଯେଉଁମାନଙ୍କର ସମବାୟ ସଂପର୍କରେ କିଛି ଜ୍ଞାନ ନାହିଁ, ସେମାନେ ଏଭଳି ଅଭିଯୋଗ ଆଣୁଥିବେ।”

ତେବେ ତାଙ୍କର ଏଭଳି ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ବିଧାୟକ ଦେବାଶିଷ ନାୟକ। ସେ କହିଛନ୍ତି,“ସରକାରଙ୍କ ଜିଭରେ କେତେ ହାଡ଼ ଅଛି, ତାହା ବ୍ୟକ୍ତିଗତ ଭାବେ ସଭାପତି ଜାଣିଛନ୍ତି। ବିନା ଅନୁମତିରେ ବିଜୁବାବୁଙ୍କ ନାଁରେ ସ୍କିମ୍ କରୁଥିବାରୁ ଏହା ଦଣ୍ଡନୀୟ ଅପରାଧ।”

ବିଧାନସଭାରେ ମାର୍ଚ୍ଚ ୩୦ରେ ଏ ପ୍ରସଙ୍ଗ ଉଠିଥିବା ବେଳେ ସମବାୟ ମନ୍ତ୍ରୀ ଦାମୋଦର ରାଉତ କହିଥିଲେ,“କେନ୍ଦ୍ରାପଡ଼ା ଓ କଟକରେ ୨ଟି ସମବାୟ ସୋସାଇଟି ନାଁରେ ଅନିୟମିତତା ଅଭିଯୋଗ ଆସିବା ପରେ ସରକାର ସ୍ପେଶାଲ୍ ଅଡିଟ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।”

କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ଆର୍ଥିକ କାରବାର ନେଇ ସ୍ପେଶାଲ୍ ଅଡିଟ୍ ଚାଲୁଥିବା ବେଳେ ସଂସ୍ଥାର ସଭାପତି କିଭଳି ଭାବେ ସରକାରଙ୍କୁ ଚ୍ୟାଲେଞ୍ଜ କରିପାରୁଛନ୍ତି, ତାକୁ ନେଇ ଜୋର ଧରିଛି ଚର୍ଚ୍ଚା।

Related story