ଜନ୍ମ ଓଡ଼ିଶାରେ, ଆନ୍ଧ୍ରପ୍ରଦେଶରେ ଚର୍ଚ୍ଚିତ ଚେହେରା
ବିଶାଖାପାଟଣା (ଯଶୋବନ୍ତ ନାରାୟଣ ପାଢ଼ୀ): ଜନ୍ମ ଓଡ଼ିଶାରେ, ହେଲେ ଆଜି ସେ ଆନ୍ଧ୍ରପ୍ରଦେଶର ଜଣେ ଚର୍ଚ୍ଚିତ ଚେହେରା। ପେନ୍ସିଲ୍ ଆର୍ଟଠାରୁ ଆରମ୍ଭ କରି କାନ୍ଭାସ୍ ଉପରେ ତୂଳୀରେ ତାଙ୍କ ଦ୍ୱାରା ଚିତ୍ରିତ ଅନେକ ଚିତ୍ର ରାଜ୍ୟ ଓ ଜାତୀୟ ସ୍ତରରେ ପରିଚୟ ସୃଷ୍ଟି କରିପାରିଛି। ବୟସ ୬୦ ହୋଇ ସାରିଥିଲେ ବି ଚିତ୍ର ଆଙ୍କିବା ନିଶା ମନରୁ ଯାଉନି। କେବଳ ଚିତ୍ର ଆଙ୍କିବା ନୁହଁ, ପ୍ରତିମୂର୍ତ୍ତି ନିର୍ମାଣରେ ବି ସେ ସିଦ୍ଧହସ୍ତ। ଏଭଳି ଜଣେ ପ୍ରତିଭାବାନ ବ୍ୟକ୍ତିତ୍ୱ […]
ବିଶାଖାପାଟଣା (ଯଶୋବନ୍ତ ନାରାୟଣ ପାଢ଼ୀ): ଜନ୍ମ ଓଡ଼ିଶାରେ, ହେଲେ ଆଜି ସେ ଆନ୍ଧ୍ରପ୍ରଦେଶର ଜଣେ ଚର୍ଚ୍ଚିତ ଚେହେରା। ପେନ୍ସିଲ୍ ଆର୍ଟଠାରୁ ଆରମ୍ଭ କରି କାନ୍ଭାସ୍ ଉପରେ ତୂଳୀରେ ତାଙ୍କ ଦ୍ୱାରା ଚିତ୍ରିତ ଅନେକ ଚିତ୍ର ରାଜ୍ୟ ଓ ଜାତୀୟ ସ୍ତରରେ ପରିଚୟ ସୃଷ୍ଟି କରିପାରିଛି। ବୟସ ୬୦ ହୋଇ ସାରିଥିଲେ ବି ଚିତ୍ର ଆଙ୍କିବା ନିଶା ମନରୁ ଯାଉନି। କେବଳ ଚିତ୍ର ଆଙ୍କିବା ନୁହଁ, ପ୍ରତିମୂର୍ତ୍ତି ନିର୍ମାଣରେ ବି ସେ ସିଦ୍ଧହସ୍ତ। ଏଭଳି ଜଣେ ପ୍ରତିଭାବାନ ବ୍ୟକ୍ତିତ୍ୱ ହେଉଛନ୍ତି ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହରର ବାସିନ୍ଦା ଟି.ପ୍ରଭାକର ରାଓ।
ଓଡ଼ିଶାର ଗଂଜାମ ଜିଲାର ରେଶମ ସହର ବ୍ରହ୍ମପୁର ଉପକଣ୍ଠ ସମୁଦ୍ରକୂଳିଆ ଗାଁ ଗୋପାଳପୁରରେ ୧୯୫୫ ମସିହା ଜୁଲାଇ ୧ ତାରିଖରେ ପ୍ରଭାକର ଜନ୍ମଗ୍ରହଣ କରିଥିଲେ। ସେ ଜନ୍ମ ହେବାର ମାତ୍ର ୨ ମାସ ପରେ ତାଙ୍କ ବାପା ଟି.ନରସିଂହଙ୍କର ଅକାଳ ବିୟୋଗ ଘଟିଥିଲା। ଫଳରେ ପ୍ରଭାକର ନିଜ ଅଜା ସି.ଏଚ୍. ଲିଙ୍ଗରାଜ ଆଚାରୀଙ୍କ ପାଖରେ ଚିକିଟି ବ୍ଲକ ଅନ୍ତର୍ଗତ କୁଟିଲିଙ୍ଗି ଗ୍ରାମରେ ବସବାସ କରିଥିଲେ। ସେଠାରେ ତାଙ୍କର ପ୍ରାଥମିକ ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାର ଇଚ୍ଛାପୂରମଠାରେ ମାଧ୍ୟମିକ ଶିକ୍ଷା ସମାପ୍ତ ହୋଇଥିଲା। ୧୯୭୫ ମସିହାରେ ସେ ଆନ୍ଧ୍ରପ୍ରଦେଶର ଜୁନିୟର କଲେଜରେ ଆଇଏ ପଢ଼ିଥିଲେ, କିନ୍ତୁ ପରିବାରର ଆର୍ଥିକ ସ୍ଥିତି ସ୍ଵଛଳ ନଥିବାରୁ ସେ ପାଠପଢ଼ାରୁ ଡୋରି ବାନ୍ଧିଥିଲେ ଏବଂ ୩ ବର୍ଷ ଯାଏ ସୁନାରୂପା ଅଳଙ୍କାର ଗଢ଼ିବା କୌଶଳ ବୃତ୍ତିରେ ନିୟୋଜିତ ଥିଲେ।
କିନ୍ତୁ ଚିତ୍ର ଆଙ୍କିବା ଓ ମୂର୍ତ୍ତି ଗଢ଼ିବାରେ ପ୍ରଭାକରଙ୍କ ବହୁତ ଦୁର୍ବଳତା ରହିଥିଲା। ୧୯୭୮ ମସିହାରେ ବ୍ରହ୍ମପୁର ଖଲିକୋଟ ଆର୍ଟ କଲେଜରୁ ଡିପ୍ଲୋମାରେ ଡିଗ୍ରୀ ହାସଲ କରିବା ପରେ ଯେପରି ତାଙ୍କର ଭାଗ୍ୟ ବଦଳି ଯାଇଥିଲା। ଏହାପରେ ସେ ସଫଳତାର ଗୋଟିଏ ପରେ ଗୋଟିଏ ଶିଡ଼ି ଚଢ଼ି ଚାଲିଥିଲେ। ଓଡିଶା ସରକାର ପକ୍ଷରୁ ୧୯୮୨ ମସିହାରେ ପ୍ରଭାକରଙ୍କୁ ରାୟଗଡ଼ା ମହିଳା ହାଇସ୍କୁଲରେ ଆର୍ଟ ଶିକ୍ଷକ ରୂପେ ନିଯୁକ୍ତି ଦିଆଯାଇଥିଲା। ଏହାପରେ ୧୯୮୭ ମସିହାରେ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟରେ ନିଯୁକ୍ତି ପାଇବା ପରେ ୧୯୯୦ ମସିହାଠାରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହର ନାଭାଲ ଡକୟାର୍ଡରେ ରହିଥିବା କେନ୍ଦ୍ରୀୟ ବିଦ୍ୟାଳୟ-୧କୁ ଚାଲି ଆସିଥିଲେ। ୨୦୧୧ ମସିହାଠାରୁ ବିଜୟନଗରମ କେନ୍ଦ୍ରୀୟ ବିଦ୍ୟାଳୟର ଆର୍ଟ ଶିକ୍ଷକ ଦାୟିତ୍ୱ ପ୍ରଭାକରଙ୍କୁ ଦିଆଯାଇଥିଲା। ୨୦୧୫ ମସିହାରେ ସେ ବିଶାଖାପାଟଣା କେନ୍ଦ୍ରୀୟ ବିଦ୍ୟାଳୟକୁ ଆସିବା ପରେ ଚାକିରିରୁ ଅବସର ଗ୍ରହଣ କରିଥିଲେ।
ଅବସର ଗ୍ରହଣ ପରେ ସେ ସମୟର ଅପବ୍ୟୟ ନକରି ଚିତ୍ର ଆଙ୍କିବାରେ ନିଜକୁ ନିୟୋଜିତ କରିଥିଲେ। ରାୟଗଡ଼ାରେ ଚାକିରି ସମୟରେ ଟି.ପ୍ରଭାକର ରାଓଙ୍କ ଦ୍ୱାରା ରାୟଗଡା ଚିନିକଳରେ ନିର୍ମିତ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ଓ କୋର୍ଟ ନିକଟରେ ନିର୍ମିତ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ଆଜି ବି ଶୋଭା ପାଉଛି। ସେହିପରି ରେଶମ ସହର ବ୍ରହ୍ମପୁରରେ ନିର୍ମିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି, କନିସି ବାଲାଜୀ ବିଦ୍ୟାପୀଠ ପରିସରରେ ଭଗବାନ ବାଲାଜୀଙ୍କ ପ୍ରତିମୂର୍ତ୍ତି, ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତୈଳମୂର୍ତ୍ତି, ବିଶାଖାପାଟଣା କେନ୍ଦ୍ରୀୟ ବିଦ୍ୟାଳୟରେ ‘ମଦର ଆଣ୍ଡ ଚିଲଡ୍ରେନ’ ଓ ବୁଦ୍ଧଦେବଙ୍କ ପ୍ରତିମୂର୍ତ୍ତି ସେ ନିର୍ମାଣ କରିଛନ୍ତି। ପ୍ରଭାକରଙ୍କ ଚିତ୍ରକଳା କେବଳ ଓଡିଶା ଓ ଆନ୍ଧ୍ରପ୍ରଦେଶରେ ସୀମିତ ରହିନଥିଲା। ସେ ମୁମ୍ବାଇ, ଉତ୍ତରପ୍ରଦେଶ ଓ ତେଲେଙ୍ଗାନା ସମେତ ଅନ୍ୟ ବହୁରାଜ୍ୟର ବଡ଼ ବଡ଼ ସହରରେ ବହୁ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି।
କେବଳ ଚିତ୍ରଶିଳ୍ପୀ ନୁହେଁ, ସମାଜ ସେବାକୁ ବି ପ୍ରଭାକର ନିଜ ଜୀବନରେ ଗୋଟିଏ ବ୍ରତ ରୂପେ ଗ୍ରହଣ କରିଛନ୍ତି। ଯେ କୌଣସି ଗରିବ ଲୋକଙ୍କୁ ସେ ସହାୟତାର ହାତ ବଢ଼ାଇ ଥାଆନ୍ତି। ଗରିବ ରୋଗୀଙ୍କୁ ହସ୍ପିଟାଲ ନେବା ଆଣିବା କରିବା ସହ ସେମାନଙ୍କୁ ଔଷଧ ଦିଅନ୍ତି ଏବଂ ନିଜର ସମ୍ବଳ ଅନୁଯାଇ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଆଗେଇ ଆସିଥାନ୍ତି। ବର୍ତମାନ ୬୩ ବର୍ଷ ବୟସରେ ପାଦ ଥାପିଥିବା ଟି. ପ୍ରଭାକର ଆଜି ବି ଚିତ୍ର ଓ ପ୍ରତିମୂର୍ତ୍ତି ନିର୍ମାଣରେ ସାଧନା ଜାରି ରଖିଛନ୍ତି। ଓଡ଼ିଶାରେ ଜନ୍ମ ହୋଇ, ଓଡ଼ିଶାର ପାଣିପବନରେ ବଡ଼ ହୋଇ, ଓଡ଼ିଶାରେ ଚାକିରି ଆରମ୍ଭ କରି ଆଜି ସୁଦୂର ଆନ୍ଧ୍ରପ୍ରଦେଶର ଜଣେ ବହୁଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି।