ବିଜ୍ଞାନରେ ୨୦୧୭ର ସର୍ବଶ୍ରେଷ୍ଠ ଯୋଗଦାନ: ଚକିତ କଲା ଭଳି ୧୦ଟି ଆବିଷ୍କାର ଓ ଉଦ୍ଭାବନ

ଅଷ୍ଟମ ମହାଦେଶ ‘ଜିଲାଣ୍ଡିଆ’: ଆମେ ଜାଣିଛୁ ଯେ, ପୃଥିବୀରେ ମୋଟ ୭ଟି ମହାଦେଶ ରହିଛି । ଏସିଆ, ୟୁରୋପ, ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ ଓ ଆଣ୍ଟାର୍କଟିକା । ତେବେ ୨୦୧୭ରେ ଗବେଷକ ମାନେ ଆଉ ଏକ ନୂଆ ମହାଦେଶ ଠାବ କରିଛନ୍ତି, ଯାହାର ନାଁ ଜିଲାଣ୍ଡିଆ ରଖାଯାଇଛି। ଏହା ଦକ୍ଷିଣ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ବୁଡ଼ି ରହିଛି। ନ୍ୟୁଜିଲାଣ୍ଡ ତଳେ ଥିବା ଏହି ମହାଦେଶର ୯୪ ପ୍ରତିଶତ ଅଂଶ ଜଳରେ ବୁଡ଼ି ରହିଥିବାରୁ ଆଜି […]

yearender

yearender

Rakesh Mallick
  • Published: Friday, 29 December 2017
  • Updated: 29 December 2017, 03:33 PM IST

ଅଷ୍ଟମ ମହାଦେଶ 'ଜିଲାଣ୍ଡିଆ': ଆମେ ଜାଣିଛୁ ଯେ, ପୃଥିବୀରେ ମୋଟ ୭ଟି ମହାଦେଶ ରହିଛି । ଏସିଆ, ୟୁରୋପ, ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ ଓ ଆଣ୍ଟାର୍କଟିକା । ତେବେ ୨୦୧୭ରେ ଗବେଷକ ମାନେ ଆଉ ଏକ ନୂଆ ମହାଦେଶ ଠାବ କରିଛନ୍ତି, ଯାହାର ନାଁ ଜିଲାଣ୍ଡିଆ ରଖାଯାଇଛି। ଏହା ଦକ୍ଷିଣ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ବୁଡ଼ି ରହିଛି। ନ୍ୟୁଜିଲାଣ୍ଡ ତଳେ ଥିବା ଏହି ମହାଦେଶର ୯୪ ପ୍ରତିଶତ ଅଂଶ ଜଳରେ ବୁଡ଼ି ରହିଥିବାରୁ ଆଜି ପର୍ଯ୍ୟନ୍ତ ଏହା ଅଜ୍ଞାତ ଥିଲା । କିନ୍ତୁ  ମହାଦେଶ ମାନ୍ୟତା ପାଇବା ପାଇଁ ଏହାର ସମସ୍ତ ଯୋଗ୍ୟତା ରହିଛି । ତେଣୁ ଗବେଷକ ମାନେ ବିଧିବଦ୍ଧ ଭାବେ ଏହାକୁ ମହାଦେଶ ଭାବେ ଘୋଷଣା କରିବା ଚେଷ୍ଟାରେ ଲାଗିଛନ୍ତି ।

ଶୁଷ୍କ ବାୟୁରୁ ଜଳ ସଂଗ୍ରହ: ଶୁଷ୍କ ଜଳବାୟୁରେ ମାତ୍ର ୨୦ରୁ ୩୦ ପ୍ରତିଶତ ଆର୍ଦ୍ରତା ଥିବା ବାୟୁରୁ ଜଳ ସଂଗ୍ରହ କରୁଥିବା ସୌରଚାଳିତ ଉପକରଣ ମିଳିତ ଭାବେ ନିର୍ମାଣ କରିଛନ୍ତି ଏମ୍ଆଇଟି ଏବଂ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ । ଏହାର ପ୍ରୋଟୋଟାଇପ୍ ଦ୍ୱାରା ୧୨ ଘଣ୍ଟାରେ ଏହା ପ୍ରାୟ ୩ ଲିଟର ଜଳ ସଂଗୃହିତ ହୋଇପାରୁଛି । ବିଶୁଦ୍ଧ ପାନୀୟ ଜଳ ମିଳୁନଥିବା ଆଫ୍ରିକାର ବିଭିନ୍ନ  ଅଞ୍ଚଳରେ ଏହା ଉପଯୋଗୀ ହୋଇପାରିବ।

ଉଦଜାନରୁ ଧାତୁ ପ୍ରସ୍ତୁତି: ସବୁଠାରୁ ହାଲୁକା ପଦାର୍ଥ ଉଦଜାନରୁ ଧାତୁ ପ୍ରସ୍ତୁତି ବା ଧାତବ ଉଦଜାନ ପ୍ରସ୍ତୁତି ଫଳରେ ମହାକାଶଯାନ କ୍ଷେତ୍ରରେ ବିଶେଷ ଉନ୍ନତି ଘଟିବ ବୋଲି ଆଶା କରାଯାଉଛି । ଧାତବ ଉଦଜାନକୁ ପୁଣି ଗ୍ୟାସୀୟ ଉଦଜାନରେ ପରିବର୍ତ୍ତନ କଲେ ସେଥିରୁ ବହୁ ପରିମାଣର ଶକ୍ତି ନିର୍ଗତ ହୋଇଥାଏ, ଯାହାକି ରକେଟର ଇନ୍ଧନ ଭାବେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି।

ମହାକର୍ଷଣୀୟ ତରଙ୍ଗ ଚିହ୍ନଟ: ଦୁଇଟି ବ୍ଲାକହୋଲ କିମ୍ବା ସେହିଭଳି ଗୁରୁତ୍ୱବିଶିଷ୍ଟ ମହାଜାଗତିକ ବସ୍ତୁ ଧକ୍କା ହେଲେ ସୃଷ୍ଟି ହେଉଥିବା ମହାକର୍ଷଣୀୟ ତରଙ୍ଗ ଚିହ୍ନଟ ସମ୍ଭବ ହୋଇଛି, ଯାହାର ସ୍ଥିତି ବହୁ ବର୍ଷ ପୂର୍ବେ ଆଇନଷ୍ଟାଇନ ଅନୁମାନ କରିଥିଲେ। ଆମେରିକାର ଲିଗୋ ଏବଂ ଭର୍ଗୋ ଭଳି ଅତ୍ୟାଧୁନିକ ଗ୍ରାଭିଟେସନାଲ୍ ଅବଜର୍ଭେଟୋରି ନିର୍ମାଣ ଫଳରେ ଏହା ସମ୍ଭବ ହୋଇପାରିଛି।

ମନୁଷ୍ୟ ଭ୍ରୂଣର ଜିନ୍ ଏଡିଟିଂ: ଜିନ୍ ବା ଗୁଣସୂତ୍ର ଏଡିଟିଂ ପ୍ରଣାଳୀ CRISPR ବ୍ୟବହାର କରି ବୈଜ୍ଞାନିକମାନେ ମନୁଷ୍ୟ ଭ୍ରୂଣରେ ଏକ ହୃଦରୋଗ ସୃଷ୍ଟିକାରୀ ଜିନ୍‌କୁ ସଂଶୋଧନ କରିପାରିଛନ୍ତି। ଏହି ପ୍ରକ୍ରିୟାରେ ଆଗକୁ ମଣିଷର ଭ୍ରୂଣାବସ୍ଥାରୁ ତା ଶରୀରରେ ସୃଷ୍ଟି ହେବାକୁ ଥିବା ବିଭିନ୍ନ ମାରାତ୍ମକ ଏବଂ ଘାତକ ରୋଗର ସମାଧାନ ହୋଇପାରିବ ବୋଲି ଆଶା କରାଯାଉଛି।

ନୂଆ ସୌରମଣ୍ଡଳ ଠାବ: କୁମ୍ଭ ତାରାମଣ୍ଡଳରେ ଟ୍ରାପିଷ୍ଟ-୧ ସୌରମଣ୍ଡଳ ଠାବ ହୋଇଛି, ଯେଉଥିରେ ମୂଳ ନକ୍ଷତ୍ର ଚାରିପଟେ ପୃଥିବୀ ଆକାରର ୭ଟି ଗ୍ରହ ପରିକ୍ରମଣ କରୁଥିବା ଜଣାପଡ଼ିଛି । ୩୯ ଆଲୋକବର୍ଷ ଦୂରତାରେ ଥିବା ଏହି ସୌରଜଗତରେ ଜୀବସତ୍ତା ଥାଇପାରେ ବୋଲି ମହାକାଶବିଜ୍ଞାନୀ ଆଶା କରୁଛନ୍ତି । ସେହିପରି ନିକଟରେ କେପଲର୍-୯୦ ସୌରମଣ୍ଡଳରେ ୮ଟି ଗ୍ରହ ମୁଖ୍ୟ ନକ୍ଷତ୍ର ଚାରିପଟେ ବୁଲୁଥିବା ଜଣାପଡ଼ିଛି । ତେବେ ସେହି ସୌରମଣ୍ଡଳର ଆକାର ଆମ ସୌରମଣ୍ଡଳ ଠାରୁ ଆକାରରେ କ୍ଷୁଦ୍ର।

ଘୁଷୁରୀଠୁ ମିଳିବ ମଣିଷର ଅଙ୍ଗ: ମଣିଷ ଶରୀରରେ ପ୍ରତିରୋପଣ ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ଆଭ୍ୟନ୍ତରୀଣ ଅଙ୍ଗ ଘୁଷୁରୀ ଦେହରେ ବିକଶିତ କରିବା ପାଇଁ ଜିନ୍ ଏଡିଟିଂ ପ୍ରଣାଳୀରେ ପ୍ରଚେଷ୍ଟା କିଛି ମାତ୍ରାରେ ସଫଳ ହୋଇଛି । ଏହା ସମ୍ପୂର୍ଣ୍ଣ ସଫଳ ହେଲେ ମଣିଷ ଶରୀରରେ ପ୍ରତିରୋପଣ ପାଇଁ ଅଙ୍ଗର ଅଭାବ ରହିବ ନାହିଁ । ଫଳରେ ଅନେକ ଜୀବନ ରକ୍ଷା ସମ୍ଭବ ହୋଇପାରିବ।

ପୁନଃ ବ୍ୟବହାର ଯୋଗ୍ୟ ରକେଟ୍ ନିର୍ମାଣ: ସ୍ପେସ୍‌ ଏକ୍ସ ସଂସ୍ଥା ପୁନଃ ବ୍ୟବହାର ଯୋଗ୍ୟ ରକେଟ୍ ତିଆରି କରିବାରେ ସଫଳ ହୋଇଛି। କୌଣସି ମହାକାଶ ଅଭିଯାନରେ ରକେଟ୍ ଥରେ ଉତ୍‌କ୍ଷେପଣ ହେଲେ ଏହାକୁ ଆଉ ବ୍ୟବହାର କରାଯାଇ ପାରୁନଥିଲା । ଏହା ନିଜ ଲକ୍ଷ୍ୟ ସାଧନ ପରେ ଜଳି କିମ୍ବା କୌଣସି ସ୍ଥାନରେ ଖସିପଡ଼ି ନଷ୍ଟ ହୋଇଯାଉଥିଲା । କିନ୍ତୁ ସ୍ପେସ୍‌ ଏକ୍ସ ସଂସ୍ଥା ନିର୍ମିତ ଏହି ରକେଟ୍‌କୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ସାରିବା ପରେ ପୁଣି ନିର୍ଦ୍ଧାରିତ ସ୍ଥାନକୁ ସୁରକ୍ଷିତ ଭାବେ ଫେରାଇ ଅଣାଯାଇପାରୁଛି । ଏହାଫଳରେ ମହାକାଶ ଅଭିଯାନ ସମୟରେ ଖର୍ଚ୍ଚ କମା ଯାଇପାରିବ।

ପ୍ଲାଷ୍ଟିକ ଥଳିର ଗର୍ଭାଶୟ: ଫିଲାଡେଲଫିଆର ବୈଜ୍ଞାନିକମାନେ ଗତ ଏପ୍ରିଲରେ ଏକ ପ୍ଲାଷ୍ଟିକ ତିଆରି କୃତ୍ରିମ ଗର୍ଭାଶୟରେ ମେଣ୍ଢା ଶାବକ ଜନ୍ମ କରାଇପାରିଛନ୍ତି । ଆଗକୁ ଏହିଭଳି ଉପାୟରେ ମଣିଷର ମଧ୍ୟ ଗର୍ଭଧାରଣ କରାଯାଇପାରିବ ବୋଲି ଆଶା କରାଯାଉଛି ।

ଗୋଟିଏ ଥରରେ ୧୦୪ ସାଟେଲାଇଟ ଉତକ୍ଷେପଣ: ଗତ ଫେବୃୟାରୀରେ ପିଏସ୍ଏଲଭି-ସି ୩୭ ସାହାଯ୍ୟରେ ଗୋଟିଏ ଥରରେ ୧୦୪ଟି ସାଟେଲାଇଟର ସଫଳ ଉତକ୍ଷେପଣ କରିପାରିଛି ଇସ୍ରୋ । ଏହା ଏକ ବିଶ୍ୱ ରେକର୍ଡ । ଏହି ୧୦୪ଟି ସାଟେଲାଇଟରୁ ୧୦୧ଟି ଅନ୍ୟ ଦେଶର ନାନୋ ସାଟେଲାଇଟ ଥିଲା । ସମସ୍ତ ସାଟେଲାଇଟର ମୋଟ ଓଜନ ୧୩୭୮ କିଲୋଗ୍ରାମ ଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos