ସମ୍ପ୍ରତି ଫେକ୍ ନ୍ୟୁଜ୍କୁ ନେଇ ପୂରା ବିଶ୍ୱରେ ଚର୍ଚ୍ଚା ଚାଲିଛି। ଖାସ୍ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ଫେକ୍ ନ୍ୟୁଜ୍ ଶବ୍ଦର ବ୍ୟବହାର କରିଥିବାର ଦେଖିବାକୁ ମିଳିଛି। କେବଳ ଆମେରିକା ନୁହଁ ଏଥିରେ ଭାରତ ମଧ୍ୟ ପଛରେ ନାହିଁ। ଏହି ଫେକ୍ ନ୍ୟୁଜ୍ ବା ମିଛ ଖବର ପ୍ରସାରଣକୁ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନୀ କ୍ଷୋଭ ପ୍ରକାଶ କରିଥିଲେ। ଆଉ ଏହାକୁ ରୋକିବା ପାଇଁ ବିବାଦୀୟ ଗାଇଡ୍ଲାଇନ୍ ଜାରି କରିଥିଲେ। ଅବଶ୍ୟ ପିଏମଓ(ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ)ଙ୍କ ହସ୍ତକ୍ଷେପ ପରେ ଏହି ଗାଇଡ୍ଲାଇନକୁ ହଟାଇନେଇଥିଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ।
ହେଲେ ବଢୁଥିବା ଫେକ୍ ନ୍ୟୁଜ୍ ଉପରେ ରୋକ ଲଗାଇବାକୁ ବାହାରିଛନ୍ତି ମଲେସିଆ ସରକାର। ଫେକ୍ ନ୍ୟୁଜ୍କୁ ରୋକିବା ପାଇଁ ପ୍ରଣୟନ କରିଛନ୍ତି କଡା ଆଇନ ବ୍ୟବସ୍ଥା। ଯଦି କୌଣସି ବ୍ୟକ୍ତି କିମ୍ବା ଡିଜିଟାଲ ମିଡିଆ ସଂସ୍ଥା ସୋସିଆଲ୍ ମିଡିଆରେ ଫେକ୍ ନ୍ୟୁଜ୍ ପ୍ରସାରଣ କରେ ତେବେ ତାଙ୍କୁ ୧ଲକ୍ଷ ୨୩ହଜାର ଡଲାର ଜରିମନା ଦେବା ସହ ୬ବର୍ଷ ପାଇଁ ଜେଲ୍ ଯିବାର ଆଇନ ବ୍ୟବସ୍ଥା ରଖାଯାଇଛି।
କାହାକୁ ନେଇ ଭୁଲ୍ ଖବର ପ୍ରସାରଣ କରିବା ହେଉଛି ଫେକ୍ ନ୍ୟୁଜ୍ ବା ମିଥ୍ୟା ଖବର। ଯଦି ଆପଣ ଗଣମାଧ୍ୟମରେ କାମ କରୁଥିବେ ତେବେ ଫେକ୍ ନ୍ୟୁଜ୍ ଉପରେ ଆପଣଙ୍କ ଧାରଣାଥିବ। ଏହାକୁ ‘ୟେଲୋ ଜର୍ଣ୍ଣାଲିଜିମ୍ ବା କାମଳ ସାମ୍ବାଦିକତା’ ମଧ୍ୟ କୁହାଯାଇପାରେ।
ଭୁଲ୍ ଖବର ମାଧ୍ୟମରେ କୌଣସି ବ୍ୟକ୍ତି ବା ସଂସ୍ଥାକୁ କ୍ଷତି ପହଁଚାଇବା କିମ୍ବା ଲୋକଙ୍କୁ ଭୁଲ ଖବର ମାଧ୍ୟମରେ ଉସ୍କାଇବା ହେଉଛି ଫେକ୍ ନ୍ୟୁଜ୍। କେବଳ ଏତିକି ନୁହେଁ ମିଛ କିମ୍ବା ସମ୍ବେଦନଶୀଳ ସ୍ଲଗ ବା ହେଡିଂ ମାଧ୍ୟମରେ ପାଠକ ସଂଖ୍ୟା ବଢାଇବା ମଧ୍ୟ ଫେକ୍ ନ୍ୟୁଜ୍ ଶ୍ରେଣୀରେ ଅନ୍ତର୍ଭୁକ୍ତ। ଫେକ୍ ନ୍ୟୁଜ୍ କୌଣସି ବ୍ୟଙ୍ଗ କି ଫନି ଆଇଟମ୍ ହୋଇ ନପାରେ। କାରଣ ଏହାର ଲକ୍ଷ୍ୟ ଆପଣଙ୍କୁ ମନୋରଞ୍ଜନ କରିବା ପାଇଁ ନୁହେଁ ବରଂ ପାଠକଙ୍କ ମନରେ ଭୁଲ୍ ଧାରଣା ସୃଷ୍ଟି କରିବା।
ଭାରତର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଯେଉଁ ନିୟମାବଳୀ ଜାରି କରିଥିଲେ ସେଥିରେ ଡିଜିଟାଲ୍ ମିଡିଆ ବିଷୟରେ ଆଲୋଚନା କରାଯାଇ ନ ଥିଲା। କିନ୍ତୁ ଏହା ପୂର୍ବରୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନୀ କହିଥିଲେ ସରକାର ଡିଜିଟାଲ ମିଡିଆ ପାଇଁ ମଧ୍ୟ ନିୟମାବଳୀ ଜାରି କରିବେ। କାରଣ ଡିଜିଟାଲ୍ ମିଡିଆରେ ଫେକ୍ ନ୍ୟୁଜ୍ ସଂଖ୍ୟା ଅଧିକ। ୨୦୧୬ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମୟରେ ଫେସ୍ବୁକ୍ରେ ଫେକ୍ ନ୍ୟୁଜ୍ର ପ୍ରଚାର ହେଉଥିଲା। ସେହି ସମୟରେ ଲୋକଙ୍କ ମତ ବଦଳାଇବାର ପ୍ରୟାସ ମଧ୍ୟ କରାଯାଉଥିଲା। ଏମିତି କିଛି ସମସ୍ୟା ଭାରତରେ ମଧ୍ୟ ହୋଇପାରେ। ଯାହା ଆଗକୁ କେନ୍ଦ୍ର ଏବଂ ରାଜ୍ୟ ସରକାର ପାଇଁ ହେବାକୁ ଥିବା ନିର୍ବାଚନ ଉପରେ ପ୍ରଭାବ ପକାଇପାରେ।
ଏପ୍ରିଲ ୨ ସୋମବାର ମାଲେସିଆରେ ଏକ ଆଇନ୍ ପାସ କରାଯାଇଛି। ଏହି ଆଇନ ଅନୁଯାୟୀ କୌଣସି ବ୍ୟକ୍ତି କିମ୍ବା ଡିଜିଟାଲ ମିଡିଆ ସଂସ୍ଥା ସୋସିଆଲ୍ ମିଡିଆରେ ଫେକ୍ ନ୍ୟୁଜ୍ ପ୍ରସାରର କଲେ ୧ଲକ୍ଷ ୨୩ହଜାର ଡଲାର( ଭାରତୀୟ ମୁଦ୍ରାର ୮୦ଲକ୍ଷ ଟଙ୍କା ) ଜରିମନା ଦେବା ସହ ୬ବର୍ଷ ପାଇଁ ଜେଲ୍ ଯିବ।