/odisha-reporter/media/post_attachments/uploads/2018/02/narayani.jpg)
narayani
ଭୁବନେଶ୍ୱର (ଦେବଦତ୍ତ ରଥ): ଭୁବନେଶ୍ୱରରୁ ବ୍ରହ୍ମପୁର ଯାଇଥିବା ଜାତୀୟ ରାଜପଥରର ବାଲୁଗାଁଠାରୁ ଚିଲିକା ଲଙ୍ଗଳେଶ୍ୱର ମଝି ନାରାୟଣୀ ଛକରୁ ମନ୍ଦିର ପର୍ଯ୍ୟନ୍ତ ଏକ ସର୍ପିଳ ପିଚୁ ରାସ୍ତା ରହିଛି। ସେହି ଅଙ୍କାବଙ୍କା ପିଚୁ ରାସ୍ତାରେ ଜାତୀୟ ରାଜପଥ ଠାରୁ ମାତ୍ର ୩ କିଲୋମିଟର ଯିବା ପରେ ପ୍ରାକୃତିକ ନୈସର୍ଗିକ ଅପରୂପ ଶୋଭା ସୌନ୍ଦର୍ଯ୍ୟ ଭରା ପରିବେଶ ମଧ୍ୟରେ ମା' ନାରାୟଣୀଙ୍କ ମନ୍ଦିର ରହିଛି। ଖଲିକୋଟ ରାଜବଂଶର ଆରାଧ୍ୟ ଦେବୀ ଦଶଭୂଜା ମା' ନାରାୟଣୀ।୨୦ ଫୁଟର ଏହି ମନ୍ଦିରଟି ଭାଲେରୀ ପାହାଡ଼ ଶିଖରକୁ ଲାଗି ଅବସ୍ଥିତ। ପାହାଡ଼ର କେଉଁ ଏକ ନିବୃତ କୋଣରୁ କଳ କଳ ନିନାଦିନୀ ଝରଣା ମା'ଙ୍କ ପାଦ ଧୌତ କରି ଯାଇ ଏକ କୁଣ୍ଡରେ ପଡ଼ିଛି। ମନ୍ଦିର ପଛ ପଟେ ଝରଣାର ଏକ କ୍ଷୀଣ ଜଳଧାରାରେ ମା'ଙ୍କର ସମସ୍ତ ଆଲୌକିକତା ଏବଂ ରହସ୍ୟ ଲୁକ୍କାୟିତ ହୋଇ ରହିଛି। ଏହି କୁଣ୍ଡରୁ ଯେତେ ମାଠିଆ ଜଳ ବାହାର କଲେ ବି ତାହା ପୂରିଯାଏ। ଏକଦା ଏହାକୁ ପମ୍ପ ସେଟ ଦ୍ୱାରା ଶୁଖାଇବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ଏହି ପ୍ରୟାସ ନିଷ୍ଫଳ ହୋଇଥିବା ପୂଜକମାନେ କୁହନ୍ତି।
ଜନଶ୍ରୁତି ଅନୁଯାୟୀ ମା' ବାସ୍ତବରେ ଦଶଭୂଜା ନଥିଲେ। ମା' ଥିଲେ ଅଷ୍ଟଭୂଜା।ଏକଦା ରାଜାଙ୍କ ଆଦେଶ କ୍ରମେ ମନ୍ଦିର ପୂଜକ ରାଜ ଉଆସକୁ ଯାଇଥିଲେ। ରାଜା ମା'ଙ୍କ ବିଷୟରେ ଜାଣିବା ନିମନ୍ତେ ପୂଜକଙ୍କୁ ପଚାରିଥିଲେ। ମା'ଙ୍କର ପ୍ରକୃତରେ କେତେ ଭୁଜ ଜାଣିବାକୁ ଜିଜ୍ଞାସା ପ୍ରକଟ କରିଥିଲେ। ଅନ୍ୟ ମନସ୍କ ପୂଜାରୀ ଭୁଲରେ ମା' ଦଶଭୂଜା ବୋଲି କହି ପକାଇ ଥିଲେ। କିନ୍ତୁ ବାସ୍ତବରେ ମା' ଅଷ୍ଟଭୂଜା ଥିଲେ। ତେବେ ଏ ନେଇ ରାଜା ସନ୍ଦେହ ପ୍ରକଟ କରି ପରଦିନ ସତ୍ୟତା ପରୀକ୍ଷା କରିବାକୁ ସ୍ୱୟଂ ମନ୍ଦିରକଚ ମାଆଙ୍କ ଦର୍ଶନ କରିବାକୁ ଯିବେ ବୋଲି କହିଲେ। ଭୂଜ ସଂପର୍କରେ ଭୁଲରେ କହି ଦେଇଛନ୍ତି ଜାଣିବା ପରେ ପୂଜକ ଘୋର ମାନସିକ ଦୁଶ୍ଚିନ୍ତାରେ ରହିଥିଲେ। ରାତିରେ ଖିଆ ପିଆ ନ କରି ମା'ଙ୍କୁ ସ୍ମରଣ କଲେ। ନିଜର ଅପରାଧ ପାଇଁ ମା'ଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଲାଗିଲେ। ଏହି ସମୟରେ ପୂଜକଙ୍କୁ କେତେ ବେଳେ ନିଦ ଆସି ଯାଇଥିଲା ସେ ବି ଜାଣିପାରି ନଥିଲେ। ନିଦରେ ମା' ସ୍ୱପ୍ନରେ ଆସି ପୂଜକଙ୍କୁ କହିଲେ ବ୍ୟସ୍ତ ହେବାର ନାହିଁ, ସବୁ ମୋ ଉପରେ ଛାଡ଼ିଦେ। ପ୍ରତ୍ୟୁଷରୁ ବାକୁଟି ଗ୍ରାମର ସେହି ପୂଜକ ଜଣଙ୍କ ନିତ୍ୟକର୍ମ ସାରି ଭାଲେରୀ ଶିଖର ବାସିନୀ ମା'ଙ୍କ ମନ୍ଦିରରେ ପହଁଚିଲେ। ରାଜା ଏବଂ ରାଜ କର୍ମଚାରୀମାନେ ମନ୍ଦିର ପରିସରରେ ପହଞ୍ଚି ମା'ଙ୍କ ଦର୍ଶନ ବ୍ୟବସ୍ଥା କରିବାକୁ ପୂଜକଙ୍କୁ କହିଲେ। ପୂଜକ ଭୟ, ସଂକୋଚରେ ମା'ଙ୍କ ଶରୀରରୁ ବାସି ଫୁଲ ଗୁଡ଼ିକ କାଢୁ ଥାଆନ୍ତି। ରାଜା, ରାଜ କର୍ମଚାରୀ ନିକଟରେ ଘେରି ରହି ଥାଆନ୍ତି। ଫୁଲ ହାର ଗୁଡ଼ିକ ବାହାର କରିବା ପରେ ସ୍ୱୟଂ ପୂଜକ ବିସ୍ମିତ ହୋଇଗଲେ। ମା'ଙ୍କର ଦଶଭୁଜ ଏବଂ ସମସ୍ତ ଆୟୁଧ୍ୟ ବେଶ ପରିଷ୍କାର ଦେଖା ଯାଉଥିଲା। ପୂଜକଙ୍କ ପାଇଁ ମା' ନିଜର ରୂପରେ ପରିବର୍ତ୍ତନ ଅଣାଇଛନ୍ତି ଜାଣିବା ପରେ ସମସ୍ତେ ସାଷ୍ଟାଙ୍ଗ ପ୍ରଣାମ କରି ଫେରିଲେ। ସେହି ଦିନଠାରୁ ମା ନାରାୟଣୀ ଦଶଭୁଜା।
ଆମ୍ବ, ପଣସ, ବେତ, ଅଶୋକ ଆଦି ଘଞ୍ଚ ବନାନୀ, ଚିରସ୍ରୋତା ଝରଣା ଏବଂ ପଶୁପକ୍ଷୀଙ୍କ ମେଳରେ ମା'ଙ୍କ ଆସ୍ଥାନ ବର୍ଷ ବର୍ଷ ଧରି ଉତ୍କଳୀୟ ଧର୍ମ ସଂସ୍କୃତି ଏବଂ ପରମ୍ପରାକୁ ବଜାୟ ରଖିଛି। ଦୈନିକ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏହି ପୀଠକୁ ଆସି ଥାଆନ୍ତି। ଆଖପାଖ ଅଞ୍ଚଳର ଅନେକ ସାମାଜିକ କାର୍ଯ୍ୟକର୍ମ ଯଥା ବିବାହ, ବ୍ରତ, ନିର୍ବନ୍ଧ, ମୁଣ୍ଡନ ଆଦି ଏଠାରେ ହୋଇଥାଏ। ପର୍ଯ୍ୟଟନ ବିଭାଗ କ୍ଷେତ୍ରଟିକୁ ନିୟନ୍ତ୍ରଣକୁ ନେବା ପରେ ରାସ୍ତା, ବିଦ୍ୟୁତ କରଣ, ପାନୀୟ ଜଳ, ମଣ୍ଡପ, ରହିବା ନିମନ୍ତେ କୋଠରୀ, ବିପଣନ ମାଳା ଆଦି କାମ କରାଯାଇଛି। ଚିଲିକା, କାଳିଜାଇ, ଭଗବତୀ ଆଦି ଆସୁଥିବା ପର୍ଯ୍ୟଟକ ମାନେ ନାରାୟଣୀ ମନ୍ଦିର ପରିସରର ପ୍ରକୃତିକ ତଥା ଶାନ୍ତ ପରିବେଶ ତଥା ମା'ଙ୍କ ମହିମାରେ ଟାଣି ହୋଇ ଆସୁଛନ୍ତି। ପର୍ଯ୍ୟଟନ ଋତୁରେ ପରିବେଶଟି ପର୍ଯ୍ୟଟକଙ୍କ ସମାଗମରେ ମୁଖରିତ ହୋଇଥାଏ। ଅତୀତରେ ବାଘ ପରି ହିଂସ୍ର ଜନ୍ତୁ ଏଠାରେ ରହୁଥିବା ବେଳେ ଏବେ ପୂରା ନିଶ୍ଚିନ୍ନ ହୋଇ ଯାଇଛନ୍ତି।
ଦଶହରା ସମୟ ମା'ଙ୍କର ପୀଠରେ ଉତ୍ସବ ଲାଗିଥାଏ। ଏହି ସମୟରେ ପୀଠରେ ପ୍ରବଳ ଭକ୍ତ ସମାଗମ ହୋଇଥାନ୍ତି। ଦୂରଦୂରାନ୍ତରୁ ବହୁ ସାଧକ ଆସି ଏଠାରେ ଚଣ୍ଡୀପାଠ ଆଦି କରନ୍ତି। ମାନସିକ ଏବଂ ଅଭିଷ୍ଟ ପୂରଣ ପାଇଁ ବଳି ଦେବାର ପ୍ରଥା ଏଠାରେ ଏକ ପରମ୍ପରା ହୋଇ ରହି ଆସିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
