ନୂଆଦିଲ୍ଲୀ: ୧୯୯୯ରେ ରିଲିଜ୍ ହୋଇଥିଲା ହିନ୍ଦୀ ଫିଲ୍ମ ‘ହମ୍ ଆପ୍କେ ଦିଲ୍ ମେଁ ରେହ୍ତେ ହେଁ’। ଏଥିରେ ମୁଖ୍ୟ ଭୂମିକାରେ ଥିଲେ ଅନୀଲ କପୁର ଓ କାଜୋଲ। ଫିଲ୍ମଟିର କାହାଣୀ ଆପଣମାନଙ୍କର ମନେ ଥିବ ବୋଧହୁଏ। ତଥାପି ଟିକେ ମନେ ପକାଇ ଦେଉଛୁ। ଏଥିରେ ଅନୀଲ କାପୁରଙ୍କ ନାଁ ଥିଲା ବିଜୟ। ସେ ଜଣେ କୋଟିପତି ଶିଳ୍ପପତିଙ୍କ ପୁଅ ଥିଲେ। କାଜଲଙ୍କ ନାଁ ଥିଲା ମେଘା। ସେ ଗରିବ ଘରୁ ଆସିଥିଲେ। ମେଘା ଥିଲେ ବିଜୟଙ୍କ ବାପା ବିଶ୍ୱନାଥଙ୍କ ପର୍ସନାଲ୍ ଆସିଷ୍ଟାଣ୍ଟ୍। ବିଶ୍ୱନାଥ ଚାହୁଁଥିଲେ ବିଜୟ ବାହାସାହା ହୋଇ ଦାୟିତ୍ୱବାନ ହୁଅନ୍ତୁ। ଏଣୁ ସେ ତାଙ୍କର ବିବାହ ମେଘା ସହିତ କରିବାକୁ ଚାହିଁଲେ। ଚାକିରି ଛାଡ଼ି ବିଜୟଙ୍କୁ ବାହା ହେବାକୁ ମେଘାଙ୍କୁ କହିଲେ ବିଶ୍ୱନାଥ। ତେବେ ବାହାଘର ପାଇଁ ବିଜୟ ରଖିଥିଲେ ଏକ ସର୍ତ୍ତ। ଏ ସର୍ତ୍ତ ଶୁଣି ମେଘା ବାହା ହେବାକୁ ମନା କରି ଦେଲେ। ବିଜୟଙ୍କ ସର୍ତ୍ତଟି ଥିଲା- ସେ ବାହା ହେବେ, କିନ୍ତୁ ମାତ୍ର ବର୍ଷେ ପାଇଁ। ଏହା ଏକ ଚୁକ୍ତି ଭିତ୍ତିକ ବାହାଘର ହେବ ଯାହାର ଅବଧି ବର୍ଷେ ରହିବ। ଯଦି ସେହି ସମୟ ମଧ୍ୟରେ ସେ ମେଘାଙ୍କ ପ୍ରେମରେ ନପଡ଼ନ୍ତି, ତା’ହେଲେ ସେମାନେ ପରସ୍ପରଠାରୁ ଅଲଗା ହୋଇଯିବେ। ପରିସ୍ଥିତିରେ ପଡ଼ି ମେଘା ଏ ସର୍ତ୍ତରେ ରାଜି ହୋଇଥିଲେ ଓ ବିଜୟ ବି ପ୍ରେମରେ ପଡ଼ିଥିଲେ ଏବଂ ଶେଷରେ ଏକ ହାପି ଏଣ୍ଡିଂ ହୋଇଥିଲା।
ଏ ଫିଲ୍ମରେ ହିରୋ ସର୍ତ୍ତ ରଖି ଗୋଟିଏ ବର୍ଷ ପାଇଁ ବାହା ହୋଇଥିଲେ। ଅବଶ୍ୟ ପରେ ସ୍ଥିତି ବଦଳିଲା ସ୍ତ୍ରୀଙ୍କୁ ସାରା ଜୀବନ ପାଇଁ ସେ ଆପଣାଇଥିଲେ। କିନ୍ତୁ ଶୁଣି ଆଶ୍ଚର୍ଯ୍ୟ ହେବେ ଆମ ଦେଶର ମଧ୍ୟପ୍ରଦେଶରେ ଏକ ସ୍ଥାନ ଅଛି ଯେଉଁଠି ପୁରୁଷମାନେ ଯୁବତୀମାନଙ୍କୁ ବର୍ଷେ ପାଇଁ ସେମାନଙ୍କ ପତ୍ନୀ ବନାନ୍ତି। ପୁଣି ସେମାନଙ୍କୁ କୁହାଯାଏ ଭଡ଼ାଟିଆ ପତ୍ନୀ। କାରଣ ପୁରୁଷମାନେ ଉକ୍ତ ଯୁବତୀମାନଙ୍କୁ ପଇସା ଦେଇ ଆଣନ୍ତି। ଯୁବତୀଙ୍କ ଘର ଲୋକେ ସେହି ପଇସା ନିଅନ୍ତି। ଜଣେ ପୁରୁଷ ଚାହିଁଲେ ଜଣେ ଯୁବତୀଙ୍କୁ ବର୍ଷେରୁ ଅଧିକ ସମୟ ରଖିପାରିବ, କିନ୍ତୁ ସେଥିପାଇଁ ଅଧିକ ପଇସା ଦେବାକୁ ହେବ।
ଏହି ସ୍ଥାନଟି ହେଉଛି ଶିବପୁରୀ। ଆଉ ଏଠାରେ ଚାଲିଥିବା ଏହି ପ୍ରଥାର ନାଁ ହେଉଛି ‘ଧଡ଼ିଚା’। ପ୍ରତିବର୍ଷ ଶିବପୁରୀରେ ବଡ଼ ହାଟ ବସେ। ଏଥିରେ ଝିଅମାନଙ୍କୁ ଛିଡ଼ା କରାଯାଏ। ଏଠାକୁ ପୁରୁଷମାନେ ଆସନ୍ତି ଓ ନିଜ ମନପସନ୍ଦର ଯୁବତୀ ବାଛନ୍ତି ଏବଂ ବର୍ଷେ ପାଇଁ ସେମାନଙ୍କୁ ପତ୍ନୀ କରିବାକୁ ଟଙ୍କା ଦେଇ ନେଇ ଯାଆନ୍ତି। ୧୫,୦୦୦ ରୁ ୨୫,୦୦୦ ଟଙ୍କା ଦେଇ ପୁରୁଷମାନେ ଯୁବତୀମାନଙ୍କୁ ବାହା ହୁଅନ୍ତି ଓ ବର୍ଷେ ପର୍ଯ୍ୟନ୍ତ ପତ୍ନୀ ବନାନ୍ତି। ଯିଏ ମନମାନିଲା ଭଳି ଟଙ୍କା ଦିଅନ୍ତି ଘର ଲୋକେ ସେମାନଙ୍କ ଝିଅକୁ ତାଙ୍କ ସହିତ ବର୍ଷେ ପାଇଁ ବାହା କରାଇ ଦିଅନ୍ତି। ଜଣେ ପୁରୁଷ ଜଣେ ଯୁବତୀଙ୍କୁ ପସନ୍ଦ କଲା ପରେ ୧୦ ଟଙ୍କାରୁ ଧରି ୧୦୦ ଟଙ୍କିଆ ଷ୍ଟାମ୍ପ ପେପରରେ ଲେଖାପଢ଼ା ମଧ୍ୟ ହୁଏ। ଆଶ୍ଚର୍ଯ୍ୟର କଥା ଏହି କୁପ୍ରଥା ବର୍ଷ ବର୍ଷ ଧରି ଚାଲି ଆସିଥିଲେ ସୁଦ୍ଧା ସରକାର ଅବା କୌଣସି ସଂଗଠନ ଏହାକୁ ବିରୋଧ କରି ନାହାନ୍ତି।