ବିଧାନସଭାରେ ମହାନଦୀ ମହାବିତର୍କ: ସରକାରଙ୍କୁ କାଠଗଡ଼ାରେ ଠିଆ କଲେ ବିରୋଧୀ

ଭୁବନେଶ୍ୱର: ଦୁଇ ଦିନର ଅଚଳାବସ୍ଥା ପରେ ଆଜି ବିଧାନସଭାରେ ମହାନଦୀ ପ୍ରସଙ୍ଗରେ ୫ ଘଣ୍ଟା ଧରି ଚାଲିଥିଲା ମାରାଥନ ଆଲୋଚନା। ଆଲୋଚନା ବେଳେ ତଥ୍ୟ ରଖି ସରକାରଙ୍କୁ ଘେରିଥିଲେ ବିରୋଧୀ। ପୂର୍ବରୁ ଏ ପ୍ରସଙ୍ଗରେ ବିଧାନସଭାରେ ହୋଇଥିବା ଆଲୋଚନା ଓ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠିକୁ ଦେଖାଇ ସରକାରଙ୍କୁ କାଠଗଡ଼ାରେ ଠିଆ କରି ଥିଲେ ବିରୋଧୀ। ବିରୋଧୀ କହିଥିଲେ,“୨୦୦୧ରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାନଦୀ ଉପରେ ଛତିଶଗଡ଼ର ବେଆଇନ ନିର୍ମାଣ ଫଳରେ ଓଡ଼ିଶାର କ୍ଷତି ହେବ। ତେଣୁ […]

narasingha

Rakesh Mallick
  • Published: Friday, 23 September 2016
  • , Updated: 23 September 2016, 10:50 PM IST

ଭୁବନେଶ୍ୱର: ଦୁଇ ଦିନର ଅଚଳାବସ୍ଥା ପରେ ଆଜି ବିଧାନସଭାରେ ମହାନଦୀ ପ୍ରସଙ୍ଗରେ ୫ ଘଣ୍ଟା ଧରି ଚାଲିଥିଲା ମାରାଥନ ଆଲୋଚନା। ଆଲୋଚନା ବେଳେ ତଥ୍ୟ ରଖି ସରକାରଙ୍କୁ ଘେରିଥିଲେ ବିରୋଧୀ। ପୂର୍ବରୁ ଏ ପ୍ରସଙ୍ଗରେ ବିଧାନସଭାରେ ହୋଇଥିବା ଆଲୋଚନା ଓ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠିକୁ ଦେଖାଇ ସରକାରଙ୍କୁ କାଠଗଡ଼ାରେ ଠିଆ କରି ଥିଲେ ବିରୋଧୀ।

ବିରୋଧୀ କହିଥିଲେ,“୨୦୦୧ରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାନଦୀ ଉପରେ ଛତିଶଗଡ଼ର ବେଆଇନ ନିର୍ମାଣ ଫଳରେ ଓଡ଼ିଶାର କ୍ଷତି ହେବ। ତେଣୁ କୌଣସି ପରିସ୍ଥିତିରେ ଛତିଶଗଡ଼କୁ ଏକପାଖିଆ ବ୍ୟାରେଜ୍ ନିର୍ମାଣ କରିବାକୁ ଦିଆଯିବ ନାହିଁ। ତେବେ ୨୦୧୦ରେ ମୁଖ୍ୟମନ୍ତ୍ରୀ କିପରି ୟୁଟର୍ନ ନେଲେ। ୨୦୧୦ରେ ସରକାର କହିଥିଲେ ଛତିଶଗଡ଼ର ବ୍ୟାରେଜ ନିର୍ମାଣ ପରେ ବି ହୀରାକୁଦକୁ ଅଧିକ ୨୪ ପ୍ରତିଶତ ଜଳ ଆସୁଛି। ତେଣୁ ଜଳ ସେଚନ, ବିଦ୍ୟୁତ୍ ଉତ୍ପାଦନ ଓ ଶିଳ୍ପ ପାଇଁ ପାଣିର ଅଭାବ ରହିବ ନାହିଁ।”

କେବଳ ଏତିକି ନୁହେଁ, ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ନିଜ ଦଳର ନେତା ତଥା କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଅର୍ଜୁନ ସେଠୀଙ୍କୁ ଲେଖିଥିବା ଚିଠିର ତଥ୍ୟ ବି ରଖିଥିଲେ ବିରୋଧୀ। ମହାନଦୀ ପ୍ରସଙ୍ଗରେ ଶ୍ୱେତପତ୍ର ଜାରି କରିବା ସହିତ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ମୁଖ୍ୟମନ୍ତ୍ରୀ ଚେଷ୍ଟା କରନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ନବୀନ ପଟ୍ଟନାୟକ ଯେଉଁ ଦିନ ଠାରୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସେହି ଦିନଠାରୁ ସେ ଏ ପ୍ରସଙ୍ଗରେ ଅବଗତ ଅଛନ୍ତି। ଏ ସମସ୍ୟା ସେହିଦିନଠାରୁ ବଞ୍ଚି ରହିଛି। ବର୍ତ୍ତମାନ ସୁଦ୍ଧା ବି ସରକାରଙ୍କ ନିଦ ଭାଙ୍ଗିନି। ଏ ପ୍ରସଙ୍ଗରେ ସରକାର ଶ୍ୱେତପତ୍ର ଜାରି କରିବା ନିହାତି ଆବଶ୍ୟକ। ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଚିନ୍ତା କରନ୍ତୁ।”

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,“ମହାନଦୀ ପାଣି ଦେବାକୁ ୧୪ଟି ଶିଳ୍ପ ସଂସ୍ଥା ସହ ରାଜ୍ୟ ସରକାର ଚୁକ୍ତି କରିଛନ୍ତି। ଛତିଶଗଡ଼ରେ ଯେଉଁ ଶିଳ୍ପପତିମାନେ କାମ କରୁଛନ୍ତି ସେମାନେ ଓଡ଼ିଶାରେ ବି କାମ କରୁଛନ୍ତି। ମୋତେ ଲାଗୁଛି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଭିତିରି ବୁଝାମଣା ହୋଇଥିବାରୁ ସରକାର ଏ ପ୍ରସଙ୍ଗରେ ଚୁପ୍ ରହିଥିଲେ।”

ଅନ୍ୟପକ୍ଷରେ ଶାସକ ଦଳ ମୁଖ୍ୟ ସଚେତକ ଅନନ୍ତ ଦାସ ତଥ୍ୟ ରଖି କହିଥିଲେ,“୨୦୦୩ରୁ ୨୦୧୦ ମଧ୍ୟରେ ଛତିଶଗଡ଼ ୧୨ଟି ପ୍ରକଳ୍ପ ନିର୍ମାଣ କରିଛି। କିନ୍ତୁ ଏଥିପାଇଁ ସେଣ୍ଟ୍ରାଲ ୱାଟର କମିଶନ ବା ସିଡବ୍ଲ୍ୟୁସିର ଅନୁମତି ନିଆଯାଇ ନାହିଁ। ଏ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କୁ ମଧ୍ୟ ଅବଗତ କରାଯାଇ ନାହିଁ।” ଏହି ୧୨ଟି ପ୍ରକଳ୍ପ ମଧ୍ୟରୁ କେବଳ ୨୦୧୦ରେ ହିଁ ୭ଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା ବୋଲି ବିଜେଡି ମନ୍ତ୍ରୀ ଓ ବିଧାୟକ ଯୁକ୍ତି ରଖିଥିଲେ।

ମନ୍ତ୍ରୀ ଦେବୀ ମିଶ୍ର କହିଥିଲେ,“ମହାନଦୀରେ ଜଳପ୍ରବାହ ଯେଉଁ ପରିମାଣରେ କମୁଛି ୨୦୨୬ ସୁଦ୍ଧା ଏହା ପୂରା ଶୁଷ୍କ ହୋଇଯିବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ୨୦୧୧ରୁ ୨୦୧୫ ମଧ୍ୟରେ ଶିଳ୍ପ ସଂସ୍ଥାକୁ ପାଣି ଦେବା ପାଇଁ ଛତିଶଗଡ଼ ୭ଟି ବ୍ୟାରେଜ୍ ନିର୍ମାଣ କରିଛି।”

ଓଡ଼ିଶାକୁ ଅବଗତ ନ କରି ଛତିଶଗଡ଼ ମନମୁଖୀ ଭାବେ ମହାନଦୀ ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ କରି ଦାଦାଗିରି କରୁଥିବା ବେଳେ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ନିରପେକ୍ଷତା ଅବଲମ୍ବନ କରୁ ନାହାନ୍ତି ବୋଲି ଶାସକ ଦଳ ଅଭିଯୋଗ କରିଛି।

ମହାନଦୀ ପ୍ରସଙ୍ଗରେ ଆଲୋଚନା ଆଜି ଅସମାପ୍ତ ରହିଥିଲା। ଆସନ୍ତାକାଲି ଅପରାହ୍ନରେ ପୁଣି ଏ ପ୍ରସଙ୍ଗ ଉପରେ ଆଲୋଚନା ହେବ।

Related story