ମହାନଦୀ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥହାନୀ ହେବାକୁ ଦିଆଯିବ ନାହିଁ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥହାନୀ ହେବାକୁ ଦିଆଯିବ ନାହିଁ। ଏଥିପାଇଁ ରାଜ୍ୟ ସରକାର ସବୁ ପ୍ରକାର ବିକଳ୍ପ ଉପରେ ଅନୁଧ୍ୟାନ କରୁଛନ୍ତି। ଦିଲ୍ଲୀରେ ବସିଥିବା ତ୍ରିପାକ୍ଷିକ ବୈଠକ ବିଫଳ ହେବା ପରେ ଆଜି ବସିଥିବା ଜରୁରୀ କ୍ୟାବିନେଟ୍‌ ମିଟିଂ ଶେଷରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରୁ ଫେରିବା ପରେ କ୍ୟାବିନେଟ୍‌ର ଜରୁରୀ ବୈଠକ ବସିଥିଲା। ଏଥିରେ ମନ୍ତ୍ରୀମଣ୍ଡଳ ସଦସ୍ୟ, ମୁଖ୍ୟ ଶାସନ ସଚିବ, ଆଇନ ଓ […]

cabinet

Rakesh Mallick
  • Published: Sunday, 18 September 2016
  • , Updated: 18 September 2016, 10:08 PM IST

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥହାନୀ ହେବାକୁ ଦିଆଯିବ ନାହିଁ। ଏଥିପାଇଁ ରାଜ୍ୟ ସରକାର ସବୁ ପ୍ରକାର ବିକଳ୍ପ ଉପରେ ଅନୁଧ୍ୟାନ କରୁଛନ୍ତି। ଦିଲ୍ଲୀରେ ବସିଥିବା ତ୍ରିପାକ୍ଷିକ ବୈଠକ ବିଫଳ ହେବା ପରେ ଆଜି ବସିଥିବା ଜରୁରୀ କ୍ୟାବିନେଟ୍‌ ମିଟିଂ ଶେଷରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରୁ ଫେରିବା ପରେ କ୍ୟାବିନେଟ୍‌ର ଜରୁରୀ ବୈଠକ ବସିଥିଲା। ଏଥିରେ ମନ୍ତ୍ରୀମଣ୍ଡଳ ସଦସ୍ୟ, ମୁଖ୍ୟ ଶାସନ ସଚିବ, ଆଇନ ଓ ଜଳ ସମ୍ପଦ ବିଭାଗର ସଚିବ, ଆଡଭୋକେଟ୍‌ ଜେନେରାଲ ଓ ଅନ୍ୟ ଅଧିକାରୀମାନେ ଯୋଗଦେଇ ସମସ୍ତ ବିଷୟ ଆଲୋଚନା କରିଥିଲେ।

ଛତିଶଗଡ଼ ନିର୍ମାଣ କରୁଥିବା ପ୍ରକଳ୍ପ ଉପରେ କିପରି ଆଇନଗତ ରୋକ୍‌ ଲଗାଯିବ ? ବିବାଦର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପାଖରେ କି କି ଆଇନଗତ ଦିଗ ଅଛି ? ଦିଲ୍ଲୀ ବୈଠକ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ କ୍ୟାବିନେଟ୍‌ର ସହମତି ମିଳିଛି।

ପାଢୀ କହିଛନ୍ତି, “ଦିଲ୍ଲୀ ତ୍ରିପାକ୍ଷିକ ବୈଠକରେ ଛତିଶଗଡ଼ ପ୍ରଥମେ ପ୍ରକଳ୍ପ ନିର୍ମାଣ ବନ୍ଦ କରୁ ବୋଲି ଆମେ ଅନୁରୋଧ କରିଥିଲୁ। ହେଲେ ଛତିଶଗଡ଼ ଆମ ଅନୁରୋଧ ରକ୍ଷା କଲାନାହିଁ। କେନ୍ଦ୍ର ମଧ୍ୟ କୌଣସି ପ୍ରକାର ସହଯୋଗ କରିଲା ନାହିଁ। ଓଡ଼ିଶାବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ ଯଥାସାଧ୍ୟ ଚେଷ୍ଟା କରାଯିବ। କୌଣସି ପରିସ୍ଥିତିରେ ରାଜ୍ୟର ସ୍ୱାର୍ଥହାନୀ ହେବାକୁ ଦିଆଯିବ ନାହିଁ। ଏଥିପାଇଁ ଆଇନଗତ ଦିଗ ସହ ଯାହା ସବୁ ସମ୍ଭାବ୍ୟ ଦିଗ ରହିଛି ତା’ ଉପରେ ବିଚାର କରାଯାଉଛି।”

ଅନ୍ୟପକ୍ଷରେ ପ୍ରକଳ୍ପ କାମ ବନ୍ଦ କରିବାକୁ ଛତିଶଗଡ଼ ରୋକ୍‌ଠୋକ ମନା କରି ଦେବା ପରେ ପରିବେଶ ଉପରେ କୁପ୍ରଭାବକୁ ପ୍ରମୁଖ ଅସ୍ତ୍ର କରିବାକୁ ରାଜ୍ୟ ସରକାର ମନସ୍ଥ କରିଛନ୍ତି। ମହାନଦୀରେ ଜଳ ପ୍ରବାହ କମିଲେ ଚିଲିକା, ଭିତରକନିକା, ସାତକୋଶିଆ ଓ ଗହୀରମଥାର ଜୈବ ବିବିଧତା ନଷ୍ଟ ହେବ ବୋଲି ସରକାର ଯୁକ୍ତି ବାଢିଛନ୍ତି। ଏଥିପାଇଁ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ଆଶ୍ରୟ ନେବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି।

କେନ୍ଦ୍ର ସରକାରଙ୍କ ରିଭର ବୋର୍ଡ ସଦସ୍ୟ ବି.ପି. ଦାସ କହିଛନ୍ତି,“ଛତିଶଗଡ଼ ଦ୍ୱାରା ପ୍ରକଳ୍ପ ନିର୍ମାଣ ହେଲେ ଓଡ଼ିଶାର କ୍ଷତି ହେବ।”

ସେପଟେ ମହାନଦୀ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ଲାଗି ସୁପ୍ରିମକୋର୍ଟରେ ଆବେଦନ କରିବାକୁ ବିଚାର କରାଯାଉଥିବା ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା।  ସେହିପରି ମହାନଦୀରେ ଜଳ ପ୍ରବାହ ହ୍ରାସ ହେଲେ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବା ଆଶଙ୍କା ଥିବାରୁ ଏନ୍‌ଜିଟିରେ ମଧ୍ୟ ମାମଲା ରୁଜୁ କରିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି।

Related story