ମହାନଦୀ ବିବାଦ: ଟ୍ରିବ୍ୟୁନାଲ ଗଠନ କରିବାକୁ ରାଜ୍ୟ ସରକାର କେନ୍ଦ୍ରକୁ କୁହନ୍ତୁ: ନରସିଂହ

ଭୁବନେଶ୍ୱର: ମହାନଦୀ ସମସ୍ୟାର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରିବାକୁ ରାଜ୍ୟ ସରକାର କେନ୍ଦ୍ରକୁ ଦାବି କରନ୍ତୁ। ଟ୍ରିବ୍ୟୁନାଲ ଗଠନ ହେଲେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀକୁ ନେଇ ଦେଖା ଦେଇଥିବା ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଜି ସର୍ବଦର୍ଳୀ ବୈଠକ ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି। ସେ କହିଛନ୍ତି, “ଓଡ଼ିଶା-ମଧ୍ୟପ୍ରଦେଶ ମଧ୍ୟରେ ହୋଇଥିବା ୧୯୮୩ ଚୁକ୍ତି ଅନୁସାରେ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ କରାଯାଉ। ଟ୍ରିବ୍ୟୁନାଲ ଗଠନ ଲାଗି ରାଜ୍ୟ […]

all-party-meeting

Rakesh Mallick
  • Published: Wednesday, 03 August 2016
  • , Updated: 03 August 2016, 06:32 PM IST

ଭୁବନେଶ୍ୱର: ମହାନଦୀ ସମସ୍ୟାର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରିବାକୁ ରାଜ୍ୟ ସରକାର କେନ୍ଦ୍ରକୁ ଦାବି କରନ୍ତୁ। ଟ୍ରିବ୍ୟୁନାଲ ଗଠନ ହେଲେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀକୁ ନେଇ ଦେଖା ଦେଇଥିବା ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଜି ସର୍ବଦର୍ଳୀ ବୈଠକ ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି।

ସେ କହିଛନ୍ତି, “ଓଡ଼ିଶା-ମଧ୍ୟପ୍ରଦେଶ ମଧ୍ୟରେ ହୋଇଥିବା ୧୯୮୩ ଚୁକ୍ତି ଅନୁସାରେ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ କରାଯାଉ। ଟ୍ରିବ୍ୟୁନାଲ ଗଠନ ଲାଗି ରାଜ୍ୟ ସରକାର ଦାବି କଲେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଆବେଦନ କରିବେ। କେନ୍ଦ୍ରର ଆବେଦନ ପରେ କୋର୍ଟ ସମସ୍ତ ବିଷୟ ବିଚାର କରି ଟ୍ରିବ୍ୟୁନାଲ ଗଠନ କରିବେ। ଏହି ଟ୍ରିବ୍ୟୁନାଲ ୩ ମାସ ମଧ୍ୟରେ ରିପୋର୍ଟ ଦେବାକୁ ବାଧ୍ୟ। ଯଦି ଆବଶ୍ୟକ ପଡେ ଟ୍ରିବ୍ୟୁନାଲ ଅଧିକ ସମୟ ନେଇ ପାରିବ। ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଟ୍ରିବ୍ୟୁନାଲ ତାଙ୍କ ରିପୋର୍ଟ ପ୍ରଦାନ କରିବେ। ଏହାଦ୍ୱାରା ମହାନଦୀ ସମସ୍ୟାର ସମାଧାନ କରାଯାଇ ପାରିବ। ସରକାର ଏ ନେଇ ଶ୍ୱେତପତ୍ର ଆଣନ୍ତୁ।”

ସେ କହିଛନ୍ତି, “ମହାନଦୀ ସମସ୍ୟାର ସମାଧାନ ଲାଗି ଆଜି ବସିଥିବା ସର୍ବଦଳୀୟ ବୈଠକ ସଫଳ ହୋଇଛି। ବୈଠକରେ ଏକାଧିକ ପ୍ରସ୍ତାବ ଗ୍ରହଣ କରାଯାଇଛି। ୭ ଦିନ ମଧ୍ୟରେ ସବୁ ଦଳର ସଦସ୍ୟଙ୍କୁ ନେଇ ଏକ ମିଳିତ କମିଟି ଗଠନ କରାଯିବ। ମହାନଦୀ ସମସ୍ୟାର ସମାଧାନ ପାଇଁ କ’ଣ ପଦକ୍ଷେପ ନିଆଯିବା ଦରକାର କମିଟି ସେ ନେଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବ।”

“ମହାନଦୀ ସମସ୍ୟାକୁ ନେଇ ଆସନ୍ତା ୧୦ ତାରିଖରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏହି କମିଟି ଏକ ସ୍ମାରକପତ୍ର ପ୍ରଦାନ କରିବ” ବୋଲି ମଧ୍ୟ ମିଶ୍ର ସୂଚନା ଦେଇଛନ୍ତି।

ବୈଠକରେ ବିଜେଡି ଓ ସମାଜବାଦୀ ପାର୍ଟିକୁ ଛାଡିଦେଲେ ଅନ୍ୟ ସବୁ ଦଳର ନେତା ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।

ନରସିଂହ କହିଛନ୍ତି, “ମୁଖ୍ୟମନ୍ତ୍ରୀଙ୍କୁ ସର୍ବଦଳୀୟ ବୈଠକକୁ ଆସିବାକୁ ୩ ଥର ପତ୍ର ଲେଖିଲି, କିନ୍ତୁ କିଛି ଉତ୍ତର ପାଇଲି ନାହିଁ। ସେ କିମ୍ବା ତାଙ୍କ ପ୍ରତିନିଧି ବୈଠକକୁ ଆସିଲେ ନାହିଁ। ସମାଜବାଦୀ ପାର୍ଟିର ନେତା ଦୁଇ ଦିନ ଆମ ସହ ଆଲୋଚନା କରିଥିଲେ ଓ ବୈଠକରେ ଯୋଗ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର କୌଣସି କାରଣରୁ ଯୋଗଦେଇ ପାରିନାହାନ୍ତି।”

ବୈଠକରେ କଂଗ୍ରେସର ୧୬ ବିଧାୟକଙ୍କ ମଧ୍ୟରୁ ୧୪ ଜଣ ଯୋଗ ଦେଇଥିଲେ। ବିଜେପିରୁ ପ୍ରଦୀପ ପୁରୋହିତ, ଭୃଗୁ ବକ୍ସିପାତ୍ର, କେଭି ସିଂହଦେଓ, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୁର୍ବତନ ସାଂସଦ ବ୍ରଜ ତ୍ରିପାଠୀ, ଆମ ଓଡ଼ିଶା ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ସିପିଆଇ ନେତା ଜନାର୍ଦ୍ଦନ ପତି ପ୍ରମୁଖ ବୈଠକରେ ସାମିଲ ହୋଇଥିଲେ।

ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, “ମୁଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଛି ସେ ସର୍ବଦଳୀୟ ବୈଠକ ଡାକନ୍ତୁ। ମହାନଦୀ ସମସ୍ୟାର ସମାଧାନ ପାଇଁ ସମସ୍ତେ ତାଙ୍କୁ ସହଯୋଗ କରିବେ। ମହାନଦୀ ସାରା ଓଡ଼ିଶାକୁ ଏକାଠି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ସୁଯୋଗ ଦେଇଛି। ଯଦି ସେ ରାଜନୀତି କରି ଏହାକୁ ନିଜ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କଲେ ତେବେ ଓଡ଼ିଶାବାସୀ ତାଙ୍କୁ କେବେ କ୍ଷମା ଦେବେ ନାହିଁ। ଏବେ ବି ସମୟ ଅଛି ସେ ଏହି ସୁଯୋଗକୁ ହାତଛଡ଼ା ନ କରନ୍ତୁ। ମହାନଦୀକୁ ନେଇ ବହୁ ଲୋକ ବହୁ କଥା କହୁଛନ୍ତି, ହେଲେ କାହା ପାଖରେ କିଛି ତଥ୍ୟ ନାହିଁ। ଛତିଶଗଡ଼ ବ୍ୟାରେଜ କଲେ ଓଡ଼ିଶାର କେଉଁ ଅଞ୍ଚଳ କ୍ଷତିଗ୍ରସ୍ତ ହେବ, ହୀରାକୁଦରେ କେତେ ପାଣି କମିବ ଏ ବିଷୟରେ ରାଜ୍ୟ ସରକାର ଏକ ଶ୍ୱେତପତ୍ର ଆଣନ୍ତୁ।”

ସେ ଆହୁରି କହିଛନ୍ତି, “ଆମେ ଏକ ସଙ୍ଘୀୟ ବ୍ୟବସ୍ଥାରେ ଅଛୁ। ଆମ ଉପରେ ବିପଦ ପଡିଲେ କେନ୍ଦ୍ର ସରକାର ନିଶ୍ଚିତ ଦୁଇ ରାଜ୍ୟ ସହ ଆଲୋଚନା କରି ସମାଧାନର ବାଟ ବାହାର କରିବେ। ମୁଖ୍ୟମନ୍ତ୍ରୀ ବହୁତ ଚିଠି ଲେଖନ୍ତି, ହେଲେ କେବେ ଚିଠି ପାଆନ୍ତି ନାହିଁ କାହିଁକି ମୁଁ ଜାଣିନାହିଁ।”

ଜନାର୍ଦ୍ଦନ ପତି କହିଛନ୍ତି, “ବିରୋଧୀ ଦଳ ନେତା ଏହି ସର୍ବଦଳୀୟ ବୈଠକ ଡାକିଛନ୍ତି, ମୁଁ ଏହାକୁ ସ୍ୱାଗତ କରିଛି। ମାତ୍ର ମୁଖ୍ୟମନ୍ତ୍ରୀ ଏହି ବୈଠକ ଡାକିବାର ଥିଲା। ମୁଖ୍ୟମନ୍ତ୍ରୀ ଏକା କେନ୍ଦ୍ର ପାଖରେ ମହାନଦୀ ସମସ୍ୟା ଉପସ୍ଥାପନ କଲେ ଏହାର ଗୁରୁତ୍ୱ ରହିବ ନାହିଁ। ଓଡ଼ିଶାର ଲୋକଙ୍କ ମଧ୍ୟରେ ସମନ୍ୱୟ ନାହିଁ ବୋଲି ସମସ୍ତଙ୍କ ପାଖକୁ ବାର୍ତ୍ତା ଯିବ। ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସାଙ୍ଗରେ ନେଇ ସମସ୍ୟାର ସମାଧାନ କରିବା ଦରକାର। ମୁଁ ବୁଝିପାରୁନାହିଁ ସେ ଏକା ଏହାର ସମାଧାନ କରି ଦେବେ ବୋଲି ସେ କେମିତି ଭାବୁଛନ୍ତି।”

Related story