ମାଲକାନଗିରି: ମିଳିଲାନି ଆମ୍ବୁଲାନ୍ସ, ଗଛ ମୂଳେ ୧୨ ଘଣ୍ଟା ପଡ଼ି ଆଖି ବୁଜିଲେ ଡମ୍ବରୁ

ମାଲକାନଗିରି: ଆମ୍ବୁଲାନ୍ସ ସେବାକୁ ନେଇ ପୁଣି ଏକ ଅବହେଳା ଘଟଣା ପଦାକୁ ଆସିଛି। ଜଣେ ରୋଗୀଙ୍କୁ ଗୁରୁତର ଅବସ୍ଥାରେ ଆନ୍ଧ୍ରରୁ ଆଣିଥିବା ଆମ୍ବୁଲାନ୍ସ କର୍ମଚାରୀ ତାଙ୍କୁ ଗଛ ମୂଳରେ ଛାଡି ଚାଲିଯିବା ଓ ସେଠାରେ ରୋଗୀ ଜଣଙ୍କର ମୃତ୍ୟୁ ଘଟଣା ପଦାକୁ ଆସିଛି। ଏପରି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ମାଥିଲି ଥାନା ସିନ୍ଦାବେଡ଼ା ଗାଁରୁ। ଦୀର୍ଘ ୧୨ ଘଣ୍ଟା ଗଛ ତଳେ ପଡ଼ି ରହି ଶେଷରେ ସିନ୍ଦାବେଡ଼ା ଗାଁର ଡମ୍ବରୁ ଗୌଡ଼ ଆଖି ବୁଜିଲେ। ହେଲେ […]

malkangiri-sramika-mruta

Rakesh Mallick
  • Published: Wednesday, 23 March 2016
  • , Updated: 25 March 2016, 04:40 PM IST

ମାଲକାନଗିରି: ଆମ୍ବୁଲାନ୍ସ ସେବାକୁ ନେଇ ପୁଣି ଏକ ଅବହେଳା ଘଟଣା ପଦାକୁ ଆସିଛି। ଜଣେ ରୋଗୀଙ୍କୁ ଗୁରୁତର ଅବସ୍ଥାରେ ଆନ୍ଧ୍ରରୁ ଆଣିଥିବା ଆମ୍ବୁଲାନ୍ସ କର୍ମଚାରୀ ତାଙ୍କୁ ଗଛ ମୂଳରେ ଛାଡି ଚାଲିଯିବା ଓ ସେଠାରେ ରୋଗୀ ଜଣଙ୍କର ମୃତ୍ୟୁ ଘଟଣା ପଦାକୁ ଆସିଛି। ଏପରି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ମାଥିଲି ଥାନା ସିନ୍ଦାବେଡ଼ା ଗାଁରୁ। ଦୀର୍ଘ ୧୨ ଘଣ୍ଟା ଗଛ ତଳେ ପଡ଼ି ରହି ଶେଷରେ ସିନ୍ଦାବେଡ଼ା ଗାଁର ଡମ୍ବରୁ ଗୌଡ଼ ଆଖି ବୁଜିଲେ। ହେଲେ ସ୍ୱାସ୍ଥ୍ୟ ବିଭାଗ କି ସ୍ଥାନୀୟ ପ୍ରଶାସନ ତାଙ୍କ ପାଖରେ ନ ପହଞ୍ଚିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢିବାରେ ଲାଗିଛି।

ଆଦିବାସୀ ସମ୍ପ୍ରଦାୟର ଡମ୍ବରୁ ଇଟା ଭାଟିରେ କାମ କରିବାକୁ ଆନ୍ଧ୍ର ପ୍ରଦେଶର କରିମ ନଗର ଯାଇଥିଲେ। ସେଠାରେ ହଠାତ ତାଙ୍କ ଦେହ ଖରାପ ହୋଇଯାଇଥିଲା। ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଆପୋକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ଲାଗି ଆବଶ୍ୟକ ଅର୍ଥ ଡମ୍ବରୁ ଦେଇ ପାରି ନ ଥିଲେ। ଫଳରେ ହସ୍ପିଟାଲ କର୍ତ୍ତୃପକ୍ଷ ଏକ ଆମ୍ବୁଲାନ୍ସରେ ତାଙ୍କୁ ଘରକୁ ପଠାଇ ଦେଇଥିଲେ। ହେଲେ ଆମ୍ବୁଲାନ୍ସ କର୍ମଚାରୀ ଡମ୍ବରଙ୍କୁ ଘରେ ଛାଡ଼ିବା ପରିବର୍ତ୍ତେ ଗୁରୁତ୍ୱର ଅବସ୍ଥାରେ ପଦ୍ମପୁର ବଜାରର ଏକ ଗଛ ମୂଳରେ ଛାଡି ଚାଲିଯାଇଥିଲେ। ମଙ୍ଗଳବାର ଦିନ ୨ଟାରୁ ଡମ୍ବରୁ ସେଠାରେ ପଡି ରହି ଜୀବନ ସହ ସଂଗ୍ରାମ କରୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା।

ସ୍ଥାନୀୟ ବାସିନ୍ଦା ପଦୁ ହନ୍ତାଳ କହିଛନ୍ତି, “ଆନ୍ଧ୍ର ପ୍ରଦେଶ ଆମ୍ବୁଲାନ୍ସରେ ଡମ୍ବରୁଙ୍କୁ ଆଣି ଗତକାଲି ଦିନ ୨ଟାରେ ପଦ୍ମପୁର ବଜାର ବନ୍ଦ ଥିବା ବେଳେ ଛାଡି ଚାଲିଗଲା।  ଆସିବା ବେଳେ ଡମ୍ବରୁ ଜୀବିତ ଥିଲେ। ଗୋଟିଏ ଆମ୍ବୁଲାନ୍ସରେ ଡାକ୍ତରଖାନା ନେବାକୁ ବହୁ ଚେଷ୍ଟା କରିଥିଲୁ। ଏପରି କି ଆମ୍ବୁଲାନ୍ସ ଗୋଟେ ଯୋଗାଇ ଦେବାକୁ ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ଫୋନ କରି ଯୋଗାଯୋଗ କରିଥିଲୁ। ହେଲେ ଆମ୍ବୁଲାନ୍ସଟେ ମିଳିଲା ନାହିଁ। ଗଛ ମୂଳେ ପଡ଼ି ପଡ଼ି ତାଙ୍କର ମୃତ୍ୟୁ ଘଟିଲା। ଏଥିପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ।”

ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂ କହିଛନ୍ତି, “ବୋର୍ଡ ପକ୍ଷରୁ ମୃତକଙ୍କ ପରିବାର ବର୍ଗଙ୍କୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି।”

Related story