ନୂଆଦିଲ୍ଲୀ: କୁହାଯାଏ, ପ୍ରତି ମଣିଷ ଭିତରେ କିଛି ନା କିଛି ସ୍ୱତନ୍ତ୍ର ଗୁଣ ଲୁକ୍କାୟିତ ଅବସ୍ଥାରେ ରହିଥାଏ । ସୁଯୋଗ ମିଳିବା ମାତ୍ରେ ଏହି ଗୁଣର ପରିସ୍ଫୁଟନ ହୁଏ, ଆଉ ସମୟ ଆସିଲେ ସେହି ଗୁଣର ଅଧିକାରୀଙ୍କୁ ସମାଜରେ ପ୍ରସିଦ୍ଧି ମଧ୍ୟ ମିଳେ।
ଦିନେ ନିଜ ଘର ଚଳାଇବା ପାଇଁ ଅନ୍ୟ ଘରେ ବାସନ ମାଜୁଥିବା ଘରୋଇ ସହାୟିକା ଦୀପିକା ମାହାତୋଙ୍କ ଜୀବନରେ ଏଭଳି କିଛି ସୁଯୋଗ ପାଇ ଏବେ ଜଣେ ଷ୍ଟାଣ୍ଡ୍ଅପ୍ କମେଡିଆନ୍ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ଘରୋଇ ସହାୟିକାମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ଲୋକେ ଅଲଗା ଲିଫ୍ଟର ବ୍ୟବସ୍ଥା କରିବା ସହ ଘର ଭିତରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଧରଣର କପ୍-ପ୍ଲେଟ୍ ରଖିବାର ମନୋଭାବକୁ ଦୀପିକା ନାପସନ୍ଦ କରନ୍ତି।
ଦୀପିକାଙ୍କୁ ନିଜ ଦକ୍ଷତା ଲୋକଙ୍କ ସାମ୍ନାକୁ ଆଣିବାର ସୁଯୋଗ ମିଳିଲା ଏକ ଛୋଟ ଶୋ'ରୁ। ଦିନେ ତାଙ୍କର ଜଣେ ସାଙ୍ଗ ଘରୋଇ ହିଂସା ବିରୋଧରେ ଏକ କମେଡି ଶୋ'ର ଆୟୋଜନ କରିଥିଲେ। ଦୀପିକା ସେଥିରେ ଭାଗ ନେଇ ଉପସ୍ଥିତ ଲୋକଙ୍କ ମନୋରଞ୍ଜନ କଲେ।
ଶୋ' ସରିବା ପରେ ଦୀପିକାଙ୍କ ଦକ୍ଷତା ଦେଖି ତାଙ୍କ ସାଙ୍ଗ ତାଙ୍କୁ କମେଡିଆନ୍ ଅଦିତି ମିତ୍ତଲ୍ଙ୍କ ସହ ଭେଟ କରାଇଦେଲେ । ଆଉ ଏହା ପରେ ଅଦିତି ଦୀପିକାଙ୍କୁ ନିଜ କମେଡି ସିରିଜ୍ 'Bad girl'ରେ ସାମିଲ୍ ହେବାର ସୁଯୋଗ ଦେଲେ।
ଏବେ ଦୀପିକାଙ୍କୁ ନିଜ ଘର ଚଳାଇବା ପାଇଁ ଆଉ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁନାହିଁ।