ଶିକୁଳିରେ ବନ୍ଧା ପଡ଼ିଛି ଜୀବନ

Ordigital Desk
• Published: Sunday, 17 December 2017
• , Updated: 17 December 2017, 07:20 PM IST

ଉଦଳା (ଓଡ଼ିଶା ରିପୋର୍ଟର): ରୋଜଗାର କରି ପରିବାର ଭରଣ ପୋଷଣ କରିବା ବୟସ। ଯେଉଁ ହାତ ଧରି ବୁଢ଼ା ଜେଜେ ବାପା ଚାଲିବା କଥା, ସେହି ହାତ ଆଜି ତାଙ୍କ ପାଟିକୁ ଦାନା ଦେଉଛି। ଭାଗ୍ୟ ଖେଳିଛି ତାଙ୍କ ସହ ନିର୍ଦ୍ଦୟ ଖେଳ। ଆମେ କହୁଛୁ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବଡ଼ଗୁଡୁଗୁଡି ଗେଁର ଭଗବାନ ମହାନ୍ତିଙ୍କ କଥା। ମାନସିକ ଭାରସାମ୍ୟ ହରାଇ ଏବେ ନଜର ବନ୍ଦୀ। ହାତ ଓ ପାଦରେ ପଡ଼ିଛି ଶିକୁଳି। ଗୋଟିଏ ଜାଗାରେ ପଡ଼ି ରହିଛନ୍ତି, ଆଉ ସବୁ କାମ ପାଇଁ ପରିବାର ଲୋକଙ୍କ ପରେ ନିର୍ଭର କରୁଛନ୍ତି।

ଭଗବାନ ମହାନ୍ତି। ପରିବାର କହିଲେ ବୁଢ଼ା ଜେଜେ, ପତ୍ନୀ ଓ ୫ ବର୍ଷର ପୁଅ। ମାଆ ଆରପାରିକୁ ଚାଲିଯିବା ପରେ ଘର ସଂସାର ବୁଝିବାକୁ ବାପା ହାତକୁ ଦୁଇହାତ କରିଦେଇଥିଲେ। ପରିବାର ହସଖୁସିରେ ଚାଲିଥିଲା। ହେଲେ ପୁଅ ଜନ୍ମ ହେବା ପରେ ପରେ ଯେମିତି କଳାବାଦଲ ମାଡ଼ି ଆସିଥିଲା ତାଙ୍କ ସୁଖ ସଂସାରକୁ। ଭଗବାନଙ୍କ ଅବଭାବରେ ଦେଖିବାକୁ ମିଳିଥିଲା ପରିବର୍ତ୍ତନ। ଡାକ୍ତର ପାଖକୁ ଗଲେ, ପରାମର୍ଶ ଅନୁସାରେ ଚିକିତ୍ସା ମଧ୍ୟ କରାଇଲେ। ହେଲେ କିଛି ଲାଭ ହେଲାନାହିଁ। ଏପରି ମାନସିକ ପରିବର୍ତ୍ତନ କମିବା ବଦଳରେ ବଢ଼ିବାକୁ ଲାଗିଲା। ସମୟ ଏମିତି ଆସିଲା, ଗାଁ ଦାଣ୍ଡରେ ଭଗବାନ ଯାହାକୁ ଦେଖିଲେ ମାରିବାକୁ ଗୋଡାଇଲେ। ଏପରିକି ବହୁ ସମୟରେ ଉଲଗ୍ନ ହୋଇ ଗାଁ ଏ ମୁଣ୍ଡରୁ ସେ ମୁଣ୍ଡକୁ ଦୌଡ଼ା ଦୌଡି କଲେ।

ଘରେ ଯାହା ଥିଲା ବିକି ଭାଙ୍ଗି ଯାହା ଯେତିକି ପାଇଲେ ଧରି ଏ ଡାକ୍ତରଖାନାରୁ ସେ ଡାକ୍ତରଖାନାକୁ ଗଲେ। ଅଣ୍ଟାରେ ଥିବା ସ୍ୱଳ୍ପ ପୁଞ୍ଜି ମଧ୍ୟ ସରିଗଲା। ଗାଁ ଲୋକେ ଯଥା ସମ୍ଭବ ସହଯୋଗ କଲେ। ହେଲେ ଭଗବାନଙ୍କର ମାନସିକ ସ୍ଥିତିରେ କୌଣସି ପରିବର୍ତ୍ତନ ଆସିଲାନାହିଁ। ନିରୂପାୟ ହୋଇ ପରିବାର ଲୋକେ ଗୋଡ଼ହାତରେ ବେଡ଼ି ପକାଇ ଦେଲେ।

ଏହା ମଧ୍ୟରେ ୩ ବର୍ଷ ବିତି ଯାଇଛି। ଆଉ ଏକ ଖଟ ଉପରେ ପଡ଼ି ରହିଥିବା ଭଗବାନଙ୍କ ପାଇଁ ଏହି ଶିକୁଳି ପାଲଟି ଯାଇଛି ଜୀବନ ସାଥୀ। କେତେବେଳେ ଜେଜେ ବାପା କିଛି ଆଣି ପାଟିରେ ଦେବ ସେ ବାଟକୁ ଅନାଇ ବସିଛନ୍ତି ଭଗବାନ।

ନାତିର ଚିକିତ୍ସା ପାଇଁ ଭଗବାନଙ୍କ ଜେଜେ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଦୌଡି ଦୌଡ଼ି ନୟାନ୍ତ ହୋଇଗଲେଣି ହେଲେ କେହି କିଛି ଶୁଣୁ ନଥିବା ଅଭିଯୋଗ କରିଛନ୍ତି। ଘରର ଛପର ଉଡିଯିବାକୁ ବସିଛି। ଦିନରେ ସୂର୍ଯ୍ୟ, ରାତିରେ ତାରା ଦେଖାଯାଉଛନ୍ତି। ବର୍ଷା ହେଲେ ଏଣେ ତେଣେ ମୁଣ୍ଡ ଗୁଞ୍ଚିବାକୁ ପଡୁଛି। ତଥାପି ପ୍ରଶାସନ ଆମ ଦୁଃଖ ବୁଝୁ ନାହାଁନ୍ତି କି ନାତିର ଚିକିତ୍ସା ପାଇଁ କିଛି ବି ପଦକ୍ଷେପ ନେଉନାହାଁନ୍ତି ବୋଲି କ୍ଷୋଭର ସହ କହିଛନ୍ତି ଭଗବାନଙ୍କ ଜେଜେ।

ଅନ୍ୟପକ୍ଷରେ ଘଟଣା ଜଣାପଡିବା ପରେ ଭଗବାନଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ଯୋଗାଇ ଦେବାକୁ ଚିଠି କରାଯାଇଥିବା ବ୍ଲକ ପ୍ରଶାସନ କହିଛନ୍ତି। ଅନ୍ତ୍ୟୋଦୟ ଯୋଜନାରେ ଚାଉଳ ଯୋଗାଇ ଦିଆଯିବା ସହ ଅଗ୍ରାଧିକାର ଭିତ୍ତିରେ ଘର ପାଇଁ ବ୍ୟବସ୍ଥା କରାଯାଉଥିବା କପ୍ତିପଦା ଭିଡିଓ କହିଛନ୍ତି।

ଅଧିକ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ।

Related story