ମୌସୁମୀ ଅଧିବେଶନରେ ମହାନଦୀ, ପୋଲାଭରମକୁ ଢାଲ କରିବ ବିଜେଡି

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଏଥିପାଇଁ ସରକାରଙ୍କୁ ଘେରିବାକୁ ରାଜ୍ୟ ଦୁଇ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ଓ ବିଜେପି ରଣନୀତି ପ୍ରସ୍ତୁତି କରିଛନ୍ତି। ବିରୋଧୀଙ୍କୁ ମୁକାବିଲା କରିବା ପାଇଁ ମହାନଦୀ, ପୋଲାଭରମ ପ୍ରସଙ୍ଗକୁ ଢାଲ କରିବ ଶାସନ ବିଜେଡି। କଂଗ୍ରେସ ଓ ବିଜେପିକୁ ଟକ୍କର ଦେବା ପାଇଁ ଶାସକ ଦଳ ବିଜେଡି ପଛରେ ପଡ଼ିନି। ମହାନଦୀ ପ୍ରସଙ୍ଗରେ ଦଳ ଉଭୟ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟପନ୍ଥାକୁ […]

bjp

Rakesh Mallick
  • Published: Tuesday, 20 September 2016
  • , Updated: 21 September 2016, 08:04 AM IST

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଏଥିପାଇଁ ସରକାରଙ୍କୁ ଘେରିବାକୁ ରାଜ୍ୟ ଦୁଇ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ଓ ବିଜେପି ରଣନୀତି ପ୍ରସ୍ତୁତି କରିଛନ୍ତି। ବିରୋଧୀଙ୍କୁ ମୁକାବିଲା କରିବା ପାଇଁ ମହାନଦୀ, ପୋଲାଭରମ ପ୍ରସଙ୍ଗକୁ ଢାଲ କରିବ ଶାସନ ବିଜେଡି।

କଂଗ୍ରେସ ଓ ବିଜେପିକୁ ଟକ୍କର ଦେବା ପାଇଁ ଶାସକ ଦଳ ବିଜେଡି ପଛରେ ପଡ଼ିନି। ମହାନଦୀ ପ୍ରସଙ୍ଗରେ ଦଳ ଉଭୟ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟପନ୍ଥାକୁ ବିଧାନସଭାରେ ଢ଼ାଲ କରିବ। ଏହାଛଡ଼ା ପୋଲାଭରମ୍‌ ପ୍ରସଙ୍ଗରେ କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କ ଭୂମିକାକୁ ମଧ୍ୟ ଟାର୍ଗେଟ୍‌ କରିବ ଦଳ। ସେହିପରି କେନ୍ଦ୍ର ଅବହେଳା, ଇଣ୍ଡଷ୍ଟ୍ରିଆଲ କରିଡରରେ ଓଡ଼ିଶା ସ୍ଥାନ ନ ପାଇବା ଓ କେନ୍ଦ୍ରୀୟ ଅନୁଦାନ କାଟ୍‌ ପ୍ରସଙ୍ଗକୁ ପୁଣି ଥରେ ବିଜେଡି ଉଠାଇ ବିରୋଧୀଙ୍କୁ ସାମ୍ନା କରିବା ପାଇଁ ଯୋଜନା କରିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,“ବିଧାନସଭାରେ ମହାନଦୀ ଜଳ ବିବାଦ, ପୋଲାଭରମ ଓ କେନ୍ଦ୍ରୀୟ ଅନୁଦାନ କାଟ୍‌ ପ୍ରସଙ୍ଗ ଉପରେ ଆଲୋଚନା କରିବୁ।“

ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ କହିଛନ୍ତି,“ମହାନଦୀ, ପୋଲାଭରମ ଓ କ୍ରମାଗତ ଭାବେ କେନ୍ଦ୍ର ସରକାର ଯେଉଁପରି ଅନୁଦାନ କାଟି ଚାଲିଛନ୍ତି ସେ ସମ୍ପର୍କରେ ଗୃହରେ ଆଲୋଚନା କରିବୁ।”

ଆଜି କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା। ବୈଠକରେ ନଗଡ଼ା ଶିଶୁ ମୃତ୍ୟୁ, ଗୁମୁଡୁମାହା ଗୁଳିକାଣ୍ଡ, ଦାନ ମାଝି ପତ୍ନୀଙ୍କ ଶବ ବୋହିବା, ରାସନ୍‌କାର୍ଡ଼ କଳେଙ୍କାରୀ, ରାୟଗଡ଼ାରେ ଆମ୍ୱ ଟାକୁଆ ଜାଉ ଖାଇବା ଓ ବିପର୍ଯ୍ୟସ୍ତ ଆଇନ୍‌ଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା ହୋଇଥିଲା। ଏହିସବୁ ପ୍ରସଙ୍ଗକୁ ନେଇ ଦଳ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି।

ବିରୋଧୀଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ମୌସୁମୀ ଅଧିବେଶରେ ନଗଡ଼ା, ମହାନଦୀ, କନ୍ଧମାଳ, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ କଂଗ୍ରେସ ମୁଖ୍ୟ ପ୍ରସଙ୍ଗ କରିବ। ନଗଡ଼ାରେ ୨୧ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହାର ଉତ୍ତର ମୁଖ୍ୟମନ୍ତ୍ରୀ ବିଧାନସଭାରେ ଦେବେ।”

ବିଜେପି ବିଧାୟକ ଦଳ ବୈଠକରେ ମଧ୍ୟ କେନ୍ଦ୍ର ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଆକ୍ରମଣଠାରୁ ଆରମ୍ଭ କରି ବିଜେଡି ନେତାଙ୍କ ଦାଦାଗିରି, ଶିକ୍ଷା, ସ୍ୱାସ୍ଥ୍ୟ, ରାସନ୍‌କାର୍ଡ଼, ଟିଚର ଅନ୍‌ କଲ, ଚିଟ୍‌ଫଣ୍ଡ, ମୋତିଲାଲ ଓ ହାପିକର କେଳେଙ୍କାରିକୁ ପ୍ରମୁଖକୁ ପ୍ରସଙ୍ଗ କରିବା ନେଇ ଆଲୋଚନା ହୋଇଛି।

ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି,“ଗୁମୁଡୁମାହାରେ ଏସ୍‌ଓଜି ଯବାନଙ୍କ ଦ୍ୱାରା ଆଦିବାସୀଙ୍କ ହତ୍ୟା, ହୋମ୍‌ଗାର୍ଡ଼ ସନ୍ଦୀପ ହାତୀର ଆତ୍ମାହୂତି, ଇନ୍‌ପୁଟ୍‌ ସବ୍‌ସିଡ୍‌ ପରି ଅନେକ ପ୍ରସଙ୍ଗକୁ ଆଧାର କରି ବିଜେପି ସରକାରଙ୍କ ଘେରିବ।”

ଆସନ୍ତାକାଲିଠାରୁ ମୌସୁମୀ ଅଧିବେଶ ଆରମ୍ଭ ହେଉଥିବାରୁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୋଲିସ୍‌ ଡିଜି କେ.ବି. ସିଂହ, ପୋଲିସ୍‌ କମିଶନର  ୱାଇ.ବି ଖୁରାନିଆ ଓ ଡିସିପି ସତ୍ୟବ୍ରତ ଭୋଇ ଆଜି ବିଧାନସଭା ପରିସର ଓ ବିଭିନ୍ନ ସଙ୍ଗଠନ ଧାରଣା ଦେଉଥିବା ସ୍ଥାନ ଲୋୟର ପିଏମ୍‌ଜି ଯାଇ ଯାଞ୍ଚ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ୩୫ ପ୍ଲାଟୁନ୍‌ ଫୋର୍ସ, ଜଣେ ଡିସିପି, ୪ ଜଣ ଆସିଷ୍ଟାଣ୍ଟ ଡିସିପି, ୧୨ ଜଣ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୧୦୦ ଜଣ ଏସ୍‌ଆଇ ଓ ଏଏସ୍‌ଆଇଙ୍କୁ ନିୟୋଜିତ କରାଯାଇଛି। ଏୟାରପୋର୍ଟ୍‌, ଷ୍ଟେସନ୍‌ ଓ ବସ୍‌ଷ୍ଟାଣ୍ଡରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି।

Related story