ନବନିର୍ମାଣ କୃଷକ ସଂଗଠନର ସମାବେଶକୁ ଆସୁଥିବା ଚାଷୀଙ୍କୁ ଅଟକ ରଖିଲା ପୋଲିସ୍

ଭୁବନେଶ୍ୱର: ପ୍ରାଇସ୍‌, ପ୍ରେଷ୍ଟିଜ୍ ଓ ପେନ୍‌ସନ୍‌ ଦାବିରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ଭୁବନେଶ୍ୱରରେ ବିଶାଳ ସମାବେଶର ଆୟୋଜନ କରାଯାଇଛି। ଏଥିପାଇଁ ଗତକାଲି ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଚାଷୀମାନେ ରାଜଧାନୀକୁ ଆସିଥିଲେ। ତେବେ ସମାବେଶକୁ ଭଣ୍ଡୁର କରିବା ପାଇଁ ଭୁବନେଶ୍ୱର ଆସୁଥିବା ସଂଗଠନର ବହୁ ସଦସ୍ୟ ଓ ଚାଷୀଙ୍କୁ ପୋଲିସ୍ ବିଭିନ୍ନ ସ୍ଥାନରେ ଅଟକ ରଖିଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର ଅଭିମୁଖେ ଆସୁଥିବା ଚାଷୀଙ୍କୁ ଗତକାଲି ପୋଲିସ୍ ବିଭିନ୍ନ ସ୍ଥାନରେ ଅଟକ ରଖିଥିବା ବେଳେ […]

police

Rakesh Mallick
  • Published: Wednesday, 14 December 2016
  • , Updated: 14 December 2016, 08:05 PM IST

ଭୁବନେଶ୍ୱର: ପ୍ରାଇସ୍‌, ପ୍ରେଷ୍ଟିଜ୍ ଓ ପେନ୍‌ସନ୍‌ ଦାବିରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ଭୁବନେଶ୍ୱରରେ ବିଶାଳ ସମାବେଶର ଆୟୋଜନ କରାଯାଇଛି। ଏଥିପାଇଁ ଗତକାଲି ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଚାଷୀମାନେ ରାଜଧାନୀକୁ ଆସିଥିଲେ। ତେବେ ସମାବେଶକୁ ଭଣ୍ଡୁର କରିବା ପାଇଁ ଭୁବନେଶ୍ୱର ଆସୁଥିବା ସଂଗଠନର ବହୁ ସଦସ୍ୟ ଓ ଚାଷୀଙ୍କୁ ପୋଲିସ୍ ବିଭିନ୍ନ ସ୍ଥାନରେ ଅଟକ ରଖିଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର ଅଭିମୁଖେ ଆସୁଥିବା ଚାଷୀଙ୍କୁ ଗତକାଲି ପୋଲିସ୍ ବିଭିନ୍ନ ସ୍ଥାନରେ ଅଟକ ରଖିଥିବା ବେଳେ ଆଜି ମଧ୍ୟ ଏହି ପ୍ରକ୍ରିୟା ଜାରି ରହିଥିଲା।

ଭୁବନେଶ୍ୱରର ହାଇଟେକ୍ ଛକରେ ସମାବେଶ ସ୍ଥଳରେ ପୋଲିସ୍ ୧୪୪ ଧାରା ଜାରି କରିଥିଲା। ସମାବେଶରେ ଯୋଗ ଦେବାକୁ ଆସିଥିବା ୪୦୦ରୁ ଅଧିକ ଚାଷୀଙ୍କୁ ପୋଲିସ୍ ଅଜଣା ସ୍ଥାନକୁ ନେଇ ଅଟକ ରଖିଛି। ଏହା ସହିତ ଜାତୀୟ ରାଜପଥରେ ଯିବା ଆସିବା କରୁଥିବା ଗାଡ଼ିକୁ ପୋଲିସ୍ ଯାଞ୍ଚ କରିଥିଲା। ଯେଉଁମାନଙ୍କ ଉପରେ ସନ୍ଦେହ ହୋଇଥିଲା ପୋଲିସ ସେମାନଙ୍କୁ ଅଟକ ରଖିଥିଲା। ରାଲିରେ ଯିବାକୁ ଅନୁମତି ନ ମିଳିବାରୁ ଆନ୍ଦୋଳନକାରୀମାନେ ପ୍ରଥମେ ହାଇଟେକ୍‌ ଛକ ଓ ପରେ ହଂସପାଳ ଛକରେ ଜାତୀୟ ରାଜପଥ ଅବରୋଧ କରିଥିଲେ।

ଭୁବନେଶ୍ୱର ଭଳି କଟକ ଭାଣପୁରରେ ମଧ୍ୟ ପୋଲିସ ଯାନବାହାନ ଯାଞ୍ଚ କରିବା ସହ ସମାବେଶକୁ ଆସିଥିବା ଚାଷୀଙ୍କୁ ଅଟକ ରଖିଥିଲା। ଏହାକୁ ନେଇ ସେଠାରେ କିଛି ସମୟ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।

ସେହିପରି ସମାବେଶରେ ଯୋଗ ଦେବାକୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ନବନିର୍ମାଣ କୃଷକ ସଂଗଠନର ୧୦୦ରୁ ଅଧିକ ସଦସ୍ୟଙ୍କୁ ଢେଙ୍କାନାଳରେ ପୋଲିସ୍ ଅଟକାଇ ଥିଲା। ଟ୍ରେନ୍‌ରେ ସେମାନେ ଭୁବନେଶ୍ୱର ଆସିବାକୁ ଢେଙ୍କାନାଳ ମୁଖ୍ୟ ଷ୍ଟେସନକୁ ଆସିଥିବା ବେଳେ ପୋଲିସ୍ ସେମାନଙ୍କୁ ଅଟକାଇ ଥିଲା। ପରେ ସଂଗଠନର ସଦସ୍ୟମାନେ ଏକ ରାଲିରେ ସହର ପରିକ୍ରମା କରି ରିଜର୍ଭ ପୋଲିସ୍ ଲାଇନ୍‌କୁ ଆସିଥିଲେ। ଏଠାରେ ଗତକାଲି ରାତିରୁ ପୋଲିସ୍ ସଂଗଠନର ୨ ନେତାଙ୍କୁ ଗିରଫ କରି ରଖିଥିଲା।

ସମାବେଶରେ ଯୋଗ ଦେବାକୁ ଜଗତସିଂହପୁରରୁ ଆସୁଥିବା କିଛି ଚାଷୀଙ୍କୁ ପୋଲିସ୍ ଅଟକ ରଖିଥିଲା। ଏହାର ପ୍ରତିବାଦ କରି ସେମାନେ ରାସ୍ତା ଅବରୋଧ କରିଥିଲେ। ଫଳରେ କନ୍ଦରପୁର-ବିରିଡି-ଜଗତସିଂହପୁର ମଧ୍ୟରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା।

କଟକ ଓ ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ବହୁ ଚାଷୀଙ୍କୁ ପୋଲିସ୍ ଅଟକ ରଖିଥିଲା। ଗତକାଲି ବଡ଼ବିଲ୍‌-ପୁରୀ ଏକ୍ସପ୍ରେସରେ ଆସୁଥିବା ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟଙ୍କୁ କଟକରେ କମିଶନରେଟ୍ ପୋଲିସ୍ ଅଟକାଇବାରୁ ଉତ୍ତେଜନା ଦେଖା ଦେଇଥିଲା। ଏପରିକି ସଂଗଠନର ସଦସ୍ୟମାନେ ରେଳରୋକ ମଧ୍ୟ କରିଥିଲେ। ଗତକାଲି ଭୁବନେଶ୍ୱର ରେଳ ଷ୍ଟେସନରେ ମଧ୍ୟ ସଂଗଠନର ନେତା ଓ କୃଷକଙ୍କୁ ପୋଲିସ୍ ଅଟକ ରଖିଥିଲା। କେନ୍ଦୁଝର ରେଳ ଷ୍ଟେସନ ଓ ବସ୍‌ଷ୍ଟାଣ୍ଡରେ ମଧ୍ୟ ଚାଷୀଙ୍କୁ ଅଟକ ରଖାଯାଇଥିବାର ଖବର ମିଳିଛି। ଯାଜପୁରର ୧୮ ଜଣ ଚାଷୀଙ୍କୁ ଅଟକ ରଖାଯାଇଛି।

ପୂର୍ବରୁ ସଂଗଠନର ରାଜ୍ୟ ସଂଯୋଜକ ଅକ୍ଷୟ କୁମାର ଓ ସହ ସଂଯୋଜକ ଶେଷଦେବ ନନ୍ଦଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ଗତକାଲି ସନ୍ଧ୍ୟାରେ ସଂଗଠନର ଅନ୍ୟ ଜଣେ ନେତା କୁଳମଣି ବାରିକଙ୍କୁ ମଧ୍ୟ ପୋଲିସ୍ ଅଟକ ରଖିଥିଲା।

ନବନିର୍ମାଣ କୃଷକ ସଂଗଠନ ମୁଖ୍ୟ ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି,“ସରକାର ଭୟ କରୁଛନ୍ତି ଏଥିରେ ସନ୍ଦେହ ନାହିଁ। ମୁଁ ଭାବୁଛି ଜୋ ଡର ଗୟା ଓ ମର ଗୟା। ପ୍ରତି ଚାଷୀ ପରିବାରରେ ସତ୍ୟାଗ୍ରହ କରାଯିବ। ନବୀନ ସରକାର ଆତ୍ମାର ସଦଗତି କାମନା କରିବା ପାଇଁ ଏହି ସତ୍ୟାଗ୍ରହ କରାଯିବ।”

କଂଗ୍ରେସ ପକ୍ଷରୁ ନବ ନିର୍ମାଣ କୃଷକ ସଂଗଠନର ଏହି ସମାବେଶକୁ ସମର୍ଥନ ଜଣାଯାଇଥିଲା।

ସମାବେଶକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ୍ ପକ୍ଷରୁ ରାଜଧାନୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସହରର ବିଭିନ୍ନ ସ୍ଥାନରେ ୫୦ ପ୍ଲାଟୁନ୍ ପୋଲିସ୍ ଫୋର୍ସକୁ ମୁତୟନ କରାଯାଇଥିଲା। ଜାତୀୟ ରାଜପଥ ଅବା ସହର ଭିତରେ କୌଣସି ପ୍ରକାର ଶୋଭାଯାତ୍ରା ପ୍ରବେଶ ଉପରେ କଟକଣା ଲଗାଯାଇଥିଲା।

Related story