ନବରଙ୍ଗପୁର: ମା’ ହେବାକୁ ଯାଉଛି ୧୩ ବର୍ଷର ନାବାଳିକା। ବଳାତ୍କାରର ଶିକାର ହୋଇ ୭ ମାସର ଗର୍ଭବତୀ ହୋଇଛି ସେ। ଏହି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକରୁ। ଏନେଇ ପୀଡ଼ିତଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ମାମଲାରେ ପୋଲିସ୍ ଜଣେ ନାବାଳକକୁ ଗିରଫ କରି ବ୍ରହ୍ମପୁର ବାଳ ସୁଧାର ଗୃହକୁ ପଠାଇ ଦେଇଛି। ତେବେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଛାଡ଼ି ଜଣେ ନାବାଳକକୁ ଗିରଫ କରିଥିବା ଅଭିଯୋଗ ହୋଇଛି।
ବାଲେଙ୍ଗା ପଞ୍ଚାୟତ ବାମୁଣି ଗାଁର ବିବାହିତ ଯୁବକ ଗୁପ୍ତ ହରିଜନ ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରାୟ ଏକମାସ ପର୍ଯ୍ୟନ୍ତ ଏହି ନାବାଳିକା ସହ ଶାରୀରିକ ସଂପର୍କ ରଖିଥିଲେ। କିନ୍ତୁ ନାବାଳିକାଟି ଅନ୍ତଃସତ୍ୱା ହେବା ପରେ ଯୁବକ ଜଣଙ୍କ ତା ସହିତ ସମସ୍ତ ସଂପର୍କ ତୁଟାଇ ଦେଇଥିଲେ ଏବଂ ତାକୁ ଗାଁର ଆଉ ତିନି ଜଣଙ୍କ ନିକଟକୁ ପଠାଇ ଦେଇଥିଲେ। ସେମାନେ ଝିଅଟିକୁ ୧୫ ଦିନ ଧରି ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହି ଚାରି ଜଣଙ୍କୁ ଗିରଫ କରିବାକୁ ପରିବାର ଲୋକେ ଦାବି କରିଛନ୍ତି।