Advertisment

ଏମିତି ରାନ୍ଧନ୍ତୁ 'ନଳିତା କୁକୁଡ଼ା ମାଂସ ଝୋଳ'

ଯେହେତୁ ଓଡ଼ିଆ ଲୋକମାନେ ଖାଦ୍ୟପ୍ରିୟ, ତେଣୁ ସେମାନେ ଦେଶୀ ଉପାୟରେ ନାନା ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତିରେ ମାହିର। ଆମିଷ ହେଉ କି ନିରାମିଷ, ଆଜିକାଲି ଯେଉଁ ସବୁ ଖାଦ୍ୟକୁ ବଡ଼ ବଡ଼ ହୋଟେଲ୍ ଓ ରେଷ୍ଟୁରାଣ୍ଟରେ ରାନ୍ଧି ଖାଦ୍ୟପ୍ରିୟ ଲୋକଙ୍କୁ ଆକୃଷ୍ଟ କରାଯାଉଛି, ସେ ଖାଦ୍ୟ ଆପଣ ବି ଘରେ ତିଆରି କରିପାରିବେ। ଏଇ ଯେମିତି ଆପଣ ଚିକେନ୍ ବା କୁକୁଡ଼ା ମାଂସର ଅନେକ ଆଇଟମ୍ ବଜାରରେ ପାଇବେ। କିନ୍ତୁ ‘ନଳିତା କୁକୁଡ଼ା ମାଂସ ଝୋଳ’ କେବେ […]

author-image
Ordigital Desk
ଅଦ୍ୟତନ ହୋଇଛି
ଏମିତି ରାନ୍ଧନ୍ତୁ 'ନଳିତା କୁକୁଡ଼ା ମାଂସ ଝୋଳ'

Nalita Kukuda Mansa Jhola

ଯେହେତୁ ଓଡ଼ିଆ ଲୋକମାନେ ଖାଦ୍ୟପ୍ରିୟ, ତେଣୁ ସେମାନେ ଦେଶୀ ଉପାୟରେ ନାନା ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତିରେ ମାହିର। ଆମିଷ ହେଉ କି ନିରାମିଷ, ଆଜିକାଲି ଯେଉଁ ସବୁ ଖାଦ୍ୟକୁ ବଡ଼ ବଡ଼ ହୋଟେଲ୍ ଓ ରେଷ୍ଟୁରାଣ୍ଟରେ ରାନ୍ଧି ଖାଦ୍ୟପ୍ରିୟ ଲୋକଙ୍କୁ ଆକୃଷ୍ଟ କରାଯାଉଛି, ସେ ଖାଦ୍ୟ ଆପଣ ବି ଘରେ ତିଆରି କରିପାରିବେ। ଏଇ ଯେମିତି ଆପଣ ଚିକେନ୍ ବା କୁକୁଡ଼ା ମାଂସର ଅନେକ ଆଇଟମ୍ ବଜାରରେ ପାଇବେ। କିନ୍ତୁ 'ନଳିତା କୁକୁଡ଼ା ମାଂସ ଝୋଳ' କେବେ ହୁଏତ ଖାଇ ନଥିବେ। ଏହାକୁ କେମିତି ତିଆରି କରିବେ ତାହା ବତେଇଛନ୍ତି ସୁଦୂର କାନାଡ଼ାରେ ରହୁଥିବା ଓଡ଼ିଆ ବନ୍ଧୁ ପ୍ରଶାନ୍ତ ଭୂୟାଁ।

Advertisment

ଆବଶ୍ୟକ ଉପାଦାନ:

କୁକୁଡ଼ା ମାଂସ, କଅଁଳ ନଳିତା ପତ୍ର,  ଭୁର୍ସୁଙ୍ଗା ପତ୍ର, କଞ୍ଚା ମରିଚ, ଅଦା, ରସୁଣ, ପିଆଜ, ମସଲା ଗୁଣ୍ଡ, ଧନିଆ ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ମରିଚ ଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା, ପାନମଧୁରୀ, ତେଜପତ୍ର, ଗୁଜୁରାତି, ଲବଙ୍ଗ, ଡାଲଚିନି, କାଜୁବାଦାମ, ତେଲ, ଲୁଣ।

ବ୍ୟଞ୍ଜନ ପ୍ରକ୍ରିୟା:

॥ ୧ ॥ କୁକୁଡ଼ା ମାଂସ (ହାଡ଼ ସହ)କୁ ଛୋଟଛୋଟ ଘନାକାରରେ କାଟି, ଧୋଇ ଦିଅନ୍ତୁ। ପାଣି ସବୁ ନିଗାଡ଼ି ଦେଇ, ସେଥିରେ ତେଲ, ଲୁଣ, ହଳଦୀଗୁଣ୍ଡ, ମରିଚ ଗୁଣ୍ଡ, ମସଲା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଧନିଆ ଗୁଣ୍ଡ ପ୍ରଭୃତି ମିଶାଇ ୨୦-୩୦ ମିନିଟ୍‌ ପତଳା କନାଟିଏ ଘୋଡ଼ାଇ ଗୋଟିଏ ଶୀତଳ ସ୍ଥାନରେ ରଖି ଦିଅନ୍ତୁ।

Advertisment

॥ ୨ ॥ କଅଁଳ ସଜ ନଳିତା ପତ୍ରକୁ ଭଲ ଭାବେ ଧୋଇ ଛୋଟ ଛୋଟ କରି କାଟି ଦିଅନ୍ତୁ। କଞ୍ଚା ମରିଚକୁ ଛୋଟ ଛୋଟ ଗଡ଼ି କରି କାଟନ୍ତୁ। ବୃଦ୍ଧାଙ୍ଗୁଳି ଟିପ ଆକାରର ଅଦାକୁ ଛୋଟଛୋଟ କରି କାଟନ୍ତୁ। ବୃଦ୍ଧାଙ୍ଗୁଳି ଟିପ ଆକାରର ଆଉଏକ ଅଦା, ୪-୫ କୁଳା ରସୁଣ ଏବଂ ପାନମଧୁରୀକୁ ଭଲ ରୂପେ ଛେଚି ରଖନ୍ତୁ। ଲବଙ୍ଗ, ଗୁଜୁରାତି, ଡାଲଚିନି ପ୍ରଭୃତିକୁ ପ୍ରଥମେ ବତୁରାଇ; ତା’ପରେ ତାକୁ ପେଷି ରଖନ୍ତୁ। କାଜୁବାଦାମକୁ ଭଲରୂପେ ବତୁରାଇ; ତାପରେ ତାକୁ ପେଷି ରଖନ୍ତୁ।

॥ ୩ ॥ କଡ଼ାଇରେ ତେଲକୁ ଭାଜିଲା ପ୍ରାୟେକ ଗରମ କରି ଆଣନ୍ତୁ। ତା’ପରେ ସେଥିରେ ଟିପେ ଲମ୍ବାର ସରୁ କଟା ଅଦା, ମରିଚ, କଟା ନଳିତା ପତ୍ର ପ୍ରଭୃତି କ୍ରମାନ୍ୱୟରେ ଭଲରୂପେ ଭାଜି ହେବା ପରେ ହିଁ ପକାଇ ଚାଲନ୍ତୁ। ଏଇ ସବୁ ଭଲରୂପେ ଭାଜି ହୋଇ ସେମାନଙ୍କର ମୌଳିକ ସୁବାସ ଚହଟିଲା ପରେ ତାକୁ ପିଠାପାତିଆରେ ଭଲରୂପେ ଘାଣ୍ଟି ଦିଅନ୍ତୁ। ପ୍ରତି ଦୁଇ-ତିନି ଘଡ଼ିରେ ତାକୁ ଏକଡ଼ ସେକଡ଼ କରି ଓଲଟାଇ ଚାଲନ୍ତୁ। ଅଦା, ମରିଚ, ନଳିତା ପ୍ରଭୃତି ଭଲରୂପେ ସିଝିଗଲେ; ତାକୁ ଅଲଗା ଗୋଟିଏ ପାତ୍ରରେ ରଖନ୍ତୁ। ଏହା ଥଣ୍ଡା ହେଲା ପରେ ତାକୁ ଭଲ ରୂପେ ପେଷି ରଖନ୍ତୁ।

॥୪॥ କଡ଼ାଇରେ ତେଲକୁ ଭାଜିଲା ପ୍ରାୟେକ ଗରମ କରି ଆଣନ୍ତୁ। ତା’ପରେ ସେଥିରେ ଜିରା, ଭୁର୍ସୁଙ୍ଗା ପତ୍ର, ସରୁସରୁ କଟା ପିଆଜ, ଟିପେ ଲମ୍ବାର ଛେଚା ଅଦା, ରସୁଣ ଓ ପାନମଧୁରୀ, ତେଜପତ୍ରକୁ କ୍ରମାନ୍ୱୟରେ ଭଲରୂପେ ଭାଜି ହେବା ପରେ ହିଁ ପକାଇ ଚାଲନ୍ତୁ। ଏଇ ସବୁ ଭଲରୂପେ ଭାଜି ହୋଇ ସେମାନଙ୍କର ମୌଳିକ ସୁବାସ ଚହଟିଲା ପରେ ତାକୁ ପିଠା ପାତିଆ ବା ଖଡ଼ିକାରେ ଭଲରୂପେ ଘାଣ୍ଟି ଦିଅନ୍ତୁ। ଏଥୁଅନ୍ତେ ଆମର ମସଲା ସହ ବତୁରା ହୋଇଥିବା କୁକୁଡ଼ାମାଂସକୁ କଡ଼ାଇରେ ପକାନ୍ତୁ। ପ୍ରତି ଦୁଇ-ତିନି ଘଡ଼ିରେ ତାକୁ ଏକଡ଼ ସେକଡ଼ କରି ଓଲଟାଇ ଚାଲନ୍ତୁ। ଏହା ଭଲରୂପେ ଭାଜି ହୋଇଗଲେ; ସେଥିରେ ପେଷା ହୋଇ ରହିଥିବା ଲବଙ୍ଗ, ଗୁଜୁରାତି, ଡାଲଚିନିକୁ ପକାଇ ଘାଣ୍ଟନ୍ତୁ। ତା’ପରେ କାଜୁବାଦାମ ପକାଇ ଥରୁଟିଏ ଘାଣ୍ଟି ଦିଅନ୍ତୁ। ଚାରି ପାଞ୍ଚଘଡ଼ି ପରେ ସେଥିରେ ପେଷା ହୋଇଥିବା ନଳିତାକୁ ପକାଇ ପୁନଶ୍ଚ ଭଲରୂପେ ଗୋଳାଇ ଚାଲନ୍ତୁ। ବର୍ତ୍ତମାନ ଆବଶ୍ୟକ ପରିମାଣର କିଛି ସମୟ ତାକୁ ମଧ୍ୟମ ଜାଳରେ ଭଲରୂପେ ରାନ୍ଧି ହେବାକୁ ଦିଅନ୍ତୁ। ତା’ପରେ ଜାଳ ସବୁ ବନ୍ଦ କରି ତାକୁ କଡ଼େଇରେ କିଛି ସମୟ ନଘୋଡ଼ାଇ ରହିବାକୁ ଦିଅନ୍ତୁ। ବ୍ୟଞ୍ଜନକୁ ଗରମ ଗରମ ପରଶି ଦିଅନ୍ତୁ। ଯଦି ବିଳମ୍ବରେ ଖାଇବାର ଅଭିପ୍ରାୟ ଥାଏ ତେବେ କଡ଼େଇକୁ ଅଳ୍ପ ଖୋଲାରଖି ଘୋଡ଼ାଇ ଦିଅନ୍ତୁ।ଅନ୍ନବ୍ୟଞ୍ଜନ ସୁନ୍ଦର ଭାବେ ସଜାଇ; ହସହସ ମୁହଁରେ ଅତି ଶ୍ରଦ୍ଧାର ସହ ପରଶି ଦିଅନ୍ତୁ। ଧନ୍ୟବାଦ।

[ଏହି ପ୍ରସ୍ତୁତି ପ୍ରଣାଳୀରେ ବିଭିନ୍ନ ଉପାଦାନର ପରିମାଣ ଦିଆଯାଇ ନାହିଁ। ଆବଶ୍ୟକୀୟ ସ୍ୱାଦ ଓ ପ୍ରସ୍ତୁତ ହେଉଥିବା ବ୍ୟକ୍ତିଙ୍କ ସଂଖ୍ୟା ଅନୁପାତରେ ଏଇ ସବୁ ଉପାଦାନର ପରିମାଣ ବିବେଚନା କରିବାକୁ ଅନୁରୋଧ। ]

ଖାଦ୍ୟଗୀତ

ପ୍ରଥମେ ଭୋଜନ ଖାଏଟି ଆଖି
ନାସା ଖାଏ ପରେ ଅତି ପରଖି ।
ସବାପରେ ଖାଏ ପାଟି ଆମର,
ଅନ୍ନ ବ୍ୟଞ୍ଜନର କଥା ଗୁମର।

ଠିକଣା: ଦି ୟର୍କ୍‌ଲ୍ୟାଣ୍ଡ, ଟରୋଣ୍ଟୋ, ଓଣ୍ଟାରିଓ, କାନାଡ଼ା

ଜନ୍ମସ୍ଥାନ– ଜଗନ୍ନାଥ ପ୍ରସାଦ, ଗଞ୍ଜାମ, ଓଡ଼ିଶା

ଇ_ମେଲ୍‌ ପରିଚୟ :[email protected]