ହଠାତ୍‌ ଆପଣଙ୍କ ପାଖରୁ ଗାଏବ ହୋଇଯିବ ଛାଇ: କେବେ ଓ କାହିଁକି ହେବ ଏମିତି ପଢ଼ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁହାଯାଏ ଛାଇ ହେଉଛି ଆମର ସବୁଠାରୁ ବିଶ୍ୱସ୍ତ। ଏହା ସବୁବେଳେ ଆମ ପାଖେ ପାଖେ ଥାଏ। ଆପଣଙ୍କର ସବୁଠୁ ବିଶ୍ୱସ୍ତ ଲୋକଟି ଆପଣଙ୍କଠୁ ଦୂରେଇ ଯାଇପାରେ, କିନ୍ତୁ ଛାଇ କୁଆଡ଼େ ଛାଡ଼ି ଯାଏନା। କିନ୍ତୁ ନିକଟରେ ଏମିତି ଏକ ମୁହୂର୍ତ୍ତ ଆସିବାକୁ ଯାଉଛି, ଯେତେବେଳେ ଆମ ପାଖରୁ ଆମ ଛାଇ ଉଭେଇଯିବ। ଶୂନ୍ୟ ଛାୟା ଦିବସ: ସବୁ ଦିନ ସକାଳେ ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଇନ୍ତି ଏବଂ ପଶ୍ଚିମ ଦିଗରେ ଅସ୍ତ […]

Shadow

Ordigital Desk
  • Published: Friday, 18 May 2018
  • , Updated: 18 May 2018, 07:38 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁହାଯାଏ ଛାଇ ହେଉଛି ଆମର ସବୁଠାରୁ ବିଶ୍ୱସ୍ତ। ଏହା ସବୁବେଳେ ଆମ ପାଖେ ପାଖେ ଥାଏ। ଆପଣଙ୍କର ସବୁଠୁ ବିଶ୍ୱସ୍ତ ଲୋକଟି ଆପଣଙ୍କଠୁ ଦୂରେଇ ଯାଇପାରେ, କିନ୍ତୁ ଛାଇ କୁଆଡ଼େ ଛାଡ଼ି ଯାଏନା। କିନ୍ତୁ ନିକଟରେ ଏମିତି ଏକ ମୁହୂର୍ତ୍ତ ଆସିବାକୁ ଯାଉଛି, ଯେତେବେଳେ ଆମ ପାଖରୁ ଆମ ଛାଇ ଉଭେଇଯିବ।

ଶୂନ୍ୟ ଛାୟା ଦିବସ: ସବୁ ଦିନ ସକାଳେ ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଇନ୍ତି ଏବଂ ପଶ୍ଚିମ ଦିଗରେ ଅସ୍ତ ହୁଅନ୍ତି। ସୂର୍ଯ୍ୟଙ୍କ କିରଣ ପଡିଲେ ବିପରୀତ ଦିଗରେ ଏକ ଛାଇ ସୃଷ୍ଟି ହୁଏ ଓ ସୂର୍ଯ୍ୟ ଆଲୋକ ଥିବା ଯାଏଁ ସେ ଛାଇ ରହିଥାଏ। ଏବେ କିନ୍ତୁ ଜ୍ୟୋତିର୍ବିଜ୍ଞାନୀମାନେ କହିଛନ୍ତି ସବୁଦିନ ସୂର୍ଯ୍ୟ ଠିକ୍‌ ପୂର୍ବ ଦିଗରେ ଉଦୟ ହୁଅନ୍ତିନି। ବର୍ଷରେ କେବଳ ଦୁଇ ଦିନ ସୂର୍ଯ୍ୟ ଠିକ୍‌ ପୂର୍ବ ଦିଗରେ ଉଦୟ ହୁଅନ୍ତି ଓ ସେହିଦିନ ଠିକ୍‌ ସମୟରେ ଅସ୍ତ ବି ହୁଅନ୍ତି । ସେହିଦିନ ମଧ୍ୟାହ୍ନରେ ସୂର୍ଯ୍ୟ ଠିକ୍‌ ଆମର ମୁଣ୍ଡ ଉପରେ ରୁହନ୍ତି। ତେଣୁ ସେ ସମୟରେ ଆମର ଛାଇ ଦେଖାଯାଏ ନାହିଁ। ଏହି ଘଟଣାକୁ ଜ୍ୟୋତିର୍ବିଜ୍ଞାନୀମାନେ 'ଶୂନ୍ୟ ଛାୟା ଦିବସ' ବା ‘ଜିରୋ ସ୍ୟାଡୋ ଡେ’ ଭାବେ ନାମିତ କରିଛନ୍ତି।

କେବେ ଆସିବ ସେଦିନ: ଆସନ୍ତା ମେ ୨୧ ଓ ଜୁଲାଇ ୨୨ରେ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିବ। ଏହି ଦୁଇ ଦିନ ମଧ୍ୟାହ୍ନରେ ପ୍ରତ୍ୟେକ ବସ୍ତୁର ଛାଇ ହଜିଯିବ। କିଛି ସମୟ ପାଇଁ କାହାର ଛାଇ ଦେଖିବାକୁ ମିଳିବନି। ଆମେମାନେ ଏହାକୁ କିପରି ନିଜ ଚକ୍ଷୁରେ ଦେଖିପାରିବା ସେଥିପାଇଁ ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଏପରି କାହିଁକି ଓ କେମିତି ହୁଏ: ସୂର୍ଯ୍ୟଙ୍କ ଚାରିପଟେ ପୃଥିବୀ ନିଜ କକ୍ଷ ପଥରେ ୨୩.୫ ଡିଗ୍ରୀ ଢ଼ଳି ବୁଲିବା ସହ ନିଜ ଅକ୍ଷ ଚାରିପଟେ ମଧ୍ୟ ବୁଲିବାରେ ଲାଗିଛି। ସେଥିପାଇଁ ସୂର୍ଯ୍ୟ ସବୁଦିନ ସମାନ ସ୍ଥାନରୁ ଉଦୟ ହୁଏ ନାହିଁ କି ସମାନ ଜାଗାରେ ଅସ୍ତ ମଧ୍ୟ ହୁଏ ନାହିଁ। ପ୍ରତ୍ୟେକ ବର୍ଷ ଜୁନ ୨୧ରେ ସୂର୍ଯ୍ୟ ଉତ୍ତର ଗୋଲାର୍ଦ୍ଧର ୨୩.୫ ଡିଗ୍ରୀରେ ଥିବା କର୍କଟ କ୍ରାନ୍ତି ଉପରେ ରହିଥାଏ। ସେହିଠାରୁ ଧୀରେ ଧୀରେ ଦକ୍ଷିଣ ଦିଗକୁ ଗତି କରିଥାଏ, ଯାହାକୁ ଆମେ ସୂର୍ଯ୍ୟଙ୍କ ଦକ୍ଷିଣାୟନ ଗତି କହିଥାଉ। ଏହିପରି ଦକ୍ଷିଣ ଦିଗକୁ ଢ଼ଳି ଢ଼ଳି ଡିସେମ୍ବର ୨୨ ବେଳକୁ ସୂର୍ଯ୍ୟ ବିଷୁବ ରେଖାଠାରୁ ୨୩.୫ ଡିଗ୍ରୀ ଦକ୍ଷିଣରେ ଥିବା ମକର କ୍ରାନ୍ତିରେ ପହଞ୍ଚିଥାଏ। ସେହି ସମୟରେ ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମ ଋତୁ ହୋଇଥାଏ। ରାତି ଛୋଟ ଓ ଦିନ ବଡ଼ ହୁଏ। ସେହିଦିନଠାରୁ ସୂର୍ଯ୍ୟଙ୍କର ଉତ୍ତର ଦିଗକୁ ଗତି ବା ଉତ୍ତରାୟଣ ଆରମ୍ଭ ହୋଇଥାଏ। ସେହି ଦିନ ସୂର୍ଯ୍ୟ ମକର କ୍ରାନ୍ତି ଉପରେ ଗତି କରିଥାନ୍ତି। ସେହି ଅଞ୍ଚଳଗୁଡ଼ିକରେ ମଧ୍ୟାହ୍ନ ସମୟରେ ସୂର୍ଯ୍ୟ ସିଧା ସଳଖ ମୁଣ୍ଡ ଉପରେ ରହିଥାନ୍ତି ଫଳରେ ସେଠାରେ ‘ଶୂନ୍ୟ ଛାୟା’ ଘଟିଥାଏ।

'ଣ କୁହନ୍ତି ବିଶେଷଜ୍ଞ: ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ ବର୍ଷର ମାର୍ଚ୍ଚ ୨୧ ଓ ସେପ୍ଟମ୍ବର ୨୧ରେ ସୂର୍ଯ୍ୟ ଠିକ ସମୟରେ ଉଦୟ ହୋଇ ବିଷୁବ ରେଖା ଉପରେ ଗତି କରିଥାଏ। ଏହି ଦୁଇଦିନ ଦିନ ଓ ରାତିର ଅବଧି ସମାନ ହୁଏ। ବାକି ସବୁ ଦିନ ସୂର୍ଯ୍ୟ ଉତ୍ତର-ପୂର୍ବ ନଚେତ ଦକ୍ଷିଣ-ପୂର୍ବ ଦିଗରେ ଉଦୟ ହୁଏ। ମାର୍ଚ୍ଚ ୨୧ଠାରୁ ସୂର୍ଯ୍ୟ ଉଦୟର ସ୍ଥାନ ଧୀରେ ଧୀରେ ଉତ୍ତର ଦିଗରେ ଗତି କରି ଜୁନ ୨୧ରେ ଉତ୍ତର ଦିଗରେ ସବୁଠାରୁ ଦୂରକୁ ଚାଲିଯାଏ ଓ ସେଠାରୁ ପୁଣି ଦକ୍ଷିଣକୁ ଫେରିବାରେ ଲାଗେ। ସେପ୍ଟେମ୍ବର ୨୧ ଦିନ ବିଷୁବରେଖା ଉପରେ ଦେଇ ଡିସେମ୍ବର ୨୧ ବେଳକୁ ଦକ୍ଷିଣର ଶେଷ ବିନ୍ଦୁ ମକର କ୍ରାନ୍ତିରେ ଆସି ପହଞ୍ଚି ଥାଏ। ପୁଣି ତା ପର ଦିନଠାରୁ ସୂର୍ଯ୍ୟର ଉତ୍ତର ଦିଗକୁ ଗତି ଆରମ୍ଭ ହୁଏ। ଏହି ପ୍ରକ୍ରିୟା ଅନବରତ ଚାଲୁ ରହିଛି ବୋଲି ଜ୍ୟୋତିର୍ବିଜ୍ଞାନୀମାନେ ମତ ଦେଇଛନ୍ତି।

କେଉଁଠି କେତେବେଳେ ଦେଖାଯିବ: ଏବେ ବିଦେଶରେ ‘ଶୂନ୍ୟ ଛାୟା ଦିବସ’ଟିକୁ ଆଗ୍ରହ ସହ ପାଳନ କରାଯାଉଛି। ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଛି। ଚଳିତବର୍ଷ ଦେଶର ‘ଆଷ୍ଟ୍ରୋନୋମିକାଲ ସୋସାଇଟି ଅଫ୍‌ ଇଣ୍ଡିଆ’ ଉଦ୍ୟମରେ ‘ଶୂନ୍ୟ ଛାୟା ଦିବସ’ ବିଷୟରେ ପ୍ରଚାର କରାଯାଉଛି। ଏହିକ୍ରମରେ ପଠାଣି ସାମନ୍ତ ପ୍ଲାନେଟୋରିୟମ ଓ ବୁର୍ଲାଠାରେ ଥିବା ଡ. ଏପିଜେ ଅବଦୁଲ କଲାମ ପ୍ଲାନେଟୋରିୟମ ପକ୍ଷରୁ ‘ଶୂନ୍ୟ ଛାୟା ଦିବସ’ ଦେଖିବାର ବ୍ୟବସ୍ଥା ହୋଇଛି। ଭୁବନେଶ୍ୱରରେ ଆସନ୍ତା ମେ’ ୨୧ ପୂର୍ବାହ୍ନ ୧୧ଟା ୪୩, ଜୁଲାଇ ୨୨ ପୂର୍ବାହ୍ନ ୧୧ଟା ୫୩ରେ ଏହାକୁ ଦେଖିବାର ସୁଯୋଗ ମିଳିବ। ବୁର୍ଲାଠାରେ ମେ୨୮ ପୂର୍ବାହ୍ନ ୧୧ଟା ୫୨, ଜୁଲାଇ ୧୫ ମଧ୍ୟାହ୍ନ ୧୨ଟା, ରାଉରକେଲାରେ ଜୁନ ୨ ପୂର୍ବାହ୍ନ ୧୧.୪୮, ଜୁଲାଇ ୧୦ ପୂର୍ବାହ୍ନ ୧୧ଟା ୫୬, ବଲାଙ୍ଗିରରେ ମେ ୨୩ ପୂର୍ବାହ୍ନ ୧୧ଟା ୫୪ ଓ ଜୁଲାଇ ୨୦ ମଧ୍ୟାହ୍ନ ୧୨ଟା ୪ ମିନିଟ୍‌, ବାରିପଦାରେ ମେ’ ୩୧ ପୂର୍ବାହ୍ନ ୧୧ଟା ୪୧ ଓ ଜୁଲାଇ ୧୨ ତାରିଖ ପୂର୍ବାହ୍ନ ୧୧ଟା ୪୯ରେ ଏହା ଦେଖାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ନିଜେ ବି ଘରେ ଦେଖିବାର ବ୍ୟବସ୍ଥା କରିପାରିବେ: ଏହାକୁ ଦେଖିବା ପାଇଁ କୌଣସି ଯନ୍ତ୍ରପାତିର ଆବଶ୍ୟକ ନାହିଁ। ଏକ ସମତଳ ଜାଗାରେ ଖୁଣ୍ଟି ଚାରିକୋଣିଆ ବାକ୍ସ, ବୋତଲ, ଇଟା ଭଲି କିଛି ଜିନିଷ ଖରା ପଡୁଥିବା ସ୍ଥାନରେ ଲମ୍ବ ଭାବରେ ରଖନ୍ତୁ ଏବଂ ନିର୍ଦ୍ଧାରିତ ତାରିଖ ଦିନ ମଧ୍ୟାହ୍ନର କିଛି ସମୟ ପୂର୍ବରୁ ଲକ୍ଷ୍ୟ କରନ୍ତୁ କିପରି ବସ୍ତୁଟିର ଛାୟା ଧୀରେ ଧୀରେ ଛୋଟ ହୋଇ ଉଭେଇ ଯାଉଛି ଓ କିଛି ସମୟ ପରେ ପୁଣି ଦେଖାଦେଉଛି।

Related story