ମା’ ସମଲେଶ୍ୱରୀଙ୍କଠାରେ ଲାଗି ହେଲା ନବାନ୍ନ, ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶା ଉତ୍ସବମୁଖର

ସମ୍ବଲପୁର/ବଲାଙ୍ଗିର/ବୌଦ୍ଧ/ବଣାଇ/ଝାରସୁଗୁଡା/ସୁବର୍ଣ୍ଣପୁର: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ଉଠୁଚି ପଡୁଛି ସମଗ୍ର ପଶ୍ଚିମ ଓଡ଼ିଶା। ଘରେ ଘରେ ପିଠାପଣା ଆଉ ସ୍ୱାଦିଷ୍ଟ ଭୋଜନର ମହକ। ତା’ ସାଙ୍ଗକୁ ନୂଆ ପୋଷାକ ପରିଧାନ ସହ ମଉଜର ଅବସର। ପରମ୍ପରା ଅନୁଯାୟୀ ଆଜି ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହୋଇଛି। ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ପାର୍ଶ୍ୱ ଦେବାଦେବୀଙ୍କଠାରେ ନବାନ୍ନ ଲାଗି ହୋଇଥିଲା। ଏହା […]

samaleswari

Rakesh Mallick
  • Published: Friday, 18 September 2015
  • , Updated: 18 September 2015, 01:02 PM IST

ସମ୍ବଲପୁର/ବଲାଙ୍ଗିର/ବୌଦ୍ଧ/ବଣାଇ/ଝାରସୁଗୁଡା/ସୁବର୍ଣ୍ଣପୁର: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ଉଠୁଚି ପଡୁଛି ସମଗ୍ର ପଶ୍ଚିମ ଓଡ଼ିଶା। ଘରେ ଘରେ ପିଠାପଣା ଆଉ ସ୍ୱାଦିଷ୍ଟ ଭୋଜନର ମହକ। ତା’ ସାଙ୍ଗକୁ ନୂଆ ପୋଷାକ ପରିଧାନ ସହ ମଉଜର ଅବସର। ପରମ୍ପରା ଅନୁଯାୟୀ ଆଜି ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହୋଇଛି। ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ପାର୍ଶ୍ୱ ଦେବାଦେବୀଙ୍କଠାରେ ନବାନ୍ନ ଲାଗି ହୋଇଥିଲା। ଏହା ପରେ ଘରେ ଘରେ ଲୋକେ ନିଜ ନିଜ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି କରିଥିଲେ। ଏହାପରେ ଏକତ୍ର ବସି ନବାନ୍ନ ଭୋଜନ କରିଥିଲେ।

ସେହିପରି ବଲାଙ୍ଗିରରେ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଦେବୀ ପାଟଣେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହୋଇଛି। ଏହା ପରେ ସହରରେ ଘରେ ଘରେ ଲୋକେ ନିଜ ନିଜ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି କରିଥିଲେ। ତା’ପରେ ନୂଆଁ ଖାଇଥିଲେ।

ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ବୌଦ୍ଧ ଜିଲ୍ଲାରେ ଧୂମଧାମରେ ପାଳିତ ହୋଇଯାଇଛି। ଇଷ୍ଟଦେବୀ ମା’ ଭୈରବୀଙ୍କ ଠାରେ ନବାନ୍ନ ଲାଗିବା ପରେ ସମସ୍ତ ଘରେ ଗଣପର୍ବ ନୂଆଁଖାଇ ପାଳିତ ହୋଇଥିଲା। ନୂଆଁଖାଇବା ପରେ ସାନମାନେ ବଡମାନଙ୍କୁ ଜୁହାର ହୋଇଥିଲେ । ପ୍ରତ୍ୟେକ ଘରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। ସେହିପରି ବଣାଇରେ ମଧ୍ୟ ନୂଆଁଖାଇ ବହୁ ଆଡମ୍ୱରେ ପାଳିତ ହୋଇଯାଇଛି। ପରିବାର ଲୋକେ ଏକତ୍ର ହୋଇ ଇଷ୍ଟଦେବୀଙ୍କ ପାଖରେ ନୂଆ ଲାଗି କରିଥିଲେ। ପରେ ପରିବାରର ଲୋକେ ନୂଆଁଖାଇ ଥିଲେ।

ଝାରସୁଗୁଡା ଜିଲ୍ଲାରେ ମଧ୍ୟ ଗଣପର୍ବ ନୂଆଁଖାଇ ହସଖୁସିରେ ପାଳିତ ହୋଇଯାଇଛି। ଜିଲ୍ଲାର ପୁରପଲ୍ଲୀ ତଥା ସହରାଞ୍ଚଳରେ ମା’ ସମଲାଇଙ୍କୁ ପୂଜା କରିବା ସହ ଇଷ୍ଟଦେବୀଙ୍କୁ ପୂଜା କରି ନବାନ୍ନ ଗ୍ରହଣ କରିଥିଲେ। ପ୍ରତ୍ୟେକ ଘରେ ପିଠା, ମିଠା ପ୍ରସ୍ତୁତ କରାଯାଇଥିଲା। ପୂଜା ସମାପନ ପରେ ସମସ୍ତେଏକତ୍ରିତ ନୂଆ ଖାଇଥିଲେ। ନବାନ୍ନ ଖାଇବା ପରେ ସାନମାନେ ବଡମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥିଲେ ।

ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ  ପାଳିତ ହୋଇଯାଇଛି। । ନିର୍ଦ୍ଧାରିତ ଲଗ୍ନ ଦିନ ୧୨ ଟା ୧୦ ରେ ସୋନପୁର ସହରର ଅଧିଷ୍ଟାତ୍ରୀ ଦେବୀ ମା’ ସମଲେଇ ମନ୍ଦିରରୁ ପାହୁର ବାହାରି ଅଷ୍ଟଚଣ୍ଡି, ଅଷ୍ଟବିଷ୍ଣୁ ଓ ଆଷ୍ଟସମ୍ଭୁଙ୍କ ପାଖକୁ ଯାଇଥିଲା। ପ୍ରଥମେ ଏହି ଦେବଦେବୀଙ୍କ ପାଖରେ ନବାନ୍ନ ଲାଗି ହେଲା ପରେ ଜିଲ୍ଲାବାସୀ ଆରମ୍ଭ କରିଥିଲେ ନବାନ୍ନ ପର୍ବ। ପ୍ରଥମେ କ୍ଷେତକୁ ଯାଇ କ୍ଷେତ ପୂଜାକରି ନୂଆଁଧାନ ଆଣି ପ୍ରସ୍ତୁତ କରିଥିଲେ ନବାନ୍ନ। ଏହି ନବାନ୍ନକୁ ଘରର ଇଷ୍ଟଦେବୀଙ୍କ ପାଖରେ ଭୋଗ ଲଗାଇ ନିଜ ନିଜ ପରିବାରସହ ଖାଇଥିଲେ। ଏହି ଅବସରରେ ଘରେ ଘରେ ହୋଇଥିଲା ଛଅ ତିଅଣ ନଅ ଭଜା। ପରେ ପରମ୍ପରା ଅନୁସାରେ ସେମାନେ ବଡମାନଙ୍କୁ ହୋଇଥିଲେ ଜୁହାରଭେଟ।

ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାର ଘରେ ଘରେ ଆନନ୍ଦ ଏବଂ ଉତ୍ସାହର ପରିବେଶ ଲାଗି ରହିଛି। ବର୍ଷକେ ଥରେ ଏଭଳି ଏକ ଭାଇଚାରା ପର୍ବରେ ଭରପୁର ଆନନ୍ଦ ଉଠାଉଛନ୍ତି ସମସ୍ତେ। ନୂଆଁଖାଇରେ ପରିବାରର ବଡ଼ ମାନଙ୍କଠାରୁ ସାନମାନେ ଆଶୀର୍ବାଦ ନେବା ପରମ୍ପରା ରହିଛି। ଏହା ସାଙ୍ଗକୁ ନୂଆଁଖାଇ ଭେଟଘାଟ୍ ମଧ୍ୟ ଅନୁଷ୍ଠିତ ହେବ। ଆଜି ସଂଧ୍ୟାରେ ବିଭିନ୍ନ ସ୍ଥାନରେ ଜମିବ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର।ନୂଆଁଖାଇ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟରେ ‘ନୂଆଁଖାଇ ଜୁହାର’ ବୋଲି ଲେଖିଛନ୍ତି ଓ ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି। ସେହିପରି ରାଜ୍ୟପାଳ ଏସ୍.ସି ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ପଶ୍ଚିମ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ରାଜ୍ୟ ବିଜେପି ସଭାପତି କେ.ଭି ସିଂହଦେଓ ନୂଆଁଖାଇ ଅବସରରେ ପଶ୍ଚିମ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Related story