ଓଡ଼ିଆକୁ ସରକାରୀ ଭାଷା କରିବା ଦାବିରେ ବିଧାନସଭା ଅଚଳ

ଭୁବନେଶ୍ୱର: ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଆଜିଠାରୁ ଓଡ଼ିଆକୁ ସରକାରୀ ଭାଷା ଭାବେ କାର୍ଯ୍ୟକାରୀ କରିବା ଦାବିରେ ବିରୋଧୀ ଦଳଗୁଡ଼ିକ ଆଜି ବିଧାନସଭାରେ ହଟ୍ଟଗୋଳ କରିଛନ୍ତି। ଫଳରେ ବାଚସ୍ପତି ପ୍ରଥମେ ଗୃହକୁ ଦିନ ୧୨ଟା ୧୫ ପର୍ଯ୍ୟନ୍ତ ଓ ପରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସର ସଦସ୍ୟମାନେ ଆଜିଠାରୁ ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ। ସେମାନେ ଗୃହର […]

vidhansabha

Rakesh Mallick
  • Published: Thursday, 28 April 2016
  • , Updated: 29 April 2016, 04:16 AM IST

ଭୁବନେଶ୍ୱର: ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଆଜିଠାରୁ ଓଡ଼ିଆକୁ ସରକାରୀ ଭାଷା ଭାବେ କାର୍ଯ୍ୟକାରୀ କରିବା ଦାବିରେ ବିରୋଧୀ ଦଳଗୁଡ଼ିକ ଆଜି ବିଧାନସଭାରେ ହଟ୍ଟଗୋଳ କରିଛନ୍ତି। ଫଳରେ ବାଚସ୍ପତି ପ୍ରଥମେ ଗୃହକୁ ଦିନ ୧୨ଟା ୧୫ ପର୍ଯ୍ୟନ୍ତ ଓ ପରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ।

ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସର ସଦସ୍ୟମାନେ ଆଜିଠାରୁ ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ। ସେମାନେ ଗୃହର ମଧ୍ୟଭାଗକୁ ଆସି ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ବିରୋଧୀ ବିଜେପି ସଦସ୍ୟମାନେ ମଧ୍ୟ କଂଗ୍ରେସର ଏହି ଦାବିକୁ ସମର୍ଥନ କରି ନିଜ ନିଜ ଆସନରେ ଛିଡ଼ା ହୋଇଥିଲେ। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ସଦସ୍ୟମାନେ ହୋହାଲ୍ଲା ଜାରି ରଖିବାରୁ ବାଚସ୍ପତି ଗୃହକୁ ଦିନ ୧୨ଟା ୧୫ ଯାଏଁ ମୁଲତବି ଘୋଷଣା କରିଥିଲେ। ଗୃହ କାର୍ଯ୍ୟ ପୁଣି ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ସେମାନଙ୍କ ଦାବିକୁ ଦୋହରାଇଥିଲେ ଓ ହଟ୍ଟଗୋଳ କରିଥିଲେ। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି, “ଓଡ଼ିଆ ଭାଷାକୁ ରାଜ୍ୟ ସରକାର ଧ୍ୱଂସ କରି ସାରିଲେଣି। ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଆ ପଢ଼ି ଜାଣନ୍ତି ନି କି ଲେଖି ଜାଣନ୍ତିନି। ଏପରିକି ସେ ଗଣମାଧ୍ୟମ ଓ ବିଧାନସଭାରେ ଓଡ଼ିଆରେ କୁହନ୍ତି ନାହିଁ। ଆମର ଦାବି ହେଉଛି ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ ଗ୍ରହଣ କରାଯାଉ। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗୀୟ ଜାନକୀ ବଲ୍ଲଭ ପଟ୍ଟନାୟକ ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ ମଞ୍ଜୁରୀ ଦେଇଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନକାଳ ମଧ୍ୟରେ କୌଣସି ସରକାରୀ ଫାଇଲ୍‌ର କାମ ଓଡ଼ିଆ ଭାଷାରେ ହେଉ ନାହିଁ। ଆମର ଦାବି ହେଉଛି ପ୍ରତ୍ୟେକ ସରକାରୀ ଫାଇଲ୍‌ରେ ଓଡ଼ିଆରେ ଲେଖାଯାଉ। ସରକାରୀ ଫାଇଲ୍‌ରେ ଓଡ଼ିଆକୁ ପ୍ରାଧାନ୍ୟ ଦିଆଯାଉ। ଯେଉଁ ସରକାରୀ ଅଧିକାରୀମାନେ ଏହାକୁ ଅମାନ୍ୟ କରିବେ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଉ।”

ବିଜେପି ବିଧାୟକ ଦଳ ନେତା ବସନ୍ତ ପଣ୍ଡା କହିଛନ୍ତି,“ଭାଷା ଭିତ୍ତିରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଆମେ ଓଡ଼ିଆକୁ ସରକାରୀ ଭାଷାର ମାନ୍ୟତା ଦେବାକୁ ଦାବି କରୁଛୁ। ବଡ଼ ଦୁର୍ଭାଗ୍ୟ ଓ ବିଡ଼ମ୍ବନାର ବିଷୟ ଯେ ମା’,ମାଟି, ମଣିଷର ଭାଷା ଜାଣି ନ ଥିବା ଜଣେ ନାୟକଙ୍କ ଦ୍ୱାରା ଏହି ରାଜ୍ୟ ପରିଚାଳିତ ହେଉଥିବା ଯୋଗୁଁ ଭାଷା ଅପମାନିତ ହେଉଛି, ମା’ ଅପମାନିତ ହେଉଛି ଓ ମାଟି ବି ଅପମାନିତ ହେଉଛି। ଏହାର ସମ୍ମାନ ଫେରାଇ ଆଣିବା ଆମ ସମସ୍ତଙ୍କର କର୍ତ୍ତବ୍ୟ।”

ବିଜେଡି ବିଧାୟକ ସମୀର ଦାଶ କହିଛନ୍ତି,“ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳ ମଧ୍ୟରେ ଓଡ଼ିଆ ଭାଷା ଓ ସଂସ୍କୃତିର ଉନ୍ନତି ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଓଡ଼ିଆ ଭାଷାରେ ସରକାରୀ ଫାଇଲ୍‌ରେ କାମ କରିବା ନେଇ ବିରୋଧୀ ଦଳ ପକ୍ଷରୁ ଦାବି କରାଯାଇ ଯେଉଁଭଳି ଭାବେ ବିଧାନସଭାକୁ ଅଚଳ କରାଗଲା ତାହା କେବଳ ଲୋକ ଦେଖାଣିଆ। ଅତୀତରେ ରାଜ୍ୟରେ କଂଗ୍ରେସ ସରକାର ଥିଲା। ସେମାନେ ସେତେବେଳେ ଓଡ଼ିଆ ଭାଷା ପାଇଁ କଗ୍ଦଣ କରିଥିଲେ ସେ କଥା ସମସ୍ତେ ଜାଣନ୍ତି।”

ସେ ଆହୁରି ମଧ୍ୟ କହିଛନ୍ତି,“ଓଡ଼ିଆ ଭାଷାକୁ ସରକାରୀ ଭାଷା କରିବା ଦିଗରେ ରହିଥିବା ଦାବି ପ୍ରତି ସରକାରଙ୍କର ବି ସମର୍ଥନ ରହିଛି। ପର୍ଯ୍ୟାୟକ୍ରମେ ନିଶ୍ଚିତ ଭାବେ ଏହା କାର୍ଯ୍ୟକାରୀ ହେବ।  କିନ୍ତୁ ଏହାକୁ ନେଇ ଆଜି ବିଧାନସଭାକୁ ଅଚଳ କରି ଦେବା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ।”

ମୁଖ୍ୟମନ୍ତ୍ରୀ ଓଡ଼ିଆ ଜାଣି ନାହାନ୍ତି ବୋଲି ଓଡ଼ିଆକୁ ସରକାରୀ ଭାଷା ଭାବେ ଗ୍ରହଣ କରିବାକୁ ସରକାର ପଛାଉଛନ୍ତି ବୋଲି ହେଉଥିବା ଅଭିଯୋଗ ଉପରେ ସେ କହିଛନ୍ତି,“ମୁଖ୍ୟମନ୍ତ୍ରୀ ଓଡ଼ିଆ ଜାଣିଛନ୍ତି। ସେ ଓଡ଼ିଆରେ କହୁଛନ୍ତି। ସେ ଓଡ଼ିଆରେ ବକ୍ତବ୍ୟ ବି ରଖୁଛନ୍ତି। ଏ କଥାକୁ ପ୍ରସଙ୍ଗ କରି ବିରୋଧୀ ଦଳଗୁଡ଼ିକ କେବଳ ଆତ୍ମସନ୍ତୋଷ ଲାଭ କରୁଛନ୍ତି। ତେଣୁ ସେମାନଙ୍କୁ ଆତ୍ମସନ୍ତୋଷ ଲାଭ କରିବାକୁ ଦିଆଯାଉ।”

ଅନ୍ୟପକ୍ଷରେ ବିଧାନସଭା ମଧ୍ୟରେ କଂଗ୍ରେସ ସଦସ୍ୟଙ୍କ ପ୍ଲାକାର୍ଡ ପ୍ରଦର୍ଶନକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବାଚସ୍ପତି। ସେ କହିଛନ୍ତି,“ଏହା ଗୃହର ଶୃଙ୍ଖଳା ଓ ପଦମର୍ଯ୍ୟାଦାକୁ ଭଙ୍ଗ କରୁଛି।”

ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ କାର୍ଯ୍ୟକାରୀ କରିବା ଦାବିରେ ରାଜଧାନୀରେ ଓଡ଼ିଶା ଭାଷା ସୁରକ୍ଷା ମଞ୍ଚ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା କରାଯାଇଛି। ମଞ୍ଚ ପକ୍ଷରୁ ଅନୁଷ୍ଠିତ ଏହି ଶୋଭାଯାତ୍ରା ମାଧ୍ୟମରେ ୧୯୫୪ ମସିହାର ଭାଷା ସୁରକ୍ଷା ଆଇନକୁ କାର୍ଯ୍ୟକାରୀ କରିବାକୁ ଦାବି କରାଯାଇଛି। ଶୋଭାଯାତ୍ରାରେ ସାଂସଦ ବୈଷ୍ଣବ ପରିଡ଼ା, ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର, ସ୍ତମ୍ବାକାର ବରେନ୍ଦ୍ରକୃଷ୍ଣ ଧଳଙ୍କ ସମେତ ବହୁ ବୁଦ୍ଧିଜୀବୀ ସାମିଲ ହୋଇ ଉତ୍କଳ ଗୌରବ ମଧୁ ବାବୁଙ୍କ ଫଟୋ ସହ ଭାଷା ସୁରକ୍ଷା ସମ୍ପର୍କିତ ପୋଷ୍ଟର ପ୍ରଦର୍ଶନ କରି ଦାବି ଉପସ୍ଥାପନ କରିଥିଲେ।

Related story