ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସର୍ଭିସ ରାଇଫଲକୁ ଅସମ୍ମାନ। ଆଜି ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ପାସିଂ ଆଉଟ୍ ଉତ୍ସବରେ ଏପରି ଘଟଣା ଦେଖିବାକୁ ମିଳିଛି। ଯବାନମାନେ କୃତକାର୍ଯ୍ୟ ହେବା ଖୁସିରେ ଏତେ ମସଗୁଲ୍ ଥିଲେ ଯେ ସେଲ୍ଫି ନେବା ଚକ୍କରରେ ନିଜ ସର୍ଭିସ ରାଇଫଲକୁ ଭୁଲି ଯାଇଥିଲେ। ରାଇଫଲକୁ ଯତ୍ନର ସହ ରଖିବା ପରିବର୍ତ୍ତେ ତଳେ ପକାଇ ଫଟୋ ଉଠାଉଥିଲେ। ଆଉ କେତେକ ଯବାନ ପିଲା ଓ ପରିବାର ଲୋକଙ୍କୁ ରାଇଫଲ ଧରାଇ ଦେଇଥିଲେ। ପିଲାମାନେ ରାଇଫଲକୁ ଖେଳଣା ବନ୍ଧୁକ ପରି ପଡ଼ିଆରେ ଧରି ବୁଲୁଥିଲେ। ମାତ୍ର ଏଥିପ୍ରତି ଉପସ୍ଥିତ ଥିବା ଅଧିକାରୀଙ୍କର ତିଳେ ମାତ୍ର ନଜର ନଥିଲା। ତେବେ ଏହି ଖବର ପ୍ରକାଶ ପାଇବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି OSAPର ADG ବି. ରାଧିକା। ଦାୟିତ୍ୱରେ ଥିବା ବିଭିନ୍ନ ଗ୍ରୁପ୍ର ଟ୍ରେନ୍ରମାନଙ୍କୁ କାରଣ ଦର୍ଶାଅ ନୋଟିସ୍ କରାଯାଇଛନ୍ତି।
ପାସିଂ ଆଉଟ୍ ଜଣେ ଯବାନ କହିଛନ୍ତି-“ଯବାନମାନେ ପାଖରେ ରାଇଫଲ ରଖିବା କଥା। ମାତ୍ର ପରିବାର ଲୋକଙ୍କୁ ରାଇଫଲ ଦେବା ଠିକ୍ ହୋଇନି।”
ପାସିଂ ଆଉଟ୍ ଉତ୍ସବରେ ବଡବଡ଼ ଅଧିକାରୀମାନେ ବି ଉପସ୍ଥିତ ଥିଲେ। ସର୍ଭିନ ଓ୍ୱିପନ ପ୍ରତି ଖୋଲାଖୋଲି ଅସମ୍ମାନ ହେଉଥିଲେ ମଧ୍ୟ କେହିବି ଆପତ୍ତି ଉଠାଇ ନଥିଲେ। ବନ୍ଧୁକ ବ୍ୟବହାର ଓ ରଖିବା ନେଇ ପୋଲିସ ମାନୁଆଲରେ ଅନେକ ସତର୍କତା ରହିଛି। ସର୍ଭିସ ରାଇଫଲ ପ୍ରତି ଅସମ୍ମାନ ଗ୍ରହଣୀୟ ନୁହେଁ ବୋଲି ପୂର୍ବତନ ପୋଲିସ ପ୍ରଶାସକ କହିଛନ୍ତି।
ପୂର୍ବତନ ପୋଲିସ ଡିଜି ଏସ୍.ଏନ୍. ତିଓ୍ୱାରୀ କହିଛନ୍ତି-“ବନ୍ଧୁକ ହେଉଛି ବ୍ୟକ୍ତିଗତ ଓ୍ୱିପନ। କୌଣସି ପରିସ୍ଥିତିରେ ବନ୍ଧୁକ ଅନ୍ୟକୁ ହସ୍ତନ୍ତର କରିବା କଥା ନୁହେଁ। ଏପରିକି ଯେଉଁଠି ପାରିବ ରଖିପାରିବେ ନାହିଁ। ଏହା ସମ୍ପୂର୍ଣ୍ଣ ବେଆଇନ୍।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।