ଅନ୍ଧାରରେ ଭାଗଚାଷୀଙ୍କ ଭାଗ୍ୟ: ୩ ମନ୍ତ୍ରୀଙ୍କ ଭିତରେ ସହମତି ନାହିଁ, ଆସି ପାରୁନି ଆଇନ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାଗଚାଷୀଙ୍କ ଅଧିକାର ପାଇଁ ଗଠନ ହୋଇଥିଲା ମନ୍ତ୍ରିସ୍ତରୀୟ କମିଟି। ଏହି କମିଟି ୩ ଥର ବସି ମାନସ ମନ୍ଥନ କରିଥିଲା। ହେଲେ ନିର୍ଯାସ ବାହାରି ପାରିନଥିଲା। ଏପରିକି ତିନି ମନ୍ତ୍ରୀଙ୍କ ଭିତରେ ସହମତି ହୋଇପାରି ନଥିଲା। ଏହି କାରଣ ପାଇଁ ପ୍ରାସ୍ତାବିତ ନୂଆ ଭାଗଚାଷୀ ଆଇନର ଭାଗ୍ୟ ଅନ୍ଧାରରେ ରହିଯାଇଛି। କୃଷିମନ୍ତ୍ରୀ ଚାହୁଁଛନ୍ତି ଆଇନ ଜଲଦି ଆସୁ। କିନ୍ତୁ କାହିଁକି ଆସିପାରୁନି। ଏଥିପାଇଁ ସେ ଅନ୍ୟ ଦୁଇମନ୍ତ୍ରୀଙ୍କ ଆଡକୁ ଆଙ୍ଗୁଠି ଦେଖାଉଛନ୍ତି। ତେବେ […]

Rakesh Mallick
  • Published: Saturday, 26 August 2017
  • , Updated: 26 August 2017, 07:40 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାଗଚାଷୀଙ୍କ ଅଧିକାର ପାଇଁ ଗଠନ ହୋଇଥିଲା ମନ୍ତ୍ରିସ୍ତରୀୟ କମିଟି। ଏହି କମିଟି ୩ ଥର ବସି ମାନସ ମନ୍ଥନ କରିଥିଲା। ହେଲେ ନିର୍ଯାସ ବାହାରି ପାରିନଥିଲା। ଏପରିକି ତିନି ମନ୍ତ୍ରୀଙ୍କ ଭିତରେ ସହମତି ହୋଇପାରି ନଥିଲା। ଏହି କାରଣ ପାଇଁ ପ୍ରାସ୍ତାବିତ ନୂଆ ଭାଗଚାଷୀ ଆଇନର ଭାଗ୍ୟ ଅନ୍ଧାରରେ ରହିଯାଇଛି। କୃଷିମନ୍ତ୍ରୀ ଚାହୁଁଛନ୍ତି ଆଇନ ଜଲଦି ଆସୁ। କିନ୍ତୁ କାହିଁକି ଆସିପାରୁନି। ଏଥିପାଇଁ ସେ ଅନ୍ୟ ଦୁଇମନ୍ତ୍ରୀଙ୍କ ଆଡକୁ ଆଙ୍ଗୁଠି ଦେଖାଉଛନ୍ତି। ତେବେ ସମବାୟ ମନ୍ତ୍ରୀ ନିଜ ଉପରୁ ଦାୟିତ୍ୱ ହଟାଇ ରାଜସ୍ୱ ମନ୍ତ୍ରୀଙ୍କ କୋର୍ଟକୁ ବଲ୍‌ ଫିଙ୍ଗୁଛନ୍ତି। କମିଟିର ଅଧ୍ୟକ୍ଷ ରାଜସ୍ୱ ମନ୍ତ୍ରୀ ବି ଚାହୁଁଛନ୍ତି ଉଭୟ ଜମିମାଲିକ ଓ ଭାଗଚାଷୀଙ୍କ ହିତରେ ବିଲ୍ ତିଆରି ହେଉ। ତଥାପି କେଉଁଠି କେଁ ରହୁଛି କହୁନହାଁନ୍ତି। ପ୍ରଶ୍ନ ଉଠୁଛି କମିଟିର ତିନି ବରିଷ୍ଠ ମନ୍ତ୍ରୀ ଯଦି ନୂଆ ଆଇନ ନେଇ ଏକମତ ତେବେ ଅଡୁଆ ରହିଲା କେଉଁଠି ?

କିଏ କ’ଣ କହୁଛନ୍ତି

କୃଷିମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି- “ଭୂ-ସଂସ୍କାର ଆଇନ୍‌ରେ ଥିବା ବ୍ୟବସ୍ଥା ଅନୁଯାୟୀ, ଜଣେ ମାଲିକ ନିଜେ ଜମି ଚାଷ ନକରି  ଯଦି ଅନ୍ୟକୁ ଚାଷ ପାଇଁ ଦିଏ, ତେବେ ଚାଷ କରୁଥିବା ବ୍ୟକ୍ତି ପାଖକୁ ଜମି ଚାଲିଯିବ। ସେଥିପାଇଁ ଅଧିକାଂଶ ଜମି ମାଲିକ ଭାଗ ଚାଷୀଙ୍କ ନାଁ କହୁନାହାଁନ୍ତି। ଯାହା ଫଳରେ ଭାଗ ଚାଷୀମାନେ ଚାଷ ପାଇଁ ସାର ଓ ବିହନ ପାଉନାହାଁନ୍ତି। ମାତ୍ର ଜମି ମାଲିକ ଚାଷ ନକରି ସାର, ବିହନ ଓ ଚାଷ ଋଣ ପ୍ରମୁଖ ନେଇପାରୁଛି। ଯାହା ଅଶୋଭନୀୟ। ଏହି ଆଇନ୍‌କୁ ସଂଶୋଧନ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। ସେହି କମିଟି ବିଭିନ୍ନ ରାଜ୍ୟକୁ ଯାଇ ତଦାରଖ କରି ସରକାରଙ୍କ ପାଖରେ ଏକ ରିପୋର୍ଟ ଦାଖଲ କରିଥିଲେ। ଏହି ବିଲ୍‌ ମନ୍ତ୍ରିସ୍ତରୀୟ କମିଟିରେ ଫାଇନାଲ ହେବା କଥା। ଏହାଭିତରେ କମିଟିର ଅଧ୍ୟକ୍ଷ ବଦଳି ଗଲେ। ଏବେ ନୂଆ ଅଧ୍ୟକ୍ଷ ହୋଇଛନ୍ତି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି। ଏହାର ସମସ୍ୟା ସମାଧାନ ପାଇଁ ଗୋଟିଏ ବୈଠକ ବସିଥିଲା। ପରେ ଆଉ କୌଣସି ବୈଠକ ବସିନାହିଁ। ଭାବୁଛି ଆସନ୍ତା ସପ୍ତାହରେ ଏନେଇ ଆଲୋଚନା ହୋଇପାରେ।”

ସମବାୟ ମନ୍ତ୍ରୀ ସୂର୍ଯ୍ୟନାରୟଣ ପାତ୍ର କହିଛନ୍ତି- “ମାଲିକ ଜମି ହରାଇବ ନାହିଁ, କିନ୍ତୁ ଭାଗଚାଷୀ ତା’ର ପ୍ରକୃତ ଅଧିକାର ପାଇବ। ଏନେଇ ମନ୍ତ୍ରିସ୍ତରୀୟ କମିଟି ବୈଠକରେ ନିଷ୍ପତ୍ତି ନିଆଯିବ। କେବେ ବୈଠକ ବସିବ ସେନେଇ ରାଜସ୍ୱମନ୍ତ୍ରୀ କହିବେ।”

ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି- “ଭାଷ ଚାଷୀ ଓ ଜମି ମାଲିକଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ଦିଆଯିବା ଦରକାର। ସେଥିପାଇଁ ସମୟ ଲାଗୁଛି।”

ବିଜେପି ମୁଖ୍ୟମୁଖ ପାତ୍ର ସଜ୍ଜନ ଶର୍ମା କହିଛନ୍ତି-“ଭାଗ ଚାଷୀଙ୍କ ଅଧିକାର ନେଇ ଜଣେ ମନ୍ତ୍ରୀ ଗୋଟିଏ କଥା କହୁଥିବା ବେଳେ ଅନ୍ୟ ଜଣେ ମନ୍ତ୍ରୀ ଆଉ ଗୋଟିଏ କଥା କହୁଛନ୍ତି। ଏଥିରୁ ଜଣାପଡ଼ୁଛି ସରକାରଙ୍କ ଆନ୍ତରିକତାର ଅଭାବ।”

ପଶ୍ଚିମ ଓଡିଶା କୃଷକ ସଂଗଠନ ଆବାହକ ଅଶୋକ ପ୍ରଧାନ କହିଛନ୍ତି-“ଭାଗ ଚାଷୀଙ୍କ ଅଧିକାର ପ୍ରତି ରାଜ୍ୟ ସରକାରଙ୍କ ପାଖରେ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ରହିଛି। ତାହାହେଲେ ଆମେ କାହା ଉପରେ ଭରସା କରିବା?”

Related story