ପାରଳା ପ୍ୟାଲେସ ମୃତ୍ୟୁ ରହସ୍ୟ: ଅନଙ୍ଗ ମଞ୍ଜରୀଙ୍କ ଘରୁ ବହୁ ନମୂନା ସଂଗ୍ରହ କଲା କ୍ରାଇମବ୍ରାଞ୍ଚ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତିଙ୍କ ପୂର୍ବତନ ମ୍ୟାନେଜର ଅନଙ୍ଗ ମଞ୍ଜରୀ ପାତ୍ର, ତାଙ୍କ ଭାଇ ଓ ଭଉଣୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚର ସ୍ପେଶାଲ ଇନଭେଷ୍ଟିକେସନ ଟିମ୍ (ଏସଆଇଟି) ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ଏମାନଙ୍କ ସହ ଷ୍ଟେଟ୍‌ ଫରେନସିକ ଲ୍ୟାବ୍‌ର ଏକ ବିଶେଷଜ୍ଞ ଦଳ ଅନଙ୍ଗ ମଞ୍ଜରୀଙ୍କ ଘରୁ ବହୁ ନମୂନା ସଂଗ୍ରହ କରିଛି। ଏହାର ପରୀକ୍ଷା ପାଇଁ ଲ୍ୟାବ୍‌କୁ ପଠାଯାଇଛି। କ୍ରାଇମବ୍ରାଞ୍ଚ ସ୍ପେଶାଲ ଡିଜି ବି.କେ ଶର୍ମା କହିଛନ୍ତି, “ଅନଙ୍ଗ ମଞ୍ଜରୀଙ୍କ ଘରୁ […]

palace

Rakesh Mallick
  • Published: Tuesday, 23 August 2016
  • , Updated: 23 August 2016, 11:29 PM IST

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତିଙ୍କ ପୂର୍ବତନ ମ୍ୟାନେଜର ଅନଙ୍ଗ ମଞ୍ଜରୀ ପାତ୍ର, ତାଙ୍କ ଭାଇ ଓ ଭଉଣୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚର ସ୍ପେଶାଲ ଇନଭେଷ୍ଟିକେସନ ଟିମ୍ (ଏସଆଇଟି) ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ଏମାନଙ୍କ ସହ ଷ୍ଟେଟ୍‌ ଫରେନସିକ ଲ୍ୟାବ୍‌ର ଏକ ବିଶେଷଜ୍ଞ ଦଳ ଅନଙ୍ଗ ମଞ୍ଜରୀଙ୍କ ଘରୁ ବହୁ ନମୂନା ସଂଗ୍ରହ କରିଛି। ଏହାର ପରୀକ୍ଷା ପାଇଁ ଲ୍ୟାବ୍‌କୁ ପଠାଯାଇଛି।

କ୍ରାଇମବ୍ରାଞ୍ଚ ସ୍ପେଶାଲ ଡିଜି ବି.କେ ଶର୍ମା କହିଛନ୍ତି, “ଅନଙ୍ଗ ମଞ୍ଜରୀଙ୍କ ଘରୁ ୨୦ଟି ଥଣ୍ଡା ପାନୀୟ ବୋତଲ ମିଳିଛି। ଏଥିରେ ବିଷ ମିଶାଇ ସେମାନେ ପିଇଥିବା ଅନୁମାନ କରାଯାଉଛି। ଘର ଭିତରୁ ଏକ କ୍ୟାପ୍‌ ଖୋଲା କଲମ ମିଳିଛି। ଏହି କଲମ ସହ ମୂଳ ହାତଲେଖା ଉଦ୍ଧାର କରାଯାଇଛି। ସୁଇସାଇଡାଲ ନୋଟ୍‌ ସହ ମ୍ୟାଚ୍‌ ପାଇଁ ଏହାକୁ ଲ୍ୟାବକୁ ପଠାଯାଇଛି।”

ସେ କହିଛନ୍ତି, “ଏସ୍‌ଆଇଟି ଟିମ୍ ୬ଟି ମାମଲାର ତଦନ୍ତ କରିବ। ମାମଲା ସଂଖ୍ୟା ବଢ଼ିଥିବାରୁ ଟିମ୍‌ରେ ୧୦ଜଣ ସଦସ୍ୟ ରହିବେ। ଅତିରିକ୍ତ ଏସପି ଆର୍‌. ବି ପାଣିଗ୍ରାହୀ ଟିମର ନେତୃତ୍ୱ ନେଉଛନ୍ତି। ଏହି ଟିମ୍‌ ସହ ରାଜ୍ୟ ଫୋରେନସିକ୍‌ ଲାବୋରୋଟାରୀରୁ ଏକ ବିଶେଷଜ୍ଞ ଟିମ୍‌ ମଧ୍ୟ ତଦନ୍ତରେ ସହଯୋଗ କରୁଛି।”

ଏସ୍‌ଆଇଟି ଟିମ୍‌ ପାରଳାଖେମୁଣ୍ଡି ଥାନାକୁ ଯାଇ ଅନଙ୍ଗ ମଞ୍ଜରୀଙ୍କ ଭାଇ ଅମୂଲ୍ୟ ପାତ୍ର ଦେଇଥିବା ଏତଲାକୁ ଅନୁଧ୍ୟାନ କରିଛି। ଏହାସହ ସୁଇସାଇଡାଲ ନୋଟ୍‌କୁ ମଧ୍ୟ ଯାଞ୍ଚ କରିଛି ଟିମ୍‌।

ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ରାଜାଙ୍କ ଆର୍ଥିକ କାରବାରର ଯାଞ୍ଚ କରିବ ବୋଲି ଶର୍ମା ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଏଥିପାଇଁ ରାଜାଙ୍କ ସମ୍ପର୍କୀୟଙ୍କୁ ପଚରାଉଚରା କରାଯିବ। ଚେନ୍ନାଇରେ ରାଜାଙ୍କ ଝିଅ ଓ ସାନ ଭାଇ ରହୁଛନ୍ତି। ଦରକାର ପଡ଼ିଲେ କ୍ରାଇମବ୍ରାଞ୍ଚ ଟିମ୍‌ ଚେନ୍ନାଇ ଯିବ।”

ପାରଳା ମହାରାଜାଙ୍କ ପୂର୍ବତନ ମ୍ୟାନେଜର ଅନଙ୍ଗ ମଞ୍ଜରୀ ପାତ୍ର ଓ ତାଙ୍କ ୩ ଭାଇଭଉଣୀଙ୍କ ମୃତ୍ୟୁ ପଛରେ କାରଣ କ’ଣ ଖୋଜିବ କ୍ରାଇମବ୍ରାଞ୍ଚ। ମୃତକଙ୍କ ଘରୁ ମିଳିଥିବା ୩ଟି ସୁଇସାଇଡ୍ ନୋଟ ତଦନ୍ତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି।

ରବିବାର ଅନଙ୍ଗ ମଞ୍ଜରୀଙ୍କ ସହ ତାଙ୍କ ଭାଇ ତଥା ମହାରାଜାଙ୍କ ପିଏ ସଞ୍ଜୟ ପାତ୍ର ଓ ଭଉଣୀ ବିଜୟଲକ୍ଷ୍ମୀ ପାତ୍ରଙ୍କ ମୃତଦେହକୁ ରାଜପ୍ରସାଦ ନିକଟସ୍ଥ ସେମାନଙ୍କ ଘରୁ ଉଦ୍ଧାର କରାଯାଇଥିଲା। ଅନଙ୍ଗ ମଞ୍ଜରୀଙ୍କ ସାନ ଭାଇ ଟୁଲୁ ପାତ୍ରଙ୍କର ଏମକେସିଜିରେ ଚିକିତ୍ସା ଚାଲିଥିଲା ବେଳେ ଗତକାଲି ମୃତ୍ୟୁ ଘଟିଥିଲା।

ଅନଙ୍ଗ ମଞ୍ଜରୀ ଓ ତାଙ୍କ ଭଉଣୀ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସଞ୍ଜୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ରବିବାର ଦିନ ଅନଙ୍ଗ ମଞ୍ଜରୀଙ୍କ ଘରୁ ଦୁର୍ଗନ୍ଧ ବାହାରୁ ଥିବା ଜାଣି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।

Related story