ବାଦୁଡ଼ି ଠାରୁ 'ନିପା' ଭୂତାଣୁ ବ୍ୟାପିବା ପାଇଁ ମଣିଷ ଦାୟୀ

ଭୁବନେଶ୍ୱର,(ସଂଗ୍ରାମ ଦାସମହାପାତ୍ର): କେରଳରେ ଆତଙ୍କ ସୃଷ୍ଟି କରିଥିବା ଘାତକ ନିପା ଭୂତାଣୁ ବାଦୁଡ଼ି ଠାରୁ ମଣିଷକୁ ବ୍ୟାପିବା ପଛରେ ନିଜେ ମଣିଷ ହିଁ ଦାୟୀ। ପ୍ରାକୃତିକ ପରିବେଶ ନଷ୍ଟ ହେବା ଏବଂ ଜଳବାୟୁ ପରିବର୍ତ୍ତନ ଭଳି ମନୁଷ୍ୟକୃତ କାରଣ ଯୋଗୁଁ ଏହି ରୋଗ ମଣିଷ ପ୍ରତି ଘାତକ ସାବ୍ୟସ୍ତ ହେଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ବାଦୁଡ଼ିର ପ୍ରାକୃତିକ ବାସସ୍ଥଳୀ ନଷ୍ଟ ହେବା ଏହି ଭୂତାଣୁ ସଂକ୍ରମଣର ଏକ ପ୍ରମୁଖ କାରଣ ବୋଲି ଦୃଢ଼ ପ୍ରମାଣ ମିଳିଛି। ଏହି […]

bats

Rakesh Mallick
  • Published: Sunday, 27 May 2018
  • , Updated: 27 May 2018, 09:33 PM IST

ଭୁବନେଶ୍ୱର,(ସଂଗ୍ରାମ ଦାସମହାପାତ୍ର): କେରଳରେ ଆତଙ୍କ ସୃଷ୍ଟି କରିଥିବା ଘାତକ ନିପା ଭୂତାଣୁ ବାଦୁଡ଼ି ଠାରୁ ମଣିଷକୁ ବ୍ୟାପିବା ପଛରେ ନିଜେ ମଣିଷ ହିଁ ଦାୟୀ। ପ୍ରାକୃତିକ ପରିବେଶ ନଷ୍ଟ ହେବା ଏବଂ ଜଳବାୟୁ ପରିବର୍ତ୍ତନ ଭଳି ମନୁଷ୍ୟକୃତ କାରଣ ଯୋଗୁଁ ଏହି ରୋଗ ମଣିଷ ପ୍ରତି ଘାତକ ସାବ୍ୟସ୍ତ ହେଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ବାଦୁଡ଼ିର ପ୍ରାକୃତିକ ବାସସ୍ଥଳୀ ନଷ୍ଟ ହେବା ଏହି ଭୂତାଣୁ ସଂକ୍ରମଣର ଏକ ପ୍ରମୁଖ କାରଣ ବୋଲି ଦୃଢ଼ ପ୍ରମାଣ ମିଳିଛି।
ଏହି ରିପୋର୍ଟ ଅନୁସାରେ, ବାଦୁଡ଼ିର ପ୍ରାକୃତିକ ବାସସ୍ଥଳୀ ନଷ୍ଟ ହେବା ଫଳରେ ସେମାନଙ୍କୁ ଅସୁରକ୍ଷିତ ଅବସ୍ଥାରେ ଏବଂ ଭୋକରେ ରହିବାକୁ ପଡ଼ୁଛି। ଅଧିକାଂଶ ସମୟ ଭୋକରେ ଓ ଚାପରେ ରହିବା କାରଣରୁ ବାଦୁଡ଼ିର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବାରେ ଲାଗୁଛି। ଯାହା ଫଳରେ ସେମାନଙ୍କ ଶରୀରରେ ନିପା ଭୂତାଣୁର ସ୍ତର ଅତ୍ୟଧିକ ବଢ଼ିଯାଇଛି ଏବଂ ମୂତ୍ର ଓ ପାଟିର ଲାଳରେ ବାହାରି ମଣିଷକୁ ସଂକ୍ରମିତ କରୁଛି। ଜଳବାୟୁ ପରିବର୍ତ୍ତନ, ପ୍ରଜନନ ସମ୍ପର୍କିତ ସମସ୍ୟା ଏବଂ ଖାଦ୍ୟାଭାବ ଜନିତ ସମସ୍ୟା ବାଦୁଡ଼ି ଶରୀରରେ ନିପା ଓ ହେଣ୍ଡ୍ରା ଭଳି ଘାତକ ଭୂତାଣୁ ସ୍ତର ବୃଦ୍ଧିର ପ୍ରମୁଖ କାରଣ ବୋଲି ଗବେଷଣାରୁ ଜଣାପଡ଼ିଛି। କେବଳ ଯେ ବାଦୁଡ଼ି ଶରୀରରେ ଭୂତାଣୁର ମାତ୍ରା ବୃଦ୍ଧି ପାଇଛି ତା ନୁହେଁ, ଅଧିକ ସଂଖ୍ୟକ ବାଦୁଡ଼ି ଏହା ଦ୍ୱାରା ସଂକ୍ରମିତ ହେବା ମଧ୍ୟ ଦେଖାଯାଉଛି।

ଏଥିସହ ବର୍ଷାବନର କ୍ରମାଗତ ବିନାଶ ଏବଂ ଜଙ୍ଗଲ କାଟି ସେଠାରେ ସହରାଞ୍ଚଳ ସୃଷ୍ଟି ହେବା ଯୋଗୁଁ ବାଦୁଡ଼ି ଜନବସତିର ଅତି ନିକଟତର ହେବା ପାଇଁ ବାଧ୍ୟ ହେଉଛନ୍ତି। ଏବେ ସହର ଭିତରେ ଅନେକ ସ୍ଥାନରେ ବାଦୁଡ଼ି ବଂଶବୃଦ୍ଧି କରୁଥିବା ଦେଖିବାକୁ ମିଳୁଛି। ଏଥିସହ ଏହାର ଶିକାର ହେବା ଯୋଗୁଁ ମଣିଷ ସିଧାସଳଖ ନିପା ଭୂତାଣୁ ସଂସ୍ପର୍ଶରେ ଆସୁଛି।
ଓଡ଼ିଶାରେ ଜାପାନିଜ ଏନସେଫେଲାଇଟିସ୍ ବ୍ୟାପିବା ବେଳେ ଘୁଷୁରିକୁ ସମୂହ ହତ୍ୟା କରାଯିବା ଭଳି ଘଟଣା ନଜରକୁ ଆସିଥିଲା। ହୁଏତ ନିପା ଭୂତାଣୁ ବ୍ୟାପିବା ପରେ ବାଦୁଡ଼ି ବଂଶ ବିନାଶ କରିବା ପାଇଁ ଅନେକେ ଚେଷ୍ଟା କରିପାରନ୍ତି। କିନ୍ତୁ ପ୍ରକୃତରେ ଏଭଳି କାର୍ଯ୍ୟ ଆହୁରି ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଗବେଷକ କହନ୍ତି। ଏହାଦ୍ୱାର ଭୂତାଣୁ ସଂକ୍ରମଣ ହ୍ରାସ ପାଇବାର ସେଭଳି ସମ୍ଭାବନା ନଥିବା ଅଷ୍ଟ୍ରେଲିଆ ଘଟଣାରୁ ପ୍ରମାଣିତ ହୋଇଛି। ବରଂ ଏହାର ବିପରୀତ ପ୍ରଭାବ ଦେଖିବାକୁ ମିଳିଛି। ବାଦୁଡ଼ିର ସମୂହ ବିନାଶ ହେଲେ ଫୁଲର ପରାଗସଂଗମ ହେବାରେ ସମସ୍ୟା ସୃଷ୍ଟି ହେବ ଏବଂ ଫଳ ଚାଷ ବହୁ ମାତ୍ରାରେ ପ୍ରଭାବିତ ହେବ।

Related story