ସ୍ୱାଭାବିକ ହେଲା ଯୁକ୍ତ ଦୁଇ ଖାତା ଦେଖା

ଭୁବନେଶ୍ୱର: ଛଅ ଦିନର ଛକାପଞ୍ଝା ପରେ ଶେଷରେ ଆଜିଠାରୁ ସ୍ୱାଭାବିକ ହୋଇଛି ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ। ଖାତା ଦେଖାରେ ସାମିଲ ହୋଇଛନ୍ତି ୪୮୮ ଓ ୬୬୨ ବର୍ଗ କଲେଜର ଅଧ୍ୟାପକମାନେ। ଗତକାଲି ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ସହିତ ରୁଦ୍ଧ ଦ୍ୱାର ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ ଏହି ଦୁଇ ଅଧ୍ୟାପକ ସଂଘ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଅଧ୍ୟକ୍ଷ ବାସୁଦେବ ଛାଟୋଇ କହିଛନ୍ତି,“ବେସରକାରୀ କଲେଜର ଅଧ୍ୟାପକମାନେ ଆଜି […]

plus-two-exam-paper

Rakesh Mallick
  • Published: Sunday, 10 April 2016
  • , Updated: 15 April 2016, 01:42 PM IST

ଭୁବନେଶ୍ୱର: ଛଅ ଦିନର ଛକାପଞ୍ଝା ପରେ ଶେଷରେ ଆଜିଠାରୁ ସ୍ୱାଭାବିକ ହୋଇଛି ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ। ଖାତା ଦେଖାରେ ସାମିଲ ହୋଇଛନ୍ତି ୪୮୮ ଓ ୬୬୨ ବର୍ଗ କଲେଜର ଅଧ୍ୟାପକମାନେ। ଗତକାଲି ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ସହିତ ରୁଦ୍ଧ ଦ୍ୱାର ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ ଏହି ଦୁଇ ଅଧ୍ୟାପକ ସଂଘ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଅଧ୍ୟକ୍ଷ ବାସୁଦେବ ଛାଟୋଇ କହିଛନ୍ତି,“ବେସରକାରୀ କଲେଜର ଅଧ୍ୟାପକମାନେ ଆଜି ଖାତା ଦେଖାରେ ସାମିଲ ହୋଇଛନ୍ତି। ତେଣୁ ଆଉ କୌଣସି ବିକଳ୍ପ ବ୍ୟବସ୍ଥାର ଆବଶ୍ୟକତା ନାହିଁ। ଖାତା ଦେଖା ଠିକ୍ ସମୟରେ ଶେଷ ହେବ ଓ ଫଳାଫଳ ମଧ୍ୟ ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇ‍ବ। ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏନେଇ ଭରସା ରଖନ୍ତୁ।”

ସେ କହିଛନ୍ତି,“ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ମଧ୍ୟରେ ରହିଥିବା ୩ ଦିନର ବ୍ୟବଧାନ ଆଉ ରହିବ ନାହିଁ। ଉକ୍ତ ୩ ଦିନରେ ମଧ୍ୟ ଖାତା ଦେଖାଯିବ। ସେହିଭଳି ଆବଶ୍ୟକ ପଡ଼ିଲେ ଦ୍ୱିତୀୟ ପର୍ଯ୍ୟାୟର ଖାତା ଦେଖାକୁ ଆଉ ଦୁଇ ଦିନ ବଢ଼ାଇ ଦିଆଯିବ। ଏହା ଫଳରେ ପରୀକ୍ଷା ଫଳାଫଳ ପ୍ରକାଶ କରିବାରେ କିଛି ସମସ୍ୟା ଦେଖାଯିବ ନାହିଁ। ଫଳାଫଳ ପ୍ରକାଶ କରିବା ପ୍ରକ୍ରିୟା ଠିକ୍ ଭାବେ ଚାଲିବ।”

ସରକାରଙ୍କ କାର୍ଯ୍ୟକ୍ରମ ଅନୁଯାୟୀ ଯୁକ୍ତ ଦୁଇ ଖାତା ଦେଖାର ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୪ରୁ  ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ ରହିଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଏପ୍ରିଲ ୧୬ ତାରିଖରୁ ଏପ୍ରିଲ ୨୫ ତାରିଖ ପର୍ଯ୍ୟନ୍ତ ରହିଛି। ତେବେ ବ୍ଲକ୍ ଗ୍ରାଣ୍ଟ୍ ଉଚ୍ଛେଦ ଓ ପୂର୍ଣ୍ଣ ଅନୁଦାନ ଦାବିରେ ୬୬୨ ଓ ୪୮୮ ବର୍ଗର ଅଧ୍ୟାପକ ଓ ଅଧ୍ୟାପିକାମାନେ ଆନ୍ଦୋଳନ ଜାରି ରଖିଥିବାରୁ ନିର୍ଦ୍ଧାରିତ ଦିନଠାରୁ ଖାତା ଦେଖା ହୋଇପାରି ନ ଥିଲା।

ଗତକାଲି ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଏବଂ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ସଂଘ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୪ ତାରିଖରେ ହେବାକୁ ଥିବା ବୈଠକରେ ଅଧ୍ୟାପକଙ୍କ ଦାବି ସମ୍ପର୍କରେ ଆଲୋଚନା କରାଯିବାକୁ ଏହି ଦୁଇ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏହାକୁ ସଂଘ ମାନି ନେବା ସହ ଆନ୍ଦୋଳନକୁ ସ୍ଥଗିତ ରଖିଥିବା ଘୋଷଣା କରିଥିଲା। ଏହାସହ ଖାତା ମୂଲ୍ୟାୟନରେ ସହଯୋଗ କରିବାକୁ ସଂଘ ପ୍ରତିଶ୍ରୁତି ଦେଇଥିଲା।

Related story