କୋଟା: ରାଜସ୍ଥାନର ତଲବଣ୍ଡୀ ସ୍ଥିତ ‘ଆସ ଏକାଡେମୀ ସ୍କୁଲ୍’ରେ ୧୬୫ ଜଣ ଛାତ୍ରଛାତ୍ରୀ ପଢ଼ନ୍ତି। ଏହା ଏକ ଇଂଲିଶ ମିଡିୟମ ସ୍କୁଲ୍। ନର୍ସରୀରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ପଢ଼ାଇବା ପାଇଁ ସ୍କୁଲ୍ରେ ଅଛନ୍ତି ୨୦ ଜଣ ଶିକ୍ଷକ ଓ ଅନ୍ୟ କର୍ମଚାରୀ। ସବୁ ଶ୍ରେଣୀ ଗୃହରେ ସିସିଟିଭି କ୍ୟାମେରା ଲାଗିଛି। ପିଲାଙ୍କୁ କଂପ୍ୟୁଟର ଶିକ୍ଷା ବି ଦିଆଯାଏ। କିନ୍ତୁ ଏଠାରେ ପଢୁଥିବା ପିଲାମାନଙ୍କଠାରୁ ସ୍କୁଲ୍ ଫି’ ଓ ନାମଲେଖା ଫି’ ନିଆଯାଏ ନାହିଁ। ୟୁନିଫର୍ମ, ବହି ଓ ଷ୍ଟେସନାରୀ ନାଁରେ ଟଙ୍କାଟିଏ ବି ନିଆଯାଏ ନାହିଁ।
ଏଠାରେ ପଢୁଥିବା ପିଲାମାନେ ଅଟୋ ଚାଳକଙ୍କଠାରୁ ଆରମ୍ଭ କରି ଶ୍ରମିକମାନଙ୍କ ଛୁଆ। ନର୍ସରୀରେ କେବଳ ବସ୍ତିରେ ରହୁଥିବା ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନଙ୍କ ୨୦ ପ୍ରତିଶତ ସିଟ୍ ସଂରକ୍ଷିତ ରଖାଯାଇଛି। ପାଠ ପଢ଼ାଇବା କାର୍ଯ୍ୟରେ ସାମିଲ ହୋଇଛନ୍ତି ବ୍ୟବସାୟୀ, ପୂର୍ବତନ ମେୟର ଓ ଅବସରପ୍ରାପ୍ତ ପ୍ରଫେସର। ଗତ ୫ ବର୍ଷ ହେଲା ଶିକ୍ଷାବିତ୍ ଡକ୍ଟର ଲଲିତ ଶର୍ମା, ବ୍ୟବସାୟୀ ମୈନ ମନୋଜ ଶର୍ମା, ଅଭିନାଶ ଜୈନ, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡକ୍ଟର ଏସ୍କେ ଜୈନ ଓ ପୂର୍ବତନ ମେୟର ଡକ୍ଟର ରତ୍ନା ଜୈନ ପ୍ରମୁଖ ସ୍କୁଲ୍କୁ ଆର୍ଥିକ ସହାୟତା ପ୍ରଦାନ କରି ଆସୁଛନ୍ତି। ସହରର ଆଉ କିଛି ଲୋକ ମଧ୍ୟ ଆର୍ଥିକ ସାହାଯ୍ୟ ଯୋଗାଇ ଆସୁଛନ୍ତି। ସ୍କୁଲ୍ ଚଳାଇବା ପାଇଁ ପ୍ରତି ମାସରେ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ସ୍କୁଲ୍ର ପରିଚାଳନା ଭାର ରହିଛି ମ୍ୟାନେଜ୍ମେଣ୍ଟ କନ୍ସଲଟାଣ୍ଟ ପୀୟୂଷ ରାଠୋଙ୍କ ଉପରେ।
ଜଣେ ଅଟୋ ଡ୍ରାଇଭର କହିଛନ୍ତି ଯେ ତାଙ୍କ ପିଲାମାନେ କେବେ ଇଂଲିଶ ମିଡିୟମ ସ୍କୁଲ୍ରେ ପଢ଼ିପାରିବେ ବୋଲି ସେ ଭାବି ନଥିଲେ। ମଜୁରୀ କରି ପେଟ ପୋଷୁ ଥିବା ଶିବ କୁମାର କହିଛନ୍ତି ଯେ ସେ ମାସକୁ ୭୦୦୦ ଟଙ୍କା ରୋଜଗାର କରନ୍ତି। ଯଦି ସେ ଝିଅକୁ ଅନ୍ୟ କେଉଁ ଇଂଲିଶ ମିଡିମୟ ସ୍କୁଲ୍ରେ ପଢ଼ାଇ ଥାଆନ୍ତେ, ତା’ହେଲେ ମାସକର ରୋଜଗାର କେବଳ ତା ପଛରେ ହିଁ ଚାଲି ଯାଇଥାଆନ୍ତା।
ଏହି ବ୍ୟବସାୟୀ, ପୂର୍ବତନ ମେୟର ଓ ଅବସରପ୍ରାପ୍ତ ଶିକ୍ଷାବିତ୍ମାନଙ୍କ ଏ ଉଦ୍ୟମ ପ୍ରଶଂସନୀୟ ନୁହେଁ କି? ଏହି ବ୍ୟବସାୟୀମାନେ ଯେତିକି ସମୟ ଏ ସ୍କୁଲ୍ ପାଇଁ ଦେଉଛନ୍ତି ସେତିକି ସମୟ ସେମାନଙ୍କ ବ୍ୟବସାୟ ପାଇଁ ଦେଲେ ଆଉ ଅଧିକ ଟଙ୍କା ରୋଜଗାର କରନ୍ତେ। ସେମିତି ପୂର୍ବତନ ମେୟର ଜଣଙ୍କ କେବଳ ରାଜନୀତିରେ ମାତିଲେ ଆହୁରି ଆଗକୁ ଯାଇପାରନ୍ତେ। ଅବସରପ୍ରାପ୍ତ ପ୍ରଫେସରମାନେ ଆରାମରେ ଘରେ ଜୀବନ ବିତାଇ ପାରନ୍ତେ। କିନ୍ତୁ ସେମାନେ ଏକ ଭଲ କାରଣ ପାଇଁ ଏକାଠି ହୋଇଛନ୍ତି ଓ ହାତ ମିଳାଇଛନ୍ତି। ଦେଶର କିଛି ଦାୟିତ୍ୱ ନିଜ କାନ୍ଧକୁ ନେଇଛନ୍ତି। ଏହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ନିଶ୍ଚୟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।