ମୁମ୍ବାଇ: ଯଦି ଆପଣ ଭଲ ପଢୁଛନ୍ତି ଓ ଟପ୍ କରିଛନ୍ତି ତଥାପି ପୁଣେର ସାବିତ୍ରୀବାଇ ଫୁଲେ ବିଶ୍ୱବିଦ୍ୟାଳୟରୁ ଗୋଲ୍ଡ ମେଡାଲ ପାଇବା କଷ୍ଟକର। କାରଣ ଆପଣ ଟପ୍ କଲେ ବି ଯଦି ଆମିଷ ଖାଉଥିବେ ଓ କୌଣସି ପ୍ରକାର ନିଶା ସେବନ କରୁଥିବେ ତେବେ ଆପଣଙ୍କୁ ଗୋଲ୍ଡ ମେଡାଲ ମିଳିବ ନାହିଁ। ଏଥିପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଛି। ଏଥିରେ ଗୋଲ୍ଡ ମେଡାଲ ପାଇଁ ୧୦ଟି ସର୍ତ୍ତ ରଖାଯାଇଛି। ୭ମ ସର୍ତ୍ତରେ ଛାତ୍ରଛାତ୍ରୀ କୌଣସି ନିଶା ସେବନ କରୁ ନଥିବେ ଓ ନିରାମିଷାଶୀ ହୋଇଥିବେ ବୋଲି ଉଲ୍ଲେଖ ରହିଛି।
ଏହାକୁ ନେଇ ବିବାଦ ଦେଖା ଦେବାର ଆଶଙ୍କା ଥିବାରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏପରି ସର୍ତ୍ତକୁ ନେଇ ନିଜ ସଫେଇ ମଧ୍ୟ ଦେଇଛନ୍ତି। ଏହି ସର୍ତ୍ତ ପ୍ରାୟୋଜକଙ୍କ ଦ୍ୱାରା ରଖାଯାଇଛି। ଏହାକୁ ଆମେ କେବଳ ପାଳନ କରୁଛୁ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି।
ଆହୁରି ମଧ୍ୟ ପଢନ୍ତୁ: ବିଶ୍ୱର ଶ୍ରେଷ୍ଠ ୧୦ଟି ବିଶ୍ୱବିଦ୍ୟାଳୟ, ଯେଉଁଠି ପାଠ ପଢ଼ିଛନ୍ତି ବହୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି
ଏନ୍ସିପି ସାଂସଦ ସୁପ୍ରିୟା ସୁଲେ ଟ୍ୱିଟ୍ କରି କହିଛନ୍ତି,“ବିଶ୍ୱବିଦ୍ୟାଳୟର ନିଷ୍ପତ୍ତି ନିରାଶଜନକ। ଆମ ରାଜ୍ୟ ଶିକ୍ଷାକୁ ନେଇ ଗର୍ବ କରେ। ଆମ ବିଶ୍ୱବିଦ୍ୟାଳୟକୁ କ’ଣ ହୋଇଯାଇଛି? ଦୟାକରି ପାଠପଢ଼ା ଉପରେ ଧ୍ୟାନ କେନ୍ଦ୍ରୀତ କର, ଖାଇବା ଉପରେ ନୁହେଁ।”