ଗତକାଲି ପୋଲାଣ୍ଡରୁ ଆସିଥିବା ଆଲେକଜାଣ୍ଡର ଜିଏରେକୋ ଡ୍ରାମା ଥିଏଟର ଗ୍ରୁପ୍ ପକ୍ଷରୁ ନାଟକ ‘ଶୋଙ୍କା’ ମଞ୍ଚସ୍ଥ ହେଉଥିଲା। ଏହି ଅବସରରେ ଜଣେ କଳାକାର ହଠାତ୍ ଉଲଗ୍ନ ହୋଇପଡିଥିଲେ।
ଗତକାଲି ପରିବେଷଣ କରାଯାଇଥିବା ଏହି ନାଟକକୁ ନେଇ ଆଜି ବିବାଦ ଘନେଇ ଥିଲେ। ବିଭିନ୍ନ ବର୍ଗର ଲୋକେ ଏହାକୁ ସମାଲୋଚନା କରିଥିଲେ। ଏହି ଦୃଶ୍ୟ ପରିବେଷଣ ସମୟରେ ସେଠାରେ ଉପସ୍ଥିତ ନାଟକ ପ୍ରେମୀ ମଧ୍ୟ ପ୍ରଶ୍ନ ଉଠାଇ ଥିଲେ। ଅନ୍ୟପକ୍ଷେ ଏପରି ଘଟଣା କାହିଁକି ଘଟିଲା ଓ ଏଥିପାଇଁ ଦାୟୀ କିଏ ତାହାର ରିପୋର୍ଟ ଦେବାକୁ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଏନ୍ଏସ୍ଡିକୁ କହିଥିଲେ।
ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ, ଓଡ଼ିଶା ସଂସ୍କୃତି କେବେ ଅଶ୍ଳୀଳତାକୁ ପ୍ରଶ୍ରୟ ଦେଇ ନ ଥାଏ। ଏସବୁ କ୍ଷେତ୍ରରେ ଏକ ସୀମା ରହିଛି। ତାକୁ ପାର ହୋଇ ଅଶ୍ଳୀଳତା ପ୍ରଦର୍ଶନ କରିବା ସଂସ୍କୃତିର ସପକ୍ଷରେ ଯାଉନାହିଁ। ଅନେକ ସଙ୍କେତ ଧର୍ମୀ ନାଟକ ହୋଇଥାଏ। ଯଦି ସେଭଳି କିଛି ଅବଶ୍ୟକତା ଥିଲା ତାକୁ ସଙ୍କେତ ମାଧ୍ୟମରେ ପ୍ରଦର୍ଶନ କରାଯାଇପାରିଥାନ୍ତି। ହେଲେ ତାକୁ ନେଇ ଅଶ୍ଳୀଳତା ସ୍ତରରେ ଥୋଇବା ଠିକ୍ ହୋଇନାହିଁ। ଯେଉଁମାନେ ଡ୍ରାମା କରୁଥିଲେ ସେମାନେ ବିସ୍ତୃତ ବିବରଣୀ ରଖିବାର ଥିଲା। ଏ ନେଇ ନ୍ୟାଶନାଲ ସ୍କୁଲ ଅଫ ଡ୍ରାମା ବା ଏନଏସଡି ସହିତ ଆଲୋଚନା କରାଯିବ।
ମଞ୍ଚ ଉପରେ ଏଭଳି ନାଟକ ପରିବେଷଣ ପାଇଁ କ୍ଷମା ମାଗିଛି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ। ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ଏକାଡେମୀ ପକ୍ଷରୁ କୁହାଯାଇଛି।
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ଧୀରେନ୍ଦ୍ର ମଲ୍ଲିକ କହିଛନ୍ତି ଯେ ଗତକାଲିର ନାଟକ ପାଇଁ ଯଦି କୌଣସି ମତେ ଦର୍ଶକମାନେ ମାନସିକ ବାଧା ପାଇଛନ୍ତି, ତା’ହେଲେ ସେ ଏନ୍ଏସ୍ଡି ତରଫରୁ କ୍ଷମା ମାଗୁଛି। ଓଡ଼ିଶାରେ ଏମିତି ନାଟକ ଚଳେ ନାହିଁ ବୋଲି ଏନ୍ଏସ୍ଡିକୁ ଜଣାଇ ଦିଆଯିବ। ଏଭଳି ନାଟକ ଓଡ଼ିଶାକୁ ପଠାଇବା ଉଚିତ୍ ନଥିଲା। ତେଣୁ ଆଗାମୀ ଦିନରେ ନାଟକ ପଠାଇବା ପୂର୍ବରୁ ଏ ଦିଗରେ ସତର୍କ ରହିବାକୁ ଏନ୍ଏସ୍ଡିକୁ ଅବଗତ କରାଯିବ।
ଓଡ଼ିଶା ନାଟ୍ୟ ସଂଘ ସଂପାଦକ ଅଭିନ୍ନ ରାଉତରାୟ କହିଛନ୍ତି ଯେ ଏଭଳି ନାଟକ ପ୍ରଦର୍ଶନ ନହେବା ଉଚିତ୍। ଏହା ଆମ ସଂସ୍କୃତି ସହିତ ଖାପଖାଉନି। ଏହା ଆମ ସଂସ୍କୃତି ବିରୋଧୀ। କିନ୍ତୁ ସେମାନଙ୍କ (ଅଭିନୟ କରିଥିବା ପୋଲାଣ୍ଡର କଳାକାର) ସଂସ୍କୃତିରେ ତାହା ଅଛି। ସେମାନେ ଏହାକୁ ଗ୍ରହଣ କରି ନେଇଛନ୍ତି। ପରବର୍ତ୍ତୀ ସମୟରେ ଆଉ ଏଭଳି ନାଟକ ଓଡ଼ିଶାକୁ ନପଠାଇବାକୁ ଏନ୍ଏସ୍ଡିକୁ ଜଣାଇ ଦିଆଯିବ।
ଅନ୍ୟପକ୍ଷରେ ଏ ଘଟଣାକୁ ପ୍ରତିବାଦ କରି ଆଜି ନାରୀ ସଚେତନ ମଞ୍ଚ ପକ୍ଷରୁ ରବୀନ୍ଦ୍ର ମଣ୍ଡପ ଗେଟ୍ରେ ତାଲା ପକାଯିବା ସହ ରାସ୍ତାରୋକ କରାଯାଇଥିଲା। ଏହା ସହ ପୋଷ୍ଟର ଚିରାଯାଇଥିଲା ଓ ଜଳାପୋଡ଼ା କରାଯାଇଥିଲା।