ପାଣିପାଗ ବିଭାଗର ସର୍ଭେ: ସନ୍ତୁଳନ ହରାଉଛି ଲୋ-କ୍ଲାଉଡ୍, ବଢ଼ିପାରେ ଖରାଦିନ, କମିବ ବର୍ଷା

‘ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ’। ଏ ଋଢି ସମସ୍ତେ ପିଲାଦିନେ ନିଜ ଜେଜେବାପା, ଜେଜେମାଆଙ୍କ ପାଖରୁ ଶୁଣିଥିବେ। ଏଠାରେ ଆମେ ଏହି ଋଢି ବିଷୟରେ ଲେଖିବାର କାରଣ ହେଲା- ଖୁବ୍‌ଶୀଘ୍ର ଆମେ ସମସ୍ତେ ଏପରି ସ୍ଥିତିର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଏ କଥା ସୂଚେଇ ଦେଇଛି ଭାରତୀୟ ପାଣିପାଗ ବିଭାଗର ସର୍ଭେ ରିପୋର୍ଟ। ରିପୋର୍ଟଟି ଯେତିକି ଚିନ୍ତାଜନକ ତା’ଠାରୁ ଅଧିକ ଭୟଙ୍କର ଏହାର ପ୍ରଭାବ।

ମୌସୁମୀ ବର୍ଷା ଉପରେ ନିର୍ଭର କରିଥାଏ ଆମର ଚାଷବାସ, ପ୍ରକୃତି ଓ ପୂରା ପରିବେଶ। ବର୍ଷା ଭଲ ହେଲେ ଉତ୍ତମ, ନହେଲେ ସ୍ଥିତି ସଙ୍ଗୀନ। ନିକଟରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଥିବା ସର୍ଭେ ରିପୋର୍ଟ କହୁଛି- ଭାରତରେ ମୌସୁମୀ ବର୍ଷା କରାଉଥିବା କମ୍‌ ଉଚ୍ଚତାରେ ଉଡୁଥିବା ବାଦଲ ବା Low cloudsର ବହଳ ବା ପରିମାଣ କମିବାରେ ଲାଗିଛି। ଅର୍ଥାତ୍ ବାଦଲ ପତଳା ହେବାରେ ଲାଗିଛି। ଗତ ୫୦ ବର୍ଷର ସର୍ଭେରୁ ଏହି ସୂଚନା ଦେଇଛି ପାଣିପାଗ ବିଭାଗର ସର୍ଭେ ରିପୋର୍ଟ। ଏଥିଯୋଗୁ ଆଗାମୀ ଦିନରେ ଦେଶରେ କମ୍ ବର୍ଷା ଯୋଗୁ ଚାଷକାର୍ଯ୍ୟ ବହୁଳ ଭାବରେ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି।

ଏଠାରେ ସୂଚନାଯୋଗ୍ୟ ଯେ, ଭାରତରେ ମୌସୁମୀ ବାୟୁ ଦ୍ବାରା ସମୁଦାୟ ଯେତିକି ବର୍ଷା  ହୁଏ, ସେଥିରୁ ୭୦ ପ୍ରତିଶତ କେବଳ ଏହି ଲୋ-କ୍ଲାଉଡ୍‌ ଦ୍ବାରା ହିଁ ହୋଇଥାଏ। ସର୍ଭେ ରିପୋର୍ଟରେ ଦିଆଯାଇଥିବା ତଥ୍ୟ କହୁଛି- ପଶ୍ଚିମ ଉପକୂଳ ଓ ମଧ୍ୟ-ଭାରତରେ ଲୋ-କ୍ଲାଉଡ୍‌ର ପରିମାଣ ପ୍ରତି ଦଶବର୍ଷରେ ୪ରୁ ୬ ପ୍ରତିଶତ କମିଛି। ହେଲେ ପଞ୍ଜାବରୁ ବିହାର ପର୍ଯ୍ୟନ୍ତ ଉତ୍ତର ଭାରତରେ ଏହି ବାଦଲର ପରିମାଣ ୪ରୁ ୮ ପ୍ରତିଶତ ବୃଦ୍ଧି ପାଇଛି। ଫଳରେ ଉତ୍ତର ଭାରତରେ ଅଧିକ ଏବଂ ପଶ୍ଚିମ ଉପକୂଳ ଓ ମଧ୍ୟ-ଭାରତରେ ବର୍ଷାର ପରିମାଣ ଧୀରେ ଧୀରେ କମିପାରେ। ସାମଗ୍ରିକ ଭାବେ ଦେଖିଲେ, ଭାରତୀୟ ପାଣିପାଗରେ ଏହା ଏକ ଅସମାନତା ସୃଷ୍ଟି କରିବ।

ପ୍ରଭାବ: କମ୍‌ ଉଚ୍ଚତା ଅର୍ଥାତ ଭୂପୃଷ୍ଠଠାରୁ ପ୍ରାୟ ୬୫୦୦ ଫୁଟ୍‌ ଉପରେ ଉଡୁଥିବା ବାଦଲକୁ ଲୋ-କ୍ଲାଉଡ୍ ବୋଲି କୁହାଯାଏ। ରିପୋର୍ଟ କହୁଛି, ଧୀରେ ଧୀରେ କେବଳ ଏହାର ବହଳ କମିନି, ପରିମାଣ ମଧ୍ୟ ହ୍ରାସ ପାଇଛି। ଏହାର ପ୍ରଭାବରେ ଆଗାମୀ ଦିନରେ ଅଧିକ ଗ୍ରୀଷ୍ମ ଅନୁଭୂତ ହେବ ଓ କମ ବର୍ଷାଋତୁ। ଦିନ ଓ ରାତିର ତାପମାତ୍ରାରେ ମଧ୍ୟ ତାରତମ୍ୟ ବଢ଼ିବ।

ଏହା ନିଶ୍ଚିତ ଭାବେ ଚିନ୍ତାଜନକ। କାରଣ ଭାରତର ଅଧାରୁ ଅଧିକ ଚାଷ ମୌସୁମୀ ବର୍ଷା ଉପରେ ହିଁ ନିର୍ଭର କରିଥାଏ। ଲୋ-କ୍ଲାଉଡ୍ ପରିମାଣ ବଢିଥିବା ସ୍ଥାନରେ ଅଧିକ ବର୍ଷା ଓ କମିବା ସ୍ଥାନରେ କମ୍ ବର୍ଷାର ଆଶଙ୍କା ରହୁଛି।